Unknown

 

 

 

 

 

 

 

 

 

 

 

ଅପହଞ୍ଚ

ଗୋପୀନାଥ ମହାନ୍ତି

 

ଅପହଞ୍ଚ

 

ମେଲ୍‍କାବାଡ଼ିର ବୀମା କନ୍ଧର ପୁଅ ଟିମା ଯେଉଁଦିନ ପଡ଼ିଶା ଗାଁ ମିରିଗଶିଙ୍ଘାର ସରକାରୀ ଚାହାଳି ଘରୁ ଲେଉଟି ଆସି ବେଳବୁଡ଼େ ତା ଘର ଆଗରେ ଧୂଳି ଉପରେ ଡାଙ୍ଗରେ ଗାରେଇ ଗାରେଇ ଢେଗା ଢେଗା କରି ଲେଖିଲା ‘ଆଇଆ’, ଆଉ ତାକୁ ପଢ଼ି ଶୁଣାଇ ଦେଲା, ସେତେବେଳେ ତା ‘ଆୟା’ ଅର୍ଥାତ୍ ବୋଉ ତାକୁ ଶୂନ୍ୟେ ଶୂନ୍ୟେ ଟେକିନେଇ ତାର ଖୋଲା ଛାତିରେ ଜାକିଧରି ମୁହଁ ହଲେଇ ହଲେଇ ତାକୁ ଅସଂଖ୍ୟ ଗେଲ କରିପକାଇଲା । ଟିମାର କଳା ମିଶି ମିଶି ମୁହଁଟି ତା ବୋଉର କୁଞ୍ଚି କୁଞ୍ଚିଆ ଫୁରୁ ଫୁରୁ ବାଳରେ ଘୋଡ଼େଇହୋଇ ପଡ଼ିଥାଏ, ଆଉ ସେହି ଜଟଜାଲ ଉହାଡ଼ରୁ ଜିକି ଜିକି କରୁଥାଏ ତାର ସାନ ସାନ ଗୋଲ ଗୋଲ ଆଖି ଯୋଡ଼ିକ । ତାକୁ ପୁଣି ତଳକୁ ଓହ୍ଲାଇ ଦେଲାମାତ୍ରେ କୌପୁନୀପିନ୍ଧା ଡେଙ୍ଗା ବୀମା କନ୍ଧ ଘାଗଡ଼ା ପାଟିରେ ପଚାରିଲା, ‘‘ବୋଉ ପଦ ତ ଲେଖିଲୁ, ଆଉ ବାପା ? ଗୁମାର ମେଞ୍ଚା ମେଞ୍ଚା ଦାଢ଼ି ସ୍ଥିର ହୋଇ ଓହଳିଥାଏ, ତା ଆଖିତଳେ ଓ କପାଳ ଉପରେ ଖାସୁଲା । ଖଇରିଆ ଚମ କୁଞ୍ଚି କୁଞ୍ଚି ହୋଇ ରହିଥାଏ ଗୋଟାଏ ପ୍ରଶ୍ନବାଚକ ଭଙ୍ଗୀରେ, ସେ ରହି ରହିକା ନିଃଶ୍ୱାସ ମାରୁଥାଏ । ଟିମା ସଙ୍ଗେ ସଙ୍ଗେ ଡାଙ୍ଗରେ ଗାରେଇ ପକାଇଲ–‘ଆବା’, ପଢ଼ି ଶୁଣାଇ ଦେଲା । ଏଥର ପଡ଼ିଲା ବୀମା କନ୍ଧର ପାଳି, ଝକ୍ କଲା ଦି’ଧାଡ଼ି ଧଳା ଦାନ୍ତ, ପୁଅକୁ ଟେକି ନେଇ ମୁହଁରେ ଛାତିରେ ମାଡ଼ି ସେ ଦାଣ୍ଡଯାକ ବହେ ଡିଆଁ ଡେଇଁ କରି ନାଚି ଆସିଲା, କିଳିକିଳା ରଡ଼ି ଛାଡ଼ିଲା, ଏଣେ ବୀମା ଭାରିଯା ଗଲା । ଗାଁ ଲୋକଙ୍କୁ ଡାକି । ତାପରେ ସଞ୍ଜ ବୁଡ଼ିଲା, ଅନ୍ଧାର ହେଲା; କିନ୍ତୁ କାଠ କୁଢ଼େଇ ଅଗି ଜଳାହେଲା, ଲୋକେ ଆପଣା ଆପଣା ଘରୁ ଡିବି ଆଣି ଏକାଠି କରୁ କରୁ ହେଲା ଦି’ପୁଞ୍ଜା ଡିବିରି, ଗୋଟି ଗୋଟି କରି ଗାଁର ବଡ଼, ସାନ, ସ୍ତ୍ରୀ ପୁରୁଷ ଟିମାକୁ ଅନୁରୋଧ କଲେ ଧୂଳିରେ ସେମାନଙ୍କ ନାଁ ଲେଖିବାକୁ । ଟିମା ଲେଖିଗଲା ପଢ଼ିଗଲା । ଗାଁଦାଣ୍ଡ ଭର୍ତ୍ତି ହୋଇଗଲା ତା ଅକ୍ଷରରେ ।

 

ଜକାଜକି ହୋଇ ସିଧା ସଳଖେ ଧାଡ଼ିଏ ଲେଖାଁ ଚାଳଘର, ଏମିତି ମୁହାଁମୁହିଁ ହୋଇ ଦି’ଧାଡ଼ି, ମଝିରେ କୋଡ଼ିଏ ହାତ ଓସାର ଦାଣ୍ଡ, ସେଠି ଗୋରୁବନ୍ଧା ଖୁଣ୍ଟିମାନ ରହିଛି, ଏଠି ସେଠି ଖଣ୍ଡେ ଖଣ୍ଡେ ପଥର ପଡ଼ିଛି, ବାକିତକ ଖାଲି ।

 

‘‘ଇଲୋ ମୋ ନାଁ ଲେଖିଦେଲା ଲୋ ।’’ ‘‘ଆରେ ମୋ ନାଁ ବି ।’’

 

କେଡ଼େ କପାଳ ଆମ ବୀମାର । ତା ପୁଅ ସବୁ ଲେଖି ଜାଣିଲାଣି ! ବଡ଼ ହେଲେ କ’ଣ ନ ହେବ ।’’

 

ଏମିତି ନାନାପ୍ରକାର ମନ୍ତବ୍ୟ ।

 

କିନ୍ତୁ ସବୁଠୁ ଆଗ୍ରହୀ ମନ୍ତବ୍ୟ ଥିଲା ଏହି ପ୍ରକାରର, ଯେ ବୀମାର ପୁଅ ଟିମା ଯେତେବେଳେ ବଡ଼ ହେବ, ସେତେବେଳେ ସବୁ ପଢ଼ିପାରିବ, ଲେଖିପାରିବ, ସାହୁକାରଠୁଁ ଆମେ ଟଙ୍କା ଋଣ ନେଲେ କେତେ ଦେଲା, କେତେ ଆମେ ଶୁଝିଲୁ, କେତେ ବାକିରହିଲା ସେ ଯେମିତି କ’ଣ ନାହିଁ କ’ଣ ଖାତାରେ ଲେଖିଦେଇଛି । ଆମେ ମୂରୁଖ ଲୋକ ବୁଝିନପାରି ଠକେଇରେ ପଡ଼ିଛୁ, ତା ଆଉ ହେବନାହିଁ । କେହି ଆମୁକୁ ହରବର କଲେ ଆମେ ଆମ ଟିମାକୁ କହିଲେ ସେ କାଗଜ ଖଣ୍ଡକରେ ଲେଖି ଡାକରେ ପକାଇଦେଲେ ଯେ ହେଲେ ଅଧିକାରୀ ଜଣେ ଇନ୍‍କ୍ୱାରି କରିବାକୁ ଚାଲିଆସିବ ତ । ଆଉ ଆମ ଖଜଣାଆଦି କଥା–‘‘ଆମେ ପଢ଼ାଲେଖା ଲୋକ ନୋହୁଁ ବୋଲି ତ ଠକିଠାକି ଲୋକେ ଆମ ଜମିବାଡ଼ି ନେଇଗଲେ, ଟିମା ଠିଆ ହୋଇପଡ଼ିଲେ, ଆଉ ଆମୁକୁ ଚିତା କାଟିବ କିଏ ?

 

ଅତଏବ ଆଠବର୍ଷ ବୟସର ଅଢ଼େଇ ହାତ ଉଞ୍ଚ ଟିମା କନ୍ଧ ପକ୍ଷରେ ଓଡ଼ିଆ ବର୍ଣ୍ଣମାଳା ଶିକ୍ଷା ସେହି କନ୍ଧ ଗାଁ ପକ୍ଷରେ ହେଲା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟନା । ସଙ୍ଗେ ସଙ୍ଗେ ଛାଁକୁ ଛାଏଁ ଗାଁରେ ସେ ରାତିକ ଗୋଟିଏ ଉତ୍ସବ ଆରମ୍ଭ ହୋଇଗଲା । କେହି କାହାକୁ କହିନାହିଁ ଉତ୍ସବ କର ବୋଲି; କିନ୍ତୁ ହଠାତ୍ ବଡ଼ ଢୋଲ ‘ଲିସେଣି’ ଢାଉଁ ଢାଉଁ, ହୋଇ ନାଚର ବାଜା ବାଜି ଉଠିଲା, ତା ସଙ୍ଗରେ ମିଶିଗଲା ଟମକ ମାଡ଼, ମୁଣ୍ଡରେ ମୟୂର ପିଞ୍ଛ ବାନ୍ଧି ହାତରେ କିଏ ଗାମୁଛା, କିଏ ମୟୂର ପିଞ୍ଛ, କିଏ ଠେଙ୍ଗା, କିଏ ଛାଞ୍ଚୁଣି ଯେ ଯାହା ପାଇଲା ଧରି ସ୍ତ୍ରୀ ପୁରୁଷ ଗୋଲ୍ ବୁଲି ବୁଲି ଅସମ୍ଭାଳ ହୋଇ ନାଚିଲେ, ମଦ ପିଇଲେ, ଆଉ ଗାଁ ସେମୁଣ୍ଡେ ଝଙ୍କା କୟାଁଗଛ ତଳେ ଅନ୍ଧାରେ ଅନ୍ଧାରେ ହାଣ ଖାଇଲା ଜାମିରି କନ୍ଧର ବୁଢ଼ା ହଡ଼ାଟି । ସେହି ଯେଉଁ ଗୋଟିକର ଲାଙ୍ଗୁଡ଼ ଅଗଟି ନଥିଲା, ଦେହଯାକ କଳା ଧଳା ହୋଇ ଛଉକା ଛଉକା ସେହି ଗୋଟିକ । ଗାଁ ଭୋଜିପାଇଁ ସେ ମାଉଁସ ହେଲା ।

 

ତହିଁ ଆରଦିନ ଟିମା ପୁଣି ବାହାରିପଡ଼ିଲା ପାଠପଢ଼ି ଯିବବୋଲି । ଶିକ୍ଷକ ପ୍ରତି କୃତଜ୍ଞତା ଜଣାଇ ବୀମା ଶିକ୍ଷକପାଇଁ ଗୋଟିଏ କୁକୁଡ଼ା ଓ ପାଞ୍ଚଟି ଡିମ୍ୱ ତା ହାତରେ ପଠାଇ ଦେଇଥିଲା । ଶିକ୍ଷକର ନା ଆଲ୍‍ଫ୍ରେଡ଼ ଓ୍ୱଲିଅନ୍ ବେର୍‍କେଟା । ସେ ତଳ ଦେଶର ଖ୍ରୀଷ୍ଟିଆନ୍ ଇସ୍କୁଲରୁ ଦିଆଯାଇଥିବା ଖାକି ହାଫ୍‍ପ୍ୟାଣ୍ଟ ଓ ଖାକି କାମିଜ୍ ପିନ୍ଧି ପଟା ପୁସ୍ତକ ଧରି ଟିମା ଯେତେବେଳେ ସେହି ଦେଢ଼ ମାଇଲ ବାଟ ଗଲା, ଜମି ହୁଡ଼ାରେ ଗଲାବେଳେ ଦେଖୁଥିଲା ଦି’ପାଖେ କୌପୁନୀ ପିନ୍ଧା କନ୍ଧଲୋକେ କାମ କରୁଛନ୍ତି, ପୁଣି ବୁଦା ବୁଦା ବଣବାଟରେ ଗଲା । ଦେଖିଲା କନ୍ଧଲୋକେ ଝାଟି କାଟୁଛନ୍ତି, ବାଉଁଶ ହାଣୁଛନ୍ତି, କନ୍ଦା ଖୋଳୁଛନ୍ତି, ସେତେବେଳେ ଆପଣା ବଡ଼ପଣର ଟେକରେ ତାର ଛାତି ଫୁଲି ଉଠୁଥାଏ । କିଛି ନ ହେଉଣୁ ଗାଁ ଭିତରେ ସେ ଗୋଟିଏ ନେତା, ଗାଁର ଆଶା ଭରସା, ତାର ପୋଷାକ ବି ଭିନେ । ସେହି ବାଟେ ବାଟ ପଡ଼ିଛି ତିନି କୋଶ ଦୂର ସାନ ସହର ଲେଲିବାଡ଼ିକୁ, ସାତ ହଜାର ଲୋକଙ୍କର ବାସ, ସେଠି କେତେ ସାହୁକାର, କେତେ ସରକାରୀ ଲୋକ, ଦୋକାନ ବଜାର, କଳ କାରଖାନା, ଆଉ ସେବାଟେ ଲମ୍ବା ବଡ଼ ସଡ଼କ ଯାଇଛି ବଣରାଇଜର ଆହୁରି ଭିତରକୁ, ପୁଣି ବଣରାଜରୁ ତଳ ରାଇଜକୁ ଯିବାକୁ । ଲେଲିବାଡ଼ି ସହରରେ କାଠ ବିକିବାକୁ କି ମୂଲ ଲାଗିବାକୁ ଦୂରରୁ ଦୂରରୁ ଲୋକେ ଆସନ୍ତି, ଟିମା ସେହିମାନଙ୍କ ସଙ୍ଗେ ଯାଏ । ସେଦିନ ସକାଳେ ବାଟ ଚାଲିଲାବେଳେ ମେଲ୍‍କାବାଡ଼ିର ଡେଙ୍ଗା ଲେଞ୍ଜୁ ଅର୍ଥାତ୍ ଚନ୍ଦ୍ର, କନ୍ଧ ତା ଉପରେ ନଇଁପଡ଼ି ତାକୁ କହିଲା ‘‘ଟିମା, ଦେଖୁଚୁଟି ଆମ ଦୁଃଖ, ବାଉଁଶ ଝୁଲି ଝୁଲି ମରେ, ଆଉ ଆମଭଳି ଯେ ପରଜା ସେ ବୁଲି ବୁଲି ମରେ । ତୁଇ ଏକା ଆମ ଆଶା ଭରସା, ବଡ଼ ହେଲେ ଭୁଲିଯିବୁ ନାଇଁତ ?’’ ଟିମା ତାକୁ ଅନାଇଁ ଅନାଇଁ ହସି ହସି ଗଡ଼ିଗଲା । ତାପରି ଟିକି ମଣିଷ ସଙ୍ଗେ ସମସରି ହେଲାପରି କଥାଭାଷା କରିବାକୁ ଲେଞ୍ଜୁକୁ ଆଦୌ ସଙ୍କୋଚ ଲାଗିଲାନାହିଁ; କାରଣ କନ୍ଧର ଏତେ ପାତ୍ରାପାତ୍ରି ଭେଦାଭେଦ ଜ୍ଞାନ ନଥାଏ, ତେଣୁ ସେ ଛୋଟପିଲାକୁ ବି ବଡ଼ ମଣିଷପରି ଭାବି ତା ସଙ୍ଗେ କଥାଭାଷା ହୁଏ । ଶୋବେନା କନ୍ଧ କହିଥିଲା, ‘‘ମନ ଦେଇ ପାଠପଢ଼ୁଥିବୁ ବାବୁ, ତୁ ବଡ଼ ମଣିଷ ହେଲେ ସିନା ଆମ କନ୍ଧ ଜାତିରେ ଦୁଃଖ ଯିବ, ନ ହେଲେ ଦିନ ଯାଇ ରାତି ଆସୁଥିବ ସିନା, ଆମ ଦୁଃଖ ଆଉ ଯିବ ନାହିଁ ।’’ ସେତେବେଳେ ବି ଟିମା ହସିଥିଲା ।

 

ଏମିତି ହସି ହସି ବଢ଼ି ଉଠୁଥିଲା ଟିମା । ତାର ଆଉ କେହି ଭାଇ ଭଉଣୀ ନଥିଲେ । ଜନ୍ମ ହୋଇଥିଲେ ଆଉ ଦୁଇ ଭାଇ ଗୋଟିଏ ଭଉଣୀ; କିନ୍ତୁ କିଏ ବସନ୍ତ ରୋଗରେ, କିଏ ଛାତିବଥା ସର୍ଦ୍ଦି ଆଉ ଜରରେ, କିଏ ଝାଡ଼ା ରୋଗରେ ମରିଯାଇଥିଲେ । ସେଥିରେ କିଛି ବିଚିତ୍ର ନଥିଲା । ସେମିତି ତ ସେମାନେ ପଲପଲ ହୋଇ ଜନ୍ମ ହୁଅନ୍ତି, ଆଉ ମରନ୍ତି । ଟିମା ଖାଇପିଇ କୋଦା ହେଉଥିଲା । ଏକା ତା ବାପା ବୋଉ ନୁହନ୍ତି, ଗାଁର ସମସ୍ତେ ତାକୁ ବହୁତ ସ୍ନେହ କରୁଥିଲେ, ସୁଆଦିଆ ଜିନିଷ ଖାଇବାକୁ ଦେଉଥିଲେ, ଏପରିକି ଖାତିର କରୁଥିଲେ । ପାଣ୍ଡ୍ରୁକନ୍ଧ ଯେତେବେଳେ ତାର ମହୁଲଗଛତଳର ବିଲକୁ ଜଗୁ ପାଢ଼ୀ ସାହୁକାରକୁ କଣ୍ଟବନ୍ଧକ ଦେଲା ସେତେବେଳେ କାଗଜ ଲେଖା ହେଲାବେଳେ ସେ ନଅବର୍ଷର ଟିମାକୁ ସଙ୍ଗରେ ନେଇ ପାଖରେ ରଖିଥିଲା । ଅବଶ୍ୟ କାଗଜପତ୍ର ଲେଖାଲେଖି କାମ ଟିମାର ବୁଝାମଣାର ବାହାରେ, ସେ ମୁଆଁ ଖାଇଲା, ପାଚଲା କଦଳୀ ଖାଇଲା, ଆଖୁ ଖଣ୍ଡେ ଧରି ଚୋବେଇଲା । ତାପରେ କାମ ସରିଲା ଉତ୍ତାରୁ ଘରକୁ ଫେରିଲା; କିନ୍ତୁ ପାଣ୍ଡ୍ରୁକନ୍ଧ ମନରେ ଦମ୍ଭ ହେଲା ଯେ ଟିମା ଦେଖିଛି, ଟିମା, ଲେଖିପଢ଼ି ଜାଣେ, ତେଣୁ ପରେ ଜଗୁ ପାଢ଼ୀ ତାକୁ ଠକି ପାରିବନାହିଁ । ଚାରିଆଡ଼େ ବାଘ ଖାଉଛି, କନ୍ଧ ଲୋକ କ୍ଷେତବାଡ଼ି ବୁଲି ଦେଖିବାକୁ ଭୟ, ସରକାର ଏ ଗାଁ ଲୋକଙ୍କୁ କେତେଗୁଡ଼ିଏ ବନ୍ଧୁକ ଦିଅନ୍ତୁ । ସାହୁକାରମାନେ ଅନ୍ୟାୟରେ କନ୍ଧମାନଙ୍କର ଜମି ମାଡ଼ି ବସିଛନ୍ତି, ସରକାର ଇନ୍‍କ୍ୱାଇରି କରି କନ୍ଧକୁ ତା ଜମି ଲେଉଟାଇ ଦିଅନ୍ତୁ, ସଡ଼କ ଖଣ୍ଡିଏ କରି ଦିଅନ୍ତୁ, ପୋଖରୀଟିଏ ନିହାତି ଦରକାର, ଏହିପରି ନାନାବିଷୟରେ ଟିମାକୁ ଦରଖାସ୍ତମାନ ଲେଖିବାକୁ ପଡ଼ୁଥାଏ, ଅବଶ୍ୟ ଏକଥା ସତ ଯେ ତା ହାତଲେଖାରେ ନାନା ଆକୃତିର ନାନାପ୍ରକାର ଅକ୍ଷର ଦେଖାଦିଏ, ବନାନ୍ କି ବ୍ୟାକରଣ କି ଭାଷା କୌଣସି ନିୟମ ମାନେନାହିଁ; କିନ୍ତୁ ସେଥିପାଇଁ କେହି ମନ ଦୁଃଖ କରେନାହିଁ, ଯାହା ପଛେ ହେଉ ଲେଖି ଦେଲେ ହିଁ ହେଲା, ଖଣ୍ଡେ ଲେଖା ଦାଖଲ କରିପାରିଲେ ହିଁ କନ୍ଧଭାବେ ଆପେ ଆପେ ସବୁ କାମ ହୋଇଯିବ, ସେ ସୁସ୍ଥିରେ ନିଶ୍ୱାସ ମାରେ । ସତକୁ ସତ ଯେତେବେଳେ ସେହିପରି ଲେଖାଗୁଡ଼ିଏ ଛାଡ଼ିଲା ଉତ୍ତାରୁ ମିରିଗିଶିଙ୍ଘାରୁ ମେଲ୍‍କାବାଡ଼ିଯାକେ ଗୋଟିଏ ସଡ଼କ ପଡ଼ିଗଲା ଓ ମେଲ୍‍କାବାଡ଼ିରେ ବୀମା କନ୍ଧର ଘର ପାଖରେ ସର୍ବସାଧାରଣଙ୍କ ପାଇଁ ଗୋଟିଏ ପକ୍କା କୂଅ ଖୋଳା ହେଲା । ସେତେବେଳେ ଦଶବର୍ଷ ବୟସ୍କ ଟିମାର ପ୍ରତିପତ୍ତି ସତେକି ପକ୍କାରେ ବନ୍ଧା ହୋଇ କାଳ କାଳକୁ ରହିଗଲା । ସମସ୍ତେ କହିଲେ, ‘‘ୟେ କେମିତି ହେଲା ? ଟିମା ଲେଖିବାରୁ ସିନା ।’’

 

କିନ୍ତୁ ସେ ଅଞ୍ଚଳରେ ଆଉ କେହି ଯାଇ ମିରିଗିଶିଙ୍ଘାରେ ପଢ଼ିଲେ ନାହିଁ, ଯେଉଁ ଦି’ ଚାରୋଟି କେବେ କଦବା ସେ ଚାହାଳୀକୁ ଗଲେ, ସେମାନେ କିଛିଦିନ ଉତ୍ତାରୁ କରଛଡ଼ା ଦେଲେ, ତାପରେ ଗଲେ ମହୁଲ ଗୋଟେଇ, କନ୍ଦା ଖୋଳି, ଗୋରୁ ଜଗି, ବିଲରେ କାମ କରି, କିନ୍ତୁ ପାଠପଢ଼ିବାକୁ ଗଲେନାହିଁ । ସମସ୍ତେ କହିଲେ ‘‘ପୂର୍ବରୁ ହୋଇନାହିଁ, ପାଠ ଆମୁକୁ ରୁଚେନାହିଁ, ଟିମାକୁ ଦେବତାମାନଙ୍କର ଦୟାହେଲା, ତା ବୋଲି ସମସ୍ତଙ୍କୁ ତ ହେବନାହିଁ ।’’

 

ମିରିଗିଶିଙ୍ଘାର ପାଠ ସରିଲା, ଟିମା ଗଲା ମେଲ୍‍କାବାଡ଼ି ବଡ଼ ଇସ୍କୁଲକୁ, ସେଇଠି ରହେ, ପଢ଼େ । ଖରାଛୁଟି କି ଦଶହରା ଛୁଟିହେଲେ ଗାଁକୁ ଆସେ । କିନ୍ତୁ ଏଣିକି ଧୀରେ ଧୀରେ ତାଠି ନାନାପ୍ରକାର ନୂଆନୂଆ ପରିବର୍ତ୍ତନ ହେବାର ଦେଖାଗଲା । ସେ ଆଉ ଟିମା କନ୍ଧ ନୁହେଁ । ତାର ବଡ଼ ନାଁ,–କେ. ଟିମାୟା ଦୋରା । ‘କେ’ ଅର୍ଥ ସେ ‘କାଡ୍ରାକା’ ଅର୍ଥାତ୍ ମଇଁଷି ବା ‘କୋଡ଼୍ରୁ’ ଗୋତ୍ରର । କନ୍ଧମାନଙ୍କ ଭିତରେ ନାନାଗୋତ୍ର, ଗୋତ୍ରର ନାଁ ମଣିଷର ନାଁ ଆଗରେ ବସେ । ‘ଦୋରା’ କହିଲେ ବୁଝାଏ କୌଣସି ମାନ୍ୟସ୍ପଦ ବ୍ୟକ୍ତି । ମେଲ୍‍କାବାଡ଼ିର କନ୍ଧ ସମସ୍ତେ କାଡ୍ରାକା ଗୋତ୍ରର । ଦୋରା ବୋଲାନ୍ତି ପ୍ରକୃତରେ ‘ଜାତପ୍ ଦୋରା’ କି ‘ମାଣ୍ଡିଙ୍ଗି ଦୋରା’ ଶ୍ରେଣୀର କନ୍ଧ, ଯାହାଙ୍କୁ କୁହାଯାଏ ‘ବୁଢ଼ାକନ୍ଧ’, ଯେଉଁମାନେ ଟିକିଏ ଶିକ୍ଷିତ ଥିବା ଅବସ୍ଥାରେ ପ୍ରାୟ ତେଲୁଗୁ ଭାଷା ଓ ଧରଣ କେଉଁଠି କେଉଁଠି ବା ଓଡ଼ିଆ ଭାଷା ଓ ଧରଣ ଆଦରି ନେଇଥାନ୍ତି, ଗୋରୁ ଖାଆନ୍ତି ନାହିଁ ଓ ସାଧାରଣ କନ୍ଧମାନଙ୍କଠୁ ନିଜକୁ ଉଚ୍ଚ ଜାତିର ବୋଲି ଭାବନ୍ତି । କିନ୍ତୁ ମେଲ୍‍କାବାଡ଼ିର କନ୍ଧ ଜାତପ୍ ଦୋରା କି ମାଣ୍ଡିଙ୍ଗି ଦୋରା ନୁହନ୍ତି, ସେମାନେ ସାଧାରଣ କନ୍ଧ । ତଥାପି ଛାତ୍ରପ୍ରତି ସ୍ନେହାତିଶଯ୍ୟରେ ଶିକ୍ଷକ ଆଲ୍‍ଫ୍ରେଡ୍ରି ଓ୍ୱିଲିଅମ୍ କେର୍‍କେଟା ଜାଣିଶୁଣି ତାକୁ ‘ଦୋରା’ ପଦ ଦେଇଥିଲେ ଯେପରି ସେ ତା ନାଁକୁ ଟିମାରୁ ବଦଳାଇ କରିଥିଲେ ଟିମାୟା, ଗୋଟିଏ ସାଧାରଣ ତେଲୁଗୁ ନାଁ । ସେହି ନାଁରେ ସେ ପ୍ରସିଦ୍ଧ ହେଲା ।

 

କେ. ଟିମାୟା ଦୋରା ଯେତେବେଳେ ଇସ୍କୁଲ ଛୁଟି ହେଲେ ଘରକୁ ଆସେ, କନ୍ଧ ଗାଁ ଭିତରେ ସେ ଗୋଟିଏ ଦେଖିଲାଭଳି ପିଲା । ତାର ଲମ୍ବା ପାଇଜାମା, ଅଙ୍ଗୀ, ଜୋତା, ତେଲ ଜିକି ଜିକି ମୁଣ୍ଡରେ ସିଧା ଫିରେଇ । ତାର ଡଉଲ ଡାଉଲ ମୁହଁ, ଚିକ୍କଣ ଚାକ୍କଣ ମୁହଁ, ତାର ହାବଭାବ, ଭାବଭଙ୍ଗୀ ସବୁ ଭିନେ । ଅଚିହ୍ନା ଗାଁର ଲୋକେ ତାକୁ ବାଟ ଘାଟରେ ଦେଖି ପକାଇଲେ ଶଙ୍କି ଯାଆନ୍ତି, ଦୂରେଇ ରହନ୍ତି, ଆପଣା ଆପଣା ଭିତରେ କଥା କୁହାକୋହି ହୁଅନ୍ତି ‘‘ୟେ ପୁଣି କେଉଁ ବିଚିତ୍ର ଅଧିକାରୀ । ବୟସରେ ପିଲାଟା, ଅଥଚ ଅଧିକାରୀ !’’ ସରକାରୀ କର୍ମଚାରୀ ବା କ୍ଷମତାପନ୍ନ ଲୋକକୁ ସେମାନେ ଅଧିକାରୀ ବୋଲି କହନ୍ତି । ଟିମାର ଗାଁ ଲୋକେ ତା ଚାରିପାଖେ ରୁଣ୍ଡ ହୁଅନ୍ତି, ଲଙ୍ଗଳା ଧୂଳିଧୂସର ଛୋଟ ପିଲାମାନେ ମେଞ୍ଚା ମେଞ୍ଚା ହୋଇ ବେକ ଭାଙ୍ଗି ତା ମୁହଁକୁ ଅନାଇଁ ରହନ୍ତି, ଅସନା ହାତରେ ଧରି ଏଣୁ ତେଣୁ କ’ଣ ଚୋବୋଉ ଚୋବୋଉ ପାଟିରୁ ନାଳ ଗଡ଼ିଯାଏ, ଟୁମୁକା ଟୁମୁକା ପେଟଉପରକୁ । ଚାରିଆଙ୍ଗୁଳିଆ କୌପୁନି ଖଣ୍ଡେ ଲେଖାଁ ମାରିଦେଇ ପୁରୁଷମାନେ ଓ ପିଲା ଝିଅମାନେ, ଅଣ୍ଟି ତଳକୁ ଖଣ୍ଡେ ଖଣ୍ଡେ ଚିରା ମଇଳା ଦେଶୀବୁଣା ଖଦି କି ଥାନ ଲୁଗା ଗୁରେଇଦେଇ ବୁଢ଼ୀ ଦର୍‍ହବୁଢ଼ୀମାନେ, ତଳେ ଖଣ୍ଡେ ଘେର ଉପରେ ଖଣ୍ଡେ ସାନ କରି ଗୁରେଇ ଯୁବତୀମାନେ ଟିମା ଚାରିକରେ ବେଢ଼ି ତା ସଙ୍ଗେ ଦୁଃଖସୁଖ ଥଟ୍ଟା ନକଲ ହୁଅନ୍ତି ଓ ରାଜ୍ୟଯାକର ସମସ୍ୟା ପଚାରନ୍ତି । ବାରମ୍ବାର ସେ ସେହି ପ୍ରଶ୍ନ ଶୁଣେ,–‘‘ଆମ ଜମିମାନ ଯେ ସାହୁକାରମାନେ ଠକିଠାକି ନେଇ ମାଡ଼ିବସିଛନ୍ତି ସରକାର କ’ଣ କରୁଛନ୍ତି ସେ ବିଷୟରେ ? ଡୁର୍କାଗୁଡ଼ାର ଜମି ନେର୍କାଗୁଡ଼ାର ଜମି କୁମୁଟିମାନେ ଖାଉଛନ୍ତି, ଯୋଡ଼ାଆମ୍ବର ଜମି ଉପରେ ବାରିଣି ପାଢ଼ୀ ଆଖୁ କ୍ଷେତ କରିଛି, ମଦ୍ୱା (ମଧୁମଙ୍ଗଳର ଡାକ ନାଁ) ପଣ୍ଡା ବେଜୁଣୀଗୁଡ଼ାର ଜମିତକ ଘେରେଇ କେଡ଼େ ବଡ଼ କଦଳୀ ବାଡ଼ି କରିଛି; କମଳା ତୋଟା କରିଛି, ଏବକୁ ମିଶେଇ ଦି’ ଦି’ପୁରୁଷ ହେଲା ଭୋଗ କଲେଣି, ସରକାର ଛଡ଼େଇ ନେବେଟି ? ଗାଁ ଶେଷରେ ମିରିଗିଶିଙ୍ଘା ଯାଉ ଯାଉ କୋଶ କୋଶଯାକେ ଯେଉଁ ବାଞ୍ଜାରି ଜମି ପଡ଼ିଛି (ବାଂଝର୍ ବୋଲନ୍ତେ ଚାଷୋପଯୋଗୀ ପତିତ ଜମି, ସେଠି ସେଇଟା ପତରା ଜଙ୍ଗଲ), ଆମୁକୁ ଦିଅ ଦିଅ ବୋଲି କେତେଥର ଆମେ ଲେଖିଲୁଣି, କ’ଣ ହେଲା ସେ ବିଷୟ ? ସେମାନେ ବୁଝନ୍ତି ନାହିଁ ଯେ ଟିମା ତାର ଛାତ୍ରାବାସରେ ହିଁ ଆବଦ୍ଧ ଓ ତାର ପାଠ୍ୟନିର୍ଘଣ୍ଟ ସଙ୍ଗେ ଏସବୁ ସମସ୍ୟାର କୌଣସି ସମ୍ବନ୍ଧ ନାହିଁ । ଟିମା ହସି ହସି ମୁଣ୍ଡ ଟୁଙ୍ଗାରେ, ଏଣୁତେଣୁ ଆଶାୟୀ କଥା ପଦେଅଧେ କହି ଦେଇ ଅବସ୍ଥା ଟାଳିଯାଏ । ସେମାନେ ତାର ଲୁଗାପଟା ବହିପତ୍ର ଓଲଟ ପାଲଟ କରି କୌତୁହଳରେ ଦେଖନ୍ତି । ସେମାନଙ୍କ ହାତରୁ ସେଥିରେ ମଇଳା ଲାଗିଯିବ ବୋଲି ଟିମା ଚିନ୍ତିତ ହୁଏ, କୁଣ୍ଠିତ ହୁଏ, ସେମାନେ ଛଳ କରନ୍ତି ନାହିଁ, ତାଙ୍କର କୌତୁହଳ ବଢ଼େ । ସେମାନେ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି ଯେ ସେ ଦାନ୍ତ ଘଷେ; ତହିଁରୁ ଆଶ୍ଚର୍ଯ୍ୟ କଥା,–ସେ ପାତିଆରେ ରାମ୍ପି ରାମ୍ପି ଜିଭ ଛେଲେ, ଝାଡ଼ା ଫେରିଗଲେ ପାଣିରେ ଶୌଚ ହୁଏ, ମାଟିହାତର କରେ, ଲଙ୍ଗଳା ହୋଇ ଗାଧାଏ ନାହିଁ । କେତେବେଳେ ହେଲେ ଲଙ୍ଗଳା ସେ ହୁଏନାହିଁ, ଲୁଗା ପିନ୍ଧି ରହି ପୁଣି ଲୁଗା ବଦଳେ ।

 

ତା ଗାଁ ଲୋକଙ୍କଠି ଏସବୁ ଆଚାରର ଅଭାବ ଟିମାକୁ ଦୁଃଖ ଦେଉଥିଲା । ଖାଲି ସେତିକି ନୁହେଁ, ତାକୁ ଏ ପରିସ୍ଥିତିରେ ଯେପରିକି ସଙ୍କୁଚିତ ଲାଗୁଥିଲା । ଏଇ ବକଟେ ବକଟେ ଚାଳଘର, ଅଣ୍ଟାରୁ ଭାଙ୍ଗି ପଡ଼ି ନଇଁହେଲେ ତା ଦୁଆରମୁହଁ ବାଟେ ଗଳିବାକୁ ହୁଏ । ଭିତରକୁ ପଶିଗଲେ ଧୂଆଁ ଆଉ ନାନାଜାତି ଗନ୍ଧରେ ନାକ ରୁନ୍ଧି ହୁଏ । ଏ ଗାଁର ଦାଣ୍ଡ ଅପରିଷ୍କାର, ଅର୍ଦ୍ଦାଉଳିଆ, ଏ ଲୋକଙ୍କର ମୁଣ୍ଡରେ ବେତାଏ ଲେଖାଁ ଫୁରୁ ଫୁରୁ ବାଳ, ଉକୁଣୀ, ଲମ୍ବା ଲମ୍ବା ନଖ ତାତଳେ କଳା କଳା ହୋଇ ଅସନା, ଖାଲି କୌପୁନୀ, ଚିରାକନା, ଅଳିଆ–ମସିଆ,ଏହିପରି ଏ ଗାଁର ରୂପ । ସେ ସେମାନଙ୍କଠୁଁ ନିଜକୁ ସ୍ଵତନ୍ତ୍ର ବୋଲି ଭାବେ । ବେଳେବେଳେ ଲାଗେ ସତେ ଯେପରିକି ସେ ଗୋଟିଏ କୁଣିଆଁ, ପଦାରୁ ଆସି ଏ ଦୃଶ୍ୟ ଦେଖୁଛି, ଆଉ କେତେବେଳେ ଲାଗେ ଯେ ସେ ଏଠି ଥାଉ ଥାଉ ତାର ଆଉ କେଉଁ ବନ୍ଧୁ ଆସି ତାକୁ ଏ ପରିବେଷ୍ଟନୀରେ ଦେଖୁଛି, ଖାଲି ଦୁଃଖିତ ନୁହେଁ, ସେ ଲଜ୍ଜିତ ବି ହୁଏ । ସେତେବେଳେ ସେ ଅନୁଭବ କରେ, ସେ ନିଜେ କନ୍ଧ ନ ହୋଇ ସେ ତାର ସାଙ୍ଗମାନଙ୍କ ପରି ହୋଇଥିଲେ କେଡ଼େ ଭଲ ହୋଇଥାନ୍ତା । ସେ ଆପଣା ଭାଗ୍ୟକୁ ଧିକ୍କାର କରେ । ତାର ଗାଁ ଲୋକେ ଦେଖନ୍ତି ଟିମା ଜାମାଯୋଡ଼ ହୋଇ ହାତରେ ବହି ଖଣ୍ଡେ ଧରି ଅଲଗା ହୋଇ ଠିଆହୋଇ ରହିଛି । ମୁହଁ ଗମ୍ଭୀର । ତା ବୟସର ପିଲାଏ ଗଛ ଚଢ଼ି କାଇବସା ଭାଙ୍ଗି ଆଣି କାଇଡ଼ିମ୍ୱ ଭାଜୁଛନ୍ତି । ଦଳହୋଇ ଯାଉଛନ୍ତି ଠେକୁଆ ଶିକାର କରିବାକୁ, କାପ୍ତା ମାରିବାକୁ, ନହେଲେ ବଣରେ ଝାଟି ହାଣିବାକୁ, କନ୍ଦା ଖୋଳିବାକୁ, ଟିମା ଖାଲି ପୋଷାକ ପିନ୍ଧି ତୋଟାତଳେ ଟହଲୁଛୁ, ବହି ଧରି ବସୁଛି । ତା ଗାଁ ଲୋକେ ଆପତ୍ତି କରନ୍ତିନାହିଁ, ବରଂ କେହି କେହି କୁହାକୋହି ହୁଅନ୍ତି–‘‘ଟିମା କ’ଣ ସାଧାରଣ ପିଲା ହୋଇଛି ? ଆମର କାମ ହାତରେ ଗୋଡ଼ରେ, ତା କାମ ମୁଣ୍ଡରେ । ତା ମୁଣ୍ଡରେ ରାଜ୍ୟଯାକର ଚିନ୍ତା–ଯେ କେମିତି ଆମର ଅବସ୍ଥା ବଦଳିବ, ଆମ କନ୍ଧଲୋକେ ମଣିଷ ହେବେ, ଭାରି ବୁଦ୍ଧିଆ ପିଲା, ଯେତେବେଳେ ହେଲେ କ’ଣ ଗୋଟାଏ ଭାବୁଥିବ ।’’ କେତେବେଳେ ଟିମା ଲୁଗା ବଦଳି ପକାଇ କୋଡ଼ି ଧରି ବାପକୁ ସାହାଯ୍ୟ କରିବାକୁ ବାହାରେ । ସେତେବେଳେ ତା ବାପା କି ବୋଉ ତାକୁ ରୋକି ଦେଇ କହେ ‘‘ଥାଉ ଥାଉ ତୁ ଯା ଉଠ୍ ।’’ ଆଖପାଖ ଗାଁରୁ ଅନ୍ୟାନ୍ୟ କନ୍ଧମାନେ ତାକୁ ଦେଖିବାକୁ ଆସନ୍ତି, ବୁଢ଼ାବୁଢ଼ୀମାନେ ଆଶୀର୍ବାଦ କରନ୍ତି । ପୁଅ ଝିଅମାନେ ତାକୁ ଘେରି ବସିଲେ ସେ ସେମାନଙ୍କୁ ସହର ଓ ସଭ୍ୟତା କଥା କହେ, କେତେ କେତେବେଳେ ଉପଦେଶ ଦିଏ । ପୁଣି ପଡ଼େ ଦରଖାସ୍ତ ଲେଖିବା କାମ, କେବଳ ତା ଗାଁ’ପାଇଁ ନୁହେଁ, ଅନ୍ୟାନ୍ୟ ଗାଁ’ପାଇଁ ମଧ୍ୟ । ରାସ୍ତା, କୂଅ, ପୋଖରୀ, ଧାନ ଅମାର ଘର, ବଳଦକିଣା ଋଣ, ବନ୍ଧୁକ କେତେ କଥା ଦରକାର, ଆଉ ଜମି, ଅନ୍ୟାୟର ପ୍ରତିକାର ।

 

କ୍ରମେ ବେଳ ଆସିଲା ଯେତେବେଳେ ଟିମା ଛୁଟିରେ ବି ବେଶି ଆଉ ଗାଁକୁ ଆସିଲାନାହିଁ-। ଯେବେ ଆସେ ଅଳ୍ପଦିନ ରହି ଚାଲିଯାଏ । ଗାଁ ତାକୁ ଆରାଏ ନାହିଁ, ନିଜ ଲୋକ ଦିଶନ୍ତି କେଡ଼େ ଅଧଃପତିତ ମଣିଷ ପରି ।

 

ଊଣେଇଶବର୍ଷ ବୟସରେ ଶ୍ରୀମାନ୍ କେ. ଟିମାୟା ଦୋରା ମ୍ୟାଟ୍ରିକୁଲେସନ ପରୀକ୍ଷା ପାଶ୍ କରି ପଦାକୁ ଆସିଲା । କନ୍ଧର ବଳ ଓ ବଳିଲା ବଳିଲା ଦେହ ଉପରେ ସହରର ପୋଷାକ ଓ ଠାଣି । ତାର ମାତୃଭାଷା ଅତିପ୍ରାଚୀନ କୁଭି, ଇସ୍କୁଲରେ ମାତୃଭାଷା ଓଡ଼ିଆ; କିନ୍ତୁ ସେ କଥା କହେ ତେଲୁଗୁ ଭାଷାରେ, ଇଂରେଜୀ ଜାଣିଥିବା ଲୋକଙ୍କ ସଙ୍ଗେ ଇଂରେଜୀରେ । ସେ ସିଗାରେଟ୍ ଟାଣେ, ଦେହରେ ଶସ୍ତା ଅତର ଲଗାଏ, ବନ୍ଧୁମାନଙ୍କ ସଙ୍ଗେ ବୁଲେ ଓ ସିନେମା ଦେଖେ, ତାର ଆଚାରରେ ବିଚାରରେ କେଉଁଠି ହେଲେ ଆଦିବାସୀର କାଣିଚାଏ ନଥିଲା, କେବଳ ଛଲିକାଏ ଥିଲା ତାର ଗୋରା ମୁହଁର ଗଢ଼ଣରେ । ତାର ନାକ ଟିକିଏ ଚେପ୍‍ଟା, ଓଠ ଯୋଡ଼ିକ ମୋଟା, ଗାଲର ତଳେ ଉପର ହାଡ଼, ନାକତଳଠୁଁ ଥୋମଣି ଦାଢ଼ିଯାକ ଅଂଶଟି ଉପର ଅଧକ ସଙ୍ଗେ ଏକା ଧାରରେ ନଥାଇ ସାମ୍ନାକୁ ଟିକିଏ ଟେକି ହେଲାପରି । କିନ୍ତୁ ସେ ବି ଖାଲି ଆଦିବାସୀହିଁ ଚିହ୍ନ ନୁହେଁ, ଆଦିବାସୀ, ଅଣଆଦିବାସୀ ହଜାର ହଜାର ବର୍ଷଯାକେ ଏକାଠି ରହୁ ରହୁ ଅଣଆଦିବାସୀମାନଙ୍କ ଭିତରେ ବି ଏପରି ଅନେକ ଅଛନ୍ତି ଯେଉଁମାନଙ୍କ ମୁହଁକୁ ନୃତତ୍ତ୍ୱବିତ୍ କହିବେ ଆଦିବାସୀ ମୁହଁ ବୋଲି । ଖାଲି ଯେତେବେଳେ ଲେଲିବାଡ଼ିର ଗୋଟିଏ ସରକାରୀ ଅଫିସରେ ଖଣ୍ଡିଏ ଷାଠିଏ ଟଙ୍କିଆ କାର୍ଯ୍ୟପାଇଁ ସେ ଦରଖାସ୍ତ ଦେଲା, ସେତିକିବେଳେ ସେ ନିଜର ପରିଚୟ ଲେଖି ଦେଇଥିଲା ସେ ଆଦିବାସୀ, କନ୍ଧ । ଚାକିରି ବି ହୋଇଗଲା ।

 

ସେହି ଚାକିରିରେ ଥାଇ ସେ ବିଭାହେଲା; କିନ୍ତୁ କୁଭି-କନ୍ଧ ପରିବାରରେ ନୁହେଁ, ତଳ ଦେଶର ଗୋଟିଏ ତେଲୁଗୁଭାଷୀ ଜାତପ ଦୋରା ପରିବାରରେ । ସେମାନେ...କନ୍ଧ ଭାଷା ଜାଣନ୍ତି ବି ନାହିଁ, ସେମାନଙ୍କ ଆଚାର ପଦ୍ଧତି ସବୁ ଭଦ୍ର ଆନ୍ଧ୍ର ହିନ୍ଦୁ ପରିବାର ପରି । ଲେଲିବାଡ଼ି ସହରରେ ତା ଶ୍ୱଶୁର ନରସିଂଲୁ ଦୋରା ଧୂଆଁପତ୍ର ବ୍ୟବସାୟୀ, ତା ଛଡ଼ା ତାଙ୍କର ବହୁତ ଧାନ ଜମି ଓ ଆଖୁ ଜମି ଅଛି । କେବଳ ଆଖିରୁ ବର୍ଷକୁ ଆୟ ଦଶହଜାର ଟଙ୍କା । ଲେଲିବାଡ଼ିରେ ନରସିଂଲୁ ଦୋରାଙ୍କର ଖପର ଛାଉଣି କୋଠାଘର ଭଡ଼ା ଲାଗେ, ପକ୍କା ଛାତ କୋଠାଘରେ ସେ ନିଜେ ରହନ୍ତି-। ତଳଦେଶରୁ ଉଠି ଆସି ସେ ଲେଲିବାଡ଼ିରେ ବାସିନ୍ଦା ହୋଇଛନ୍ତି । ଦୁଇ ପୁଅ, ସେମାନେ ବେପାର ବୁଝନ୍ତି । ଗୋଟିଏ ବୋଲି ଝିଅ, ତା ପାଇଁ ତାଙ୍କ ନିଜ କୁଳରେ ପାତ୍ର ଖୋଜି ଖୋଜି ନପାଇ ଶେଷରେ ଦୋରାଏ ପାହାଚେ ଓହ୍ଲେଇଯାଇ ମଟରସାଇକଲ ଓ ଦୁଇ ହଜାର ଟଙ୍କା ସମେତ ତାଙ୍କ ଗେହ୍ଲା ଝିଅଟିକୁ କେ.ଟିମାୟା ଦୋରାର ହାତରେ ଦେଲେ ।

 

କିନ୍ତୁ ହାତର ଦେଲେ ଖାଲି ନାମକୁ ମାତ୍ର । ବାରହାତ ଶାଢ଼ି ପିନ୍ଧା ଅଳଙ୍କାର ଖଞ୍ଜା ରଜନୀ ତା ସ୍ୱାମୀ ଖାତିରିରେ ତାର ଶାଶୁ ଶଶୁରଙ୍କୁ ସ୍ୱୀକାର କରିବାକୁ ଓ ଗ୍ରହଣ କରିବାକୁ ଆପତ୍ତି କଲାନାହିଁ ସତ, କିନ୍ତୁ ତା ବୋଲି ସେ ମେଲ୍‍କାବାଡ଼ିର କୁଡ଼ିଆ ଘରେ ରହିବାକୁ ରାଜି ହେଲାନାହିଁ, ବାପ ଘରେ ରହିଲା । ତାପରେ ଟିମାର ଘର ବି ହେଲା ସେହି ଶ୍ୱଶୁର ଘର । କିନ୍ତୁ ସେ ବାପ ହାତକୁ ଦୁଇ ହଜାର ଟଙ୍କା ବଢ଼ାଇ ଦେଇ ଗାଁରେ ସଂପତ୍ତି ବଢ଼ାଇବାକୁ ପରାମର୍ଶ ଦେଲା । ବୀମା ଆବାକାବା ହୋଇଯାଇଥିଲେ । ପୁଅ ଏପରି ଶଶୁରଘର କରିବ ସେ କେବେ ଭାବି ନଥିଲା । ଏ ସମ୍ବନ୍ଧ ସତେକି ତା ସମାଜର ବାହାରେ । କିନ୍ତୁ କନ୍ଧ ନିଜ ଇଚ୍ଛାରେ ବିଭାହୁଏ । କନ୍ଧ ବିଭାରେ ବରର ବାପ ହିଁ କନ୍ୟାର ବାପକୁ ହଡ଼ାଟିଏ, ମଦ ଟିଣେ ଦି’ଟିଣ ଏହିପରି କିଛି ଦେଇ ଖର୍ଚ୍ଚ କରେ । କନ୍ୟା ଘରୁ ବର ଘରକୁ ଯୌତୁକ କି ଟଙ୍କା ଆସେନାହିଁ । ବୀମା ଟଙ୍କା ପାଇ ଖୁସି ହୋଇଥିଲା । ଗାଁ ଲୋକେ ଓ ବନ୍ଧୁବାନ୍ଧବ ଭୋଜି ଖାଇ ଖୁସି ହୋଇଗଲେ । କିନ୍ତୁ ସେହି ଦୁଇହଜାର ଟଙ୍କାକୁ ମୂଳଧନ କରି ବୀମା କନ୍ଧ ହେଲା ସାହୁକାର, ପରିବର୍ତ୍ତନ ତ ଟିମାର ଆଗରୁ ଆରମ୍ଭ ହୋଇଥିଲା, ବୀମାର ପରିବର୍ତ୍ତନ ଆରମ୍ଭ ହେଲା ସେହି ପୁଅ ବିଭାଘର ଦିନଠାରୁ । ନୂଆ ଅବସ୍ଥା ନୂଆ ଚଳଣିର ସ୍ଵପ୍ନରେ ତା ଆଖି ଜଳଜଳ ହେଲା, ଆଉ ତାର ପ୍ରତିଜ୍ଞା ତେଜିଲା ଯେ ସେ ବଡ଼ ଲୋକ ହେବ, କୋଠାଘର କରିବ, ତା ପୁଅ ବୋହୂ, ଆସି ସେହି କୋଠାଘରେ ରହିବେ । ପୁଅର ବି ତହିଁରେ ଏକମତ, ଅତର ବାସ୍ନାରେ ବାଟରେ ପବନ ମହକାଇ ସିଲ୍‌କ୍ ପାଇଜାମା ଉପରେ ସିଲ୍‍କ୍ ପଞ୍ଜାବୀ ପିନ୍ଧି ସିଗାରେଟ ଲଗାଇ ମଟରସାଇକଲ ଚଢ଼ି କେ.ଟିମାୟା ଦୋରା ଲେଲିବାଡ଼ିରୁ ମିରିଗିଶିଙ୍ଘା ବାଟେ ମେଲ୍‍କାବାଡ଼ି ଯା’ ଆସ କଲା ।

 

କିଛି ଲୋକେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ, ଆଶାୟୀ ହେଲେ, ଟିମା ଉପଯୁକ୍ତ ହେଲାଣି, ଧନୀ ହେଲାଣି, କେତେ ଉଞ୍ଚ ମହଲରେ ତାର ବୁଲାଚଲା । ଏଥର ତାଙ୍କର ଭାଗ୍ୟ ତେଜିବ, ଦୁଃଖ ଘୁଞ୍ଚିବ । ପଲ ପଲ ହୋଇ ପାଖରୁ ଦୂରରୁ ସେମାନେ ତାକୁ ଭେଟିବାକୁ ଆସିଲେ, ଦୁଃଖ ଗୁହାରି କଲେ । ତା ମୁହଁରେ ସେହି ପିଲାଦିନର ସୌଜନ୍ୟମୟ ହସ, ତା ସଙ୍ଗରେ ସିଗାରେଟ୍, ଅତର ବାସ୍ନା । ଆଉ ଆଶା,—ସେ ଭୁଲିବ ନାହିଁ ।

 

ତାର ଏ ଅବସ୍ଥାରେ ଲେଲିବାଡ଼ିର ସରକାରୀ ଅଫିସ୍ ତାକୁ ଆଉ ବେଶିଦିନ ଅଟକାଇ ପାରିଲାନାହିଁ । କାମ ସେ କରିବାକୁ ଲାଗିଲା ଧୀରେ ପୁଣି ସୁସ୍ଥେ, ଡେରି ହେଲା କି ଭୁଲ୍ ହେଲା ବୋଲି କେହି କହିଦେଲେ ସେ ଟାଣ ଟାଣ କରି ପଦକୁ ଦଶପଦ କହି ଦେବାକୁବି ଅଭ୍ୟାସ କରିନେଲା । ତାପରେ ଦିନେ ସେ ସେଠୁ ବିଦାୟ ନେଲା । ପଦାକୁ ଆସି କାଠପତର ବୋହି ଚାଲିଥିବା କନ୍ଧମାନଙ୍କୁ ତାଙ୍କ ନିଜ ଭାଷାରେ କହିଲା–

 

‘‘ଭାଇମାନେ । ତୁମେ ନିରନ୍ନ, ଅତ୍ୟାଚାରିତ, ଶୋଷିତ, ଦଳିତ, ମୁଁ ତୁମରି ସେବା କରିବାପାଇଁ ଚାକିରି ଛାଡ଼ି ପଦାକୁ ଚାଲି ଆସିଲି ।’’

 

ସେମାନେ ଆନନ୍ଦରେ କୁହାଟ ଛାଡ଼ିଲେ, ‘‘ତୁ ଆମର ବାପା, ଆମର ବୋଉ, ତୋର ବଡ଼ତି ହେଉ ।’’

 

ନେତୃତ୍ୱ ସେ ଖୋଜିବାକୁ ଯାଇନାହିଁ । ନେତୃତ୍ୱ ତା ମନକୁ ତା ପାଖକୁ ଆସିଥିଲା; କିନ୍ତୁ ଏକଥା ସତ ଯେ ସେ ହାଟ ପାଳିକି ହାଟ ପାଳି ଭିନ୍ନ ଭିନ୍ନ ହାଟକୁ ଯାଇ ସଭା କରିଥିଲା, ସେଠି କନ୍ଧ ଭାଷାରେ ବକ୍ତୃତା ଦେଇଥିଲା ଓ ତା ଚାରିପାଖେ ଭିଡ଼ ହୋଇଥିଲା । କୁଟ୍ରା-ଝୋଲା ହାଟରେ କନ୍ଧମାନେ ତାକୁ ଶୂନ୍ୟେ ଶୂନ୍ୟେ ଟେକିଧରି ହୋହା ହୋଇ ଡେଇଁଥିଲେ । ପ୍ରୋଡ଼ି ଟିକ୍ରା ହାଟରେ ବୁଢ଼ା ବୁଢ଼ା କନ୍ଧମାନେ ମୁହଁରେ ନିଶ ଦାଢ଼ି ଘଷି ତାକୁ ଗେଲ କରିଥିଲେ, କେତେଜଣ କାନ୍ଦିଥିଲେ । ସେଇଠି ସେ ଅନୁଭବ କରିଥିଲା ଯେ ମଣିଷର ତୁଣ୍ଡର କଥା ଖାଲି ପବନରେ ମିଳାଇଗଲା ଭଳି ଗୁଡ଼ାଏ ଶବ୍ଦ ନୁହେଁ, ସେହି କଥାର ସତେକି ହାତଗୋଡ଼ ଅଛି । ସେ ଲୋକଙ୍କୁ ନଚାଇ ପାରେ ମତାଇ ପାରେ, ପାଗଳବି କରିଦେଇପାରେ । ଆଉ ସେ ଭାଷା ବି ଅଛି ତାରି ତୁଣ୍ଡରେ । ଆଉ ତାର ଅଭିଜ୍ଞତା ହୋଇଥିଲା ଯେ ତୁଣ୍ଡର କଥାକୁ ଆଗରୁ ଗଢ଼ିବା ପ୍ରୟୋଜନ ହୁଏ ନାହିଁ । ପାଟି ଖୋଲୁ ଖୋଲୁ କଥାରେ କଥାରେ ଗୋଟାଏ ରୂପ ବାହାରେ, ସେ ରୂପ ପୁଣି କଲି ମେଲେ ଆହୁରି ରୂପ ଫୁଟାଏ, କଥା କୁହାଏ, କଥା କହୁ କହୁ କ’ଣ ଯେ ସେ କହି ଚାଲିଯାଏ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏତେ ଛବି ଏତେ ଭାବ ଏତେ ଅଭିସନ୍ଧି କେବେ ତା ନିଜ ଭିତରେ ଥିଲା । ଆପଣ କଥାରେ ଆପେ ତାକୁ ନିଶା ଲଗେ । ତା ଆଖିରୁବି ଲୁହ ବୋହିଥିଲା । ତା କାନରେ ବି ବାଜିଥିଲା ଆପଣା ଭିତରୁ ବାହାରିଥିବା ଅରଣା ରଡ଼ି, ଆପଣା ନିଃଶ୍ୱାସର ତାତି ତା ନିଜ ମୁହଁକୁ ବି ତତଲା, ମନ ହେଉଥିଲା ଯେ ପାଟି ଖୋଲିଲେ ଯେଉଁ ତୋଫାନ ସେ ମେଲି ଦେଉଛି ସେଥିରେ ନିଜେ ଆଗେ ସେ ଭାସିଯିବ ।

 

କିନ୍ତୁ ସେହି—ସେ କହିଲା ବେଳତକ । ମଟରସାଇକଲ ଚଢ଼ି ପୁଣି ସେ ଯେତେବେଳେ ତା ଶଶୁର ଘରକୁ ଫେରିଆସେ ତାକୁ ଲାଗେ ଯେ କଳ୍ପିତ ବିପ୍ଳବୀ ଟିମା କନ୍ଧକୁ ସେ ସେହି ହାଟରେ ଛାଡ଼ି ଦେଇ ଚାଲିଆସିଛି । ସେ କେ. ଟିମାୟା ଦୋରା, ସେ ଭିନ୍ନେ ଲୋକ । କିନ୍ତୁ ଟିମା କନ୍ଧର ଅନୁସରଣିଆ ଦଳ ଟିମାୟା ଦୋରାକୁ ତା ଶଶୁର ଘରେ ଖୋଜି ବାହାର କରନ୍ତି, ଦଳ ଦଳ ହୋଇ ଆସି ପହଞ୍ଚନ୍ତି ସେମାନେ । ଆଖିରେ ଔତ୍ସୁକ୍ୟ, ସେମାନେ ନିର୍ଦ୍ଦେଶ ଆଉ ନେତୃତ୍ୱ ଖୋଜନ୍ତି-। ‘‘ବାଟ ଦେଖାଅ–କ’ଣ କରିବାକୁ କହୁଛ କୁହ–ଚାଲ, ଆଖି ବୁଜି ତୁମ ପଛେ ଧାଇଁଯିବୁ-।’’ ଲେଲିବାଡ଼ି ଅଳ୍ପଦିନେ ଦେଖିପାରିଲା ଯେ ଟିମାୟା ଦୋରା ଆପେ ଆପେ ଜଣେ ନେତା, ତାକୁ ଚାହିଁ ଆଖିବୁଜି ଚାଲିଯାଇ ହେବନାହିଁ ।

 

ଆଗ ତାକୁ ସତର୍କ କରିଦେଲେ ଚତୁର ନର୍ସିଂଲୁ, ତାର ଶଶୁର । ସେ କହିଲେ, ‘‘ଆଜିକାଲି ଲୋକଙ୍କ ମତ ଘେନି ସରକାର, ଲୋକେ ଯାହା କଥା ମାନି ଚଳିବେ ସେ ତ ବଳେ ବଳେ ନେତା ହୋଇଗଲା, ତା କଥା କାଟୁ କରିବ, ତେଣୁ ଅନ୍ୟଲୋକେ ତାକୁ ପଟାପଟି କରି ନିଜ ଆଡ଼ିଆ କରି ରଖିବାକୁ ପ୍ରାଣପଣେ ଚେଷ୍ଟା କରିବେ । ଏଣିକି ତୁମ ଉପରେ ନିର୍ଭର କରୁଛି ତୁମେ କେଉଁ ବାଟ ଧରିବ । ତୁମେ ଲୋକଙ୍କର ପ୍ରିୟପାତ୍ର ହୋଇ ଭୋଗ ଭାଗ୍ୟ କରିପାର, ନ ହେଲେ ତୁମ ଦଳବଳଙ୍କୁ ମତେଇ ଏପରି କାମ କରିପାର ଯହିଁରେ ତୁମେ ଲୋକଙ୍କ ବିଷ ଦୃଷ୍ଟିରେ ପଡ଼ିବ, ମାଲିମକଦ୍ଦମା ଗଣ୍ଡଗୋଳରେ ପଡ଼ି ହଲାପଟା ହେଉଥିବ । କନ୍ଧ ଲୋକଙ୍କୁ ମତେଇ ନଚେଇ ଦେବାକୁ କେତେ ଦଣ୍ଡ ଅବା ଲାଗିବ ।’’

 

ନର୍ସିଂଲୁ ଦୋରାଙ୍କ ସହରିଆ ଘରେ ସୁସ୍ଥରେ ବସି ଟିମା ତାର ଭାବ ଉଚ୍ଛ୍ୱାସକୁ ତଉଲି ତଉଲି ଦେଖିଲା, ସାମ୍ନାରେ ଟେବୁଲ ଉପରେ ଫେଣ-ଫେଣୁଆ କଫି ଗିଲାସ, ମୁଆ ପିଠା, ଚଟଣି ଓ ତରକାରୀ । ଏ କୋଠା ଦମ୍ଭିଲା, ନିଧଡ଼କ । ଏ ଛାତତଳେ ସୁସ୍ଥି ଅଛି, ଶାନ୍ତି ଅଛି, ଜିଭକୁ ଲୋଭା ଖାଦ୍ୟର ପ୍ରାଚୁର୍ଯ୍ୟ ଅଛି । ଆଉ ଅଛି ତାର ସ୍ତ୍ରୀ ରଜନୀ । ତାର ଅନ୍ୟ ବୃତ୍ତି ଘଟିନାହିଁ, କିନ୍ତୁ ବଳେ ଘଟିଯିବ । ଶଳାମାନଙ୍କ ପରି ସେ ବି ତା ଶଶୁରର ବ୍ୟବସାୟ ବୁଝାବୁଝି କରିପାରେ, ନହେଲେ ସେମିତିକା ଅନ୍ୟ କୌଣସି ବ୍ୟବସାୟ ସେ ନିଜେ ପକାଇ ପାରେ, ଶଶୁର ବୁଲେଇ ବୁଲେଇ କେତେଥର ଆଭାସ ଦେଲେଣି, ସେ ସାହାଯ୍ୟ କରିବେ । ଆରପାଖେ ନେତୃତ୍ୱର ମୋହ ।

 

କିନ୍ତୁ ପ୍ରକୃତରେ କ’ଣ ତାର ଇଚ୍ଛା ? ହାଟର ବକ୍ତୃତାରେ ଯେତେ କଥା ତା ମୁହଁରୁ ଖଇ ଫୁଟିଲା ପରି ଖସି ପଡ଼ିଥିଲା ତାର ସ୍ଵରୂପକୁ ସେ ଆଉଥରେ ଦେଖିଗଲା । ଲାଗିଲା,—ତା ନିଜ ଲୋକେ କେଡ଼େ ଅଶିକ୍ଷିତ ଅସନା କେଡ଼େ ତଳେ ପଡ଼ିଛନ୍ତି । ସତେ କ’ଣ ସେମାନଙ୍କ ସଙ୍ଗେ ଏକ ହୋଇ ସେ ରହିପାରିବ, ଚଳିପାରିବ । ସେ ବାଳ- ଫୁରୁଫୁରୁ ନୁଖୁରା ମୁଣ୍ଡ ନୁଖୁରା ଦେହ କୌପୁନିପିନ୍ଧା ଲୋକଙ୍କ ରହଣି ସେ ଆଉ ଆଦର ନେଇପାରିବ ନାହିଁ । ସେମାନେ ଉପରକୁ ଉଠି ତା ପାଖକୁ ଆସିବେ ଆସନ୍ତୁ, ସେ ତଳକୁ ଖସିପାରିବନାହିଁ । ବଣ ପାହାଡ଼ ଭିତରେ ସେହି ଦୁଃଖ-କଷ୍ଟର ଜୀଉଣା,—ବାଘ ରୋଗ ଆଉ ପରିଶ୍ରମର ଦାଉ–ସେ ତହିଁରୁ ଉଧରି ଆସିଛି, ଶିକ୍ଷିତ ହୋଇଛି, ସଭ୍ୟ ହୋଇଛି, ସେ ବି ତାର ଆଉ ନୁହେଁ । ସେ କୌପୁନି ପିନ୍ଧି ଖରାରେ ବୁଲି ପଥର ଭାଙ୍ଗିବ ନାହିଁ, ମାଟି ତାଡ଼ିବ ନାହିଁ, କାନ୍ଧରେ ବୋଝ ବୋହିବ ନାହିଁ, ମାଟି କାଦୁଅ ଗନ୍ଧ ଅସନାକୁ ଓହ୍ଲେଇ ଯାଇପାରିବ ନାହିଁ, ସେ ସେ ଗୋଠର ହିଁ ନୁହେଁ, ସେ ଦଳର ଚାଳକ ବା ଶାସକ ହୋଇପାରେ ସିନା, ସେଥିରେ ମିଶିପାରିବ ନାହିଁ ।

 

ଭାବୁ ଭାବୁ ତାର ଅତୀତ ମନେପଡ଼ିଗଲା, କେତେ ନିରୀହ ଆଖିର ମୌନ ଆବେଦନ, ସେଥିରେ ଅଖଳା ସ୍ନେହ ଥିଲା, ଆଶା ଥିଲା । ତାର ଛାତିଭିତର ମନ୍ଥି ଚକଟି ହେଲା । ମେଲ୍‍କାବାଡ଼ି ସେ ଯାଏ; କିନ୍ତୁ ଅଳ୍ପ ଯାଏ । ଗଲେ ଯେପରିକି ଗାଁର ପିଲା ଘରକୁ ଫେରିଲାପରି ନୁହେଁ, ବାହାରୁ କେଉଁ ବଡ଼ଲୋକ ବୁଲିଆସିଛି । ମୁରବିପରି ସାଉଁଳା ସାଉଁଳା କରି ସେ କଥା କହେ, ଦୟା ଦେଖାଇଲାପରି ଠାଣିରେ ଚାଲିରେ କଥାରେ ହାବଭାବରେ ଆପଣାର ବଡ଼ପଣ ଦେଖାଇ କଥାରେ ଚମକ ଲଗାଇଦେଇ ପୁଣି ସେ ଫେରିଆସେ । ଆପଣାର ବିବେକ ତାକୁ ଦୋଷ ଦେଲା । ଯେପରି ସେ କେତେ ବଡ଼ ଅକୃତଜ୍ଞତା କରିଛି, ପାପ କରିଛି; କିନ୍ତୁ ଅଳ୍ପ ଦିନ ଗଲାପରେ ସେ ଅପଣା ଭିତରୁ ଯୁକ୍ତି ବାହାର କରି ଆପଣାକୁ ବଳ ଦେଲା–ସେ ସଭ୍ୟ, ଶିକ୍ଷିତ, ଭଦ୍ର,–ସେମାନେ ତା ନୁହନ୍ତି । ସେମାନଙ୍କର ସେ ଉପକାର କରିବାକୁ ଚେଷ୍ଟା କରିବ । ଦରଖାସ୍ତ କ’ଣ କମ୍ ଲେଖିଛି ? ଇସ୍କୁଲ ବସାଇବ, ଡାକ୍ତରଖାନା ଖୋଲାଇବ, ରାସ୍ତା ପକାଇବ, ସେମାନେ ମୂଲ ପାଇଲାଭଳି କାମଧନ୍ଦା ବନ୍ଦୋବସ୍ତ କରିଦେବ, ସେମାନଙ୍କ ପ୍ରତି ବଡ଼ଲୋକଙ୍କର ଓ ଧନୀଲୋକଙ୍କର ଯେପରି ଦୟା ହେବ ସେଥିପାଇଁ ସେ ଯତ୍ନ କରିବ । ବଡ଼ ଲୋକଙ୍କ ସଙ୍ଗ ଛିଣ୍ଡିଲେ ତା କରି ହେବନାହିଁ; ବରଂ ଆହୁରି ଘନିଷ୍ଠତା କଲେ ହୋଇପାରେ । ସେହି ମାର୍ଗ ସେ ବାଛିନେଇଛି-। ସେହି ମାର୍ଗରେ ସେ ଚାଲିବ ।

 

ମନ ଭିତରେ ଆହୁରି କିଛି କିମ୍ବା କିନ୍ତୁ ତାଠିଁ ରହିଗଲା, ଆହୁରି କିଛି କ୍ଷୋଭ ଆଉ ଗ୍ଳାନି; କିନ୍ତୁ ତାକୁ ଢାଙ୍କିପକାଇବାକୁ ସେମାନଙ୍କର ଦୋଷ ହିଁ ସେ ବାଛି ବାଛି ଆଖିଆଗରେ ରଖିଲା-। କାହିଁକି ସେମାନେ ପଶୁ ପରି ଚଳିବାକୁ ଭଲପାଉଛନ୍ତି ? କାହିଁକି ସେମାନେ ବୁଝୁନାହାନ୍ତି, ଶିଖୁନାହାନ୍ତି, ଭଲ ବୁଦ୍ଧି କରୁନାହାନ୍ତି ? ଘର ଅଗଣା ସଫା ରଖୁନାହାନ୍ତି, ସଫା–ସୁତୁରା ପିନ୍ଧୁନାହାନ୍ତି, ପାଠପଢ଼ୁ ନାହାନ୍ତି, କେତେ କଥା କରୁନାହାନ୍ତି । ବଡ଼ବଡ଼ିଆଙ୍କ ସଂପ୍ରଦାୟରେ ସେମାନଙ୍କ ବିରୁଦ୍ଧରେ ଯେତେ ସମାଲୋଚନା ଓ ଯୁକ୍ତି ସେ ଶୁଣିଥିଲା, ସବୁ ସେ ଠୁଳ କଲା ଆପଣାକୁ ବଳ ଦେବ ବୋଲି, ଏପରିବି ଭାବିଲା–ଯେ ଲୋକେ ବାଘ ଖାଉଛି ବୋଲି ହୁରି ପକାଉଛନ୍ତି, କିନ୍ତୁ ଯେଉଁ ଅଗ୍‍ନାଗ୍ନି ବନସ୍ତ ଭିତରେ ବାଘର ବାସ ଠିକ୍ ସେଇଠି ତା ମୁହଁ ଉପରେ ଘର ବାନ୍ଧି ରହିବାକୁ ତାଙ୍କୁ କିଏ ସେ ଦେଇଛି ? ଯେଉଁଠି ପାଣିର ଆଧାର, ଖାଲି ପଥୁରିଆ ଟାଙ୍ଗି, ସେଇଠି ତାଙ୍କ କ୍ଷେତ କରିବାକୁ ତାଙ୍କୁ କିଏ କହିଛି ? ପର୍ବତ ଉପରେ ଗାଁ ବସେଇବାକୁ କିଏ କହୁଛି-? ସେମାନେ ଏତେ ବଣ ହାଣୁଛନ୍ତି କାହିଁକି ? ଗରିବ ହେଲେ ବୋଲି ଅନ୍ୟ ବୃତ୍ତି କ’ଣ ନାହିଁ-?

 

ସେମାନଙ୍କ ସପକ୍ଷରେ କି ବିପକ୍ଷରେ ଯେତେ ଯାହା ସେ ଭାବିଗଲା ସବୁ ଯେପରିକି ଦୂରରୁ ଦୂରରୁ, ଯେପରିକି ସେ ତାଙ୍କର କେହି ନୁହେଁ, କେବଳ ଦୂରରୁ ଦେଖେଣାହାରୀ, ଅତି ବେଶିରେ ଜଣେ ହିତାକାଙ୍‍କ୍ଷୀ, ନିଜେ କନ୍ଧ ନୁହେଁ ।

 

ଏଇ ଭାବନାରେ ସେ ତା ମନର ସୁସ୍ଥି ପାଇଲା, ଆଚରଣରେ ପାଇଲା ସମନ୍ୱୟ । ସେ ଉପଦେଶ ବାଣ୍ଟିଲା, ଆଶା ଦେଲା, ତେଣୁ ତା ପଛରେ ଦଳ ଗୋଡ଼ାଇଲେ । ଏପାଖେ ସେ ହୋଇ ରହିଲା ନର୍ସିଂଲୁ ଦୋରାଙ୍କ ଜୋଇଁ; ତେଣୁ ସମାଜରେ ବ୍ୟବସାୟ କ୍ଷେତ୍ରରେ ଯେଉଁମାନେ ତାଙ୍କର ବନ୍ଧୁ କି ବନ୍ଧୁଙ୍କର ବନ୍ଧୁ ସେମାନଙ୍କ ସଙ୍ଗରେ ତାର ବନ୍ଧୁତା ଓ ବୁଲାଚଲା ରହିଲା, ସେମାନଙ୍କ ଦୃଷ୍ଟିରେ ସେ ହେଲା ଗୋଟିଏ ପ୍ରୟୋଜନୀୟ ସିଢ଼ି କି ପୋଲ, କାରଖାନାରେ କନ୍ଧ ମଜୁରିଆମାନେ ମୂଲପାତି ସୁଖ-ସୁବିଧାପାଇଁ ବଡ଼ପାଟି କଲେ ତାଙ୍କୁ ବୁଝାଇସୁଝାଇ ବାଟକୁ ଆଣିବାକୁ ତାଠୁ ପଦେ ହେଲେ କାମ ହୋଇଯିବ, ହଠାତ୍ ଗୁଡ଼ିଏ ମୂଲିଆ ଆବଶ୍ୟକ ହେଲେ ସେ ଖବର ପଠାଇଲେ ସେମାନେ କାହିଁ ଦୂରରୁ ଦୂରରୁ ଧାର ଲମ୍ବି ଆସିବେ, କେଉଁ ଗାଁର କନ୍ଧ ସୋରିଷ ଆମଦାନୀ କରନ୍ତି, କିଏ ଆଣନ୍ତି ହଳଦି, କିଏ ରାଶି କି ଜଡ଼ା କି ଅଲସି କି ମାଣ୍ଡିଆ, କେତେଲୋକ ଆଖୁ ବି କରନ୍ତି । ଟିମାୟା ଦୋରା ମଧ୍ୟପାତ୍ର ହେଲେ ତାରି ସୁପାରିଶ ଅନୁସାରେ ସେମାନେ ସାହୁକାର ବାଛି ସାହୁକାରର ଲାଭ ହେଲାଭଳି ଦରରେ ଜିନିଷ ଦେଇଯାଆନ୍ତି । ସେମାନଙ୍କଠୁଁ ଯେ ଯେଉଁ ପ୍ରକାରର ଲାଭ ଉଠାଇବାକୁ ଇଚ୍ଛାକରୁ ମଝିରେ ଟିମାୟା ଦୋରା ବାଟେ ଗଲେ ସେମାନଙ୍କ କାର୍ଯ୍ୟର ସୁବିଧା ହୁଏ । ସେପାଖରେ କନ୍ଧମାନେ ମଧ୍ୟ ତାଠିଁ ବିଶ୍ୱାସ ରଖିଲେ । ଉନ୍ନୟନ କାର୍ଯ୍ୟ ହେଉଁ ହେଉଁ ଯେତେବେଳେ କେଉଁଠି ସଡ଼କ, କେଉଁଠି ନାଳବନ୍ଧା, କେଉଁଠି ଇସ୍କୁଲ ଘର, କେଉଁଠି କୂଅ ପୋଖରୀ ଟିଏ ଟିଏ ହୁଏ, ଅନେକ ସ୍ଥାନରେ, ବିଶେଷତଃ ଯେଉଁଠିକି ତାର ମଟରସାଇକଲ ଯାଇପାରିବ ସେଠି ଥରେ ଅଧେ ତାକୁ ଦେଖାଯାଏ ଓ କନ୍ଧମାନେ ଭାବନ୍ତି ସବୁ ତାହାରି ଉଦ୍ୟମର ହିଁ ଫଳ ।

 

ତାପରେ ଥରେ ଦିନ ଆସିଲା ଯେତେବେଳେ କେ. ଟିମାୟା ଦୋରାକୁ ପଦାକୁ ଯିବାକୁ ପଡ଼ିଲା, ଆଉ ଲୋକଙ୍କ ସଙ୍ଗେ ମିଶି ନିଜର ମତକୁ ପ୍ରକାଶ କରିବାରୁ ଓ କାର୍ଯ୍ୟରେ ଫଳାଇବାକୁ ସୁଯୋଗ ମିଳିଲା, ପ୍ରତିଷ୍ଠାର ଢେଉ ଉପରେ ସବାର ହୋଇ ଲେଲିବାଡ଼ି ଛାଡ଼ି ବଡ଼ ପାହାଡ଼ର ମେଘନାଦ ପାଚିରି ଟପି କେତେ ନଈନାଳ ଡେଇଁ ଗୋଟିଏ ବଡ଼ ସହରରେ ବଡ଼ ବସାରେ ସେ ଆସି ପହଞ୍ଚିଗଲା; ସେଠି ଲୋକେ ତାକୁ ସ୍ୱାଗତ କଲେ । ସେମାନଙ୍କ ଆଖିରେ ସେ ଜଣେ ଶିକ୍ଷିତ କନ୍ଧ ମୁରବି, ତା କଥା ହଜାର ହଜାର ଲୋକ ମାନନ୍ତି, ହଜାର ହଜାର ଲୋକଙ୍କ ମନରେ ଯେଉଁ ଧାରଣା ଯେଉଁ ବିଚାର ରହିଛି ତା ସହିତ ଏକ ହୋଇପାରି ସେମାନଙ୍କ ବିଶ୍ୱାସ ଓ ସମ୍ମାନ ପାଇପାରିଛି ଏ ଲୋକ; ତେଣୁ ସେ ଅସାଧାରଣ ।

 

ସେ କହିଲେ କଥା କାଟୁକରେ, ଲୋକେ ତାକୁ ଖାତିରି କରନ୍ତି । ମନକଲେ କାହାର ଅନିଷ୍ଟ ବି ସେ କରିପାରିବ । ତା ପଛରେ ଦଳ ଦଳ ହୋଇ ଗୋଡ଼ାନ୍ତି । ତାକୁ ଡାକନ୍ତି ସଭାରେ ବକ୍ତୃତା ଦେବାକୁ, କେବେ କେଉଁ ଅନୁଷ୍ଠାନର ଶୁଭ ଦେବାକୁ ବି । ସମ୍ମାନ ଓ ଅଭ୍ୟର୍ଥନା ପାଇ ତାର ମନ ଫୁଲିଉଠେ ।

 

ଅବସ୍ଥାଚକ୍ରରେ ତାର ଯେପରିକି ଗୋଟିଏ ନୂଆ ଅବତାର ହୋଇଯାଇଛି । କିପରି ତାହା ସମ୍ଭବ ହେଲା, କେଉଁଠୁ ଏପରି ସୁଯୋଗ ଆସିଲା ଏତେ କଥା ଭାବି ସେ ମୁଣ୍ଡ ଖେଳାଏନାହିଁ-। ତାର ଅବସ୍ଥା ବଦଳିଛି, ଧନ ବଢ଼ିଛି, ସୁବିଧା ଆସିଛି, ଏଣିକି ତା ଆଗରେ ଅନ୍ୟ କାର୍ଯ୍ୟକ୍ରମ ନାହିଁ, କେବଳ ବୁଲିବା, ଭାଷଣ ଦେବା, କେତେବେଳେ କିଛି ଲେଖିବା ।

 

ତା ଜୀବନର ଏହି ଅବସ୍ଥାରେ ସେ ସହରରୁ ସହର କେତେ ବୁଲି ବୁଲି ଦେଖିଲା, ସେସବୁ ତହିଁରୁ ବଳି ତହିଁରୁ ବଳି, ସେଠି ଅଶେଷ ଧନରାଶି, ଅସଂଖ୍ୟ ଲୋକ, ନାନାବିଚିତ୍ର ଉଦ୍ୟମ ଓ କାର୍ଯ୍ୟ । ଶିକ୍ଷା ଓ ଶିଳ୍ପର ସେଠି ବିପୁଳ ପ୍ରସାର । ସେଠି ମାଳ ମାଳ କୋଠା ଥାକ ଥାକ ହୋଇ ଆକାଶକୁ ମୁଣ୍ଡ ଟେକିଛି, ରାତିରେ ବି ଆଲୁଅ ଦାଉ ଦାଉ । ସେଠି ଭାବନା ନୁହେଁ କିପରି କିଏ କୁଡ଼ିଆଟିଏ ଟେକିବ, ସେଠି ଭାବନା ସେ ଦୁଇମହଲା କୋଠା କେମିତି ଚାରିମହଲା ହେବ ।

 

‘‘ଦୋରାଜୀ–’’

 

‘‘ମିଷ୍ଟର୍ ଡୋରା–’’

 

‘‘କହନ୍ତି ଆପଣଙ୍କ ମତ କ’ଣ ?’’

 

‘‘ଆଜି ସନ୍ଧ୍ୟାରେ ଦୟାକରି ଆମ ଘରେ–’’

 

ସେ ରଜନୀ ପାଖକୁ ଚିଠି ଲେଖିଥିଲା–‘‘ଏଠି ମୁଁ ଯେଉଁ ପରିସ୍ଥିତିରେ ଅଛି ୟେ ବିଚିତ୍ର । ତୁମକୁ ମୋ ପାଖକୁ ନେଇ ଆସନ୍ତିଣି, କେବଳ ଏଠି ଏତେ ଆଡ଼କୁ ଧାଁ-ଧପଡ଼ ପଡ଼ିଛି ଯେ ମୁଁ ଗୋଟିଏ ଠାଆକେ ଦି’ରାତି ବି ରହିପାରୁନାହିଁ । ମୋ ଫଟୋ ବହୁତ କାଗଜରେ ଛପା ହୋଇଛି, ଆହୁରି ବି ନେଉଛନ୍ତି । ସଭାରେ କଥା କହୁଥିବି ହଠାତ୍ ମୋ ମୁହଁରେ ଝକ୍ କରି ବିଜୁଳି ଆଲୁଅ ପଡ଼ିଯିବ, ଫଟୋ ଉଠିଗଲା । ଏଠି ମତେ କନ୍ଧ ବୋଲି ବେଶି ଖାତିରି କରୁଛନ୍ତି; କାରଣ କନ୍ଧ କେମିତି ତା ଏମାନେ କେବେ ଦେଖିନାହାନ୍ତି । ତେବେ ମୋ ନାଁ ଲେଖାହେଉଛି କେ. ଟି. ଡୋରା, ଆଉ ମୁଁ ଇଂରେଜୀ ହିଁ କହେ, ଭୁଲରେ କେବେ ଓଡ଼ିଆ କହେ ନାହିଁ । କେବେ କେବେ ତେଲୁଗୁ କହେଁ, ଯେ ଜାଣେ ତା ସାଙ୍ଗରେ । ଗୋଟାଏ ମଜା କଥା ଶୁଣିଚ, ୟାଙ୍କର ଏଠି ପ୍ରାଣେଭୟ କାଳେ କନ୍ଧ କିଛି ଗୋଟାଏ ଗୋଳମାଳ ଲଗାଇଦେବ ବୋଲି । ମୁଁ ତ ବୁଝୁଛି ସେଇ ଭୟ ହିଁ ଏକମାତ୍ର କାରଣ ଯେଉଁଥିପାଇଁ ସେମାନେ ମତେ ଏତେ ପାକଳାପାକଳି କରୁଛନ୍ତି, ମୋ ସଙ୍ଗରେ ମିଶୁଛନ୍ତି, ମୋ ବିଷୟରେ ଏତେ ବଢ଼େଇ ବଢ଼େଇ କହୁଛନ୍ତି । ଯାହାଙ୍କର ବଡ଼ ବଡ଼ କାମରେ ଧନ ଖଟି ରହିଛି, ଯେଉଁମାନଙ୍କର ନାନାପ୍ରକାର ସ୍ଵାର୍ଥ ରହିଛି, ଭୟଟା ବେଶି ତାଙ୍କର । ଏ ରାଜ୍ୟରେ ଭୟରେ ଭୟରେ କାମ ଚାଲିଛି, ଭୟ ହେଲେ ଲୋକ କଥା ମାନେ, ପଛରେ ଗୋଡ଼ାଏ, ନହେଲେ ସ୍ନେହରେ ନୁହେଁ । ଆଉ ସେ ଭୟଟା ଆସୁଛି ଆପଣା ସ୍ୱାର୍ଥରୁ, ଲୋଭରୁ ।

 

କିନ୍ତୁ ସେତେବେଳେ ତାର ଆରମ୍ଭ ମାତ୍ର, ଅନ୍ତତଃ କାରଣ ଓ ଫଳ ଆଲୋଚନା କଲାଭଳି ମନର ବଳ ତାଠିଁ ଥିଲା; କିନ୍ତୁ ପରେ ବଡ଼ ସହର ଓ ନୂଆ ପରିସ୍ଥିତି ତାକୁ ସମ୍ପୂର୍ଣ୍ଣଭାବରେ ଆପଣାର କରିନେଲା । ସେ ଦେଖିଲା ସାମ୍ନାରେ ବିଶାଳ ପୃଥିବୀ, ସେଠି ଧନ ଓ କ୍ଷମତା ପୂରିରହିଛି, ଡାକୁଛି ଆସ ଯାହାର ବୁଦ୍ଧି ବଳ ଅଛି, ଉଠେଇ ନିଅ, ପାତ୍ର ଭର୍ତ୍ତିକର । ସେଠି ନୂଆ ନୂଆ ସଙ୍ଗୀ, ସେମାନେ ନୂଆ ନୂଆ ଭୋଗର ସନ୍ଧାନ ଦିଅନ୍ତି, ସାହାଯ୍ୟ କରନ୍ତି ସେହି ବାଟରେ ଅତିଶୀଘ୍ର ଯେପରି ସେ ଆଗେଇଯିବ । ରଜନୀ ଆଉ ପାଖକୁ ଅଣାହେଲାନାହିଁ, ତେବେ ସେ ଚିଠି ପାଇଲା, ଚିଠି ବି ଯେପରିକି ଖଣ୍ଡେ ଖଣ୍ଡେ ବିବୃତ୍ତି, ଖବରକାଗଜରେ ଛପା ହେବାକୁ ଯାଉ ଯାଉ ସେ ଭୁଲରେ ଲଫାପା ଭିତରେ ପଶି ରଜନୀ ପାଖରେ ପହଞ୍ଚିଯାଇଛି, ରଜନୀ ତାର ଅର୍ଥ ବୁଝିପାରେନାହିଁ । ବାପାଙ୍କୁ ପଢ଼ାଏ, ସେ ବି ଅର୍ଥ କରିପାରନ୍ତିନାହିଁ, ତାଙ୍କର ବନ୍ଧୁ ବୀରଲଖ୍ୱଣ ସ୍ୱାମୀ ମଦ ଦୋକାନମାନ ଠିକା ନେଇଛନ୍ତି, ଗୋଟିଏ ସିନେମା ଘର କରିବାକୁ ଚେଷ୍ଟା କରୁଛନ୍ତି, ଆଉ ଜଣେ ବନ୍ଧୁ ଭେଙ୍କଟ ଜଗନ୍ନାଥାୟ ଗୋଟିଏ ଚିନିକଳ ବସାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ ତାଙ୍କ ସାଙ୍ଗ । ନର୍ସିଂଲୁ ତାଙ୍କ ଜୋଇଁର ଦର୍ଶନପୂର୍ଣ୍ଣ ଚିଠିଗୁଡ଼ିକ ମଝିରେ ମଝିରେ ସେହିମାନଙ୍କୁ ଦେଖାନ୍ତି; ସେମାନେ ଓ ତାଙ୍କର ଅନ୍ୟାନ୍ୟ ସହକର୍ମୀମାନେ କେ. ଟି. ଦୋରାଙ୍କ ବୁଦ୍ଧିର ଉନ୍ମେଷକୁ ପ୍ରଶଂସା କରି କରି ନର୍ସିଂଲୁକୁ କହନ୍ତି ‘‘ତୁମେ ଭାଗ୍ୟବାନ୍ ।’’

 

ରଜନୀକୁ କେ. ଟି. ଦୋରା ଲେଖିଛନ୍ତି, ‘‘କେବେ ବଢ଼ିଥିଲି ଗୋଟିଏ ଦରିଦ୍ର ପଲ୍ଲୀରେ, ତା ନାଁ ମେଲ୍‍କାବାଡ଼ି, ଭାବୁଥିଲି ସେଠା ଲୋକେ ଦୁସ୍ଥ, ସେମାନଙ୍କର ଅଭାବ ଅଛି । ତାପରେ ରହିଲି ତୁମ ଘରେ, ଲେଲିବାଡ଼ି ସହରରେ । ସେଠୁ ଦୁନିଆର ଆଉ ଟିକିଏ ବଡ଼ ଅରାଏ ଆଖିରେ ପଡ଼ିଲା । ତାପରେ ଏଠକି ଆସିଲି, କେତେ ଦେଶ ବୁଲିଲି, ଏଥର ଆଖି ଆଗରେ ସାନ ପଲ୍ଲୀ ନାହିଁ, ସାନ ସହର ନାହିଁ, ଗୋଟାଏ ବିଶାଳ ଅଞ୍ଚଳ ପଡ଼ିଛି । ଦେଶର ଅଭାବର ଧାରଣା ମୋର ବଦଳି ବଦଳି ଯାଇଛି । ଅଭାବ ତ ଦେଖୁଛି ଧନ ଆଉ ଉଦ୍ୟମର ହିଁ । ପ୍ରଧାନ ଅଭାବ ଶିଳ୍ପ-। ଚାରିଆଡ଼େ ବଡ଼ ବଡ଼ କଳକାରଖାନା ଖୋଲିଯାଆନ୍ତା, ତିଆରି ଆମଦାନି ଦେଣ-ନେଣ, ବଡ଼ ବଡ଼ କୋଠା ଠିଆହୁଅନ୍ତା, ରେଲ୍ ଲାଇନ୍ ପଡ଼ିଯାଆନ୍ତା, ଚାରିଆଡ଼େ ଗାଡ଼ି, ମଟର, ଯନ୍ତ୍ର-। ବଳେ ଧନ ଆସନ୍ତା, କ୍ଷମତା ଆସନ୍ତା । ତୁଛା ପଥର ଜଙ୍ଗଲ ପଡ଼ିଛି, ତାଡ଼ିଲେ ତା ତଳେ କେତେ ଲୁହା ବାହାରନ୍ତା, ଲୋକଗୁଡ଼ାକ ଅଳସୁଆ ହୋଇ ହାତର କୁଡ଼ି କୁଡ଼ି ମଞ୍ଜି ପୋତୁଛନ୍ତି, ଯନ୍ତ୍ର ଆସିଲେ ଆଖିପିଛଡ଼ାକେ କେଜାଣି କେତେ ଚାଷ ହୋଇଯାନ୍ତା । ଜଣେ ଧନୀ ହେଲେ କେତେ ଲୋକ ତା ଆଶ୍ରାରେ ବଞ୍ଚିଯାନ୍ତେ, ଗୋଟାଏ ଧନଭଣ୍ଡାରରେ ପାଣି ପରି ଧନ ଠୁଳହେଲେ ବଳେ ସେଠୁ ବୋହି ବୋହି କେତେ ଭିତରକୁ ଭେଦନ୍ତା, କେବେ ହେବ ? ସେହି କଥା ଭାବୁଛି ।’’

 

ମେଲ୍‍କାବାଡ଼ିରେ ବୀମା କନ୍ଧ ହେଲାଣି ବଡ଼ ଜମିମାଲିକ । ପୁଅ ବିଭାହେଲାବେଳେ ଯେଉଁ ଦୁଇ ହଜାର ଟଙ୍କା ସେ ପାଇଥିଲା, ଚକ୍ରବୃଦ୍ଧି କ୍ରମରେ ସେହିଆକୁ ଚଢ଼ା ସୁଧରେ ଋଣ ଲଗାଇ ସେ ଅନେକ କନ୍ଧଙ୍କର ମୁଣ୍ଡପାତ କରି ସେମାନଙ୍କଠାରୁ ଜମି ନେଇଥିଲା, ସେହି ପୁରୁଣା ଉପାୟ—ଆଗ ଚଢ଼ାସୁଧରେ କରଜ, ଲୋକ ଶୁଝି ନପାରିଲେ ଜମିକୁ ବନ୍ଧାଦେବ, ତାପରେ ଜମିକୁ ବିକିବ । ଏ ଉପାୟରେ ସେହି ସାନ ପଲ୍ଲୀର ବାରପଣ ଲୋକଙ୍କ ଜମି ନେଲାପରେ ସେ ପାଖଆଖ ଗାଁ ଲୋକଙ୍କର ଏତେ ଜମି ବି ନେଇପାରିଥିଲା । ଏତେ ଲୋକଙ୍କର ଏତେ ଜମି ନେଲାପରେ ନିଜ ଚାଷରେ କିଛି ଜମି ରଖି ବହୁତ ଜମି ସେ ଭାଗରେ ଲଗାଇ ଦେଇଥିଲା, ଆଇନ୍ ଅନୁସାରେ ମାଲିକ ଭାଗ ଛଅଣା, ରଇତ ଭାଗ ଦଶଣା ହେଲେ ବି ବୀମା କନ୍ଧ ଫସଲ ଆଠଣା ଭାଗ ଅସୁଲ କରୁଥିଲା, ତା ଉପରେ ଆହୁରି କିଛି ନେଉଥିଲା, ବିହନ ଓ ଲାଗ-ଲାଗୁତି ସବୁ ସେ ରଇତଠାରୁ ସୁଧେ ମୂଳେ ଅସୁଲ କରୁଥିଲା ଓ ଋଣ ଦେଇ ଅକଳରେ ପକାଇ ଅତି ଅଳ୍ପ ଦରମାରେ ଏପରିକି ଏକପ୍ରକାର ଖାଲି ଖୋରାକି ଦେଲାପରି କରି ସେ ବହୁତ କନ୍ଧଙ୍କୁ ଚାକର ରଖିଥିଲା-। ଟିମା କନ୍ଧ ଅର୍ଥାତ୍ କେ. ଟି. ଡୋରାଠାରେ ଯେଉଁମାନଙ୍କର କାମ ଥାଏ ତାଙ୍କ ଭିତରୁ କେହି କେହି ଶିକାରୀ ବ୍ୟକ୍ତି ଆସି ବୀମା କନ୍ଧକୁ ସଂଖୋଳି ଯାଆନ୍ତି, ଅର୍ଥକାରୀ ଉପଦେଶ ଦିଅନ୍ତି, ସାହାଯ୍ୟ ବି ଦିଅନ୍ତି । ଏହି ଉପାୟରେ ବୀମା କନ୍ଧ ତା ଗାଁ ଆଖପାଖର କେତେଗୁଡ଼ିଏ ସାନ ସାନ ମାଟିକାମ ପାଇଁ କଣ୍ଟ୍ରାକ୍ଟର ହୋଇପାରିଥିଲା, ଛୋଟ ଛୋଟ ରାସ୍ତା ଓ ପୋଲ ସେ ତାର ବେଠିଆମାନଙ୍କଦ୍ୱାରା କରାଇପାରିଥିଲା । ତା ପରେ ତା ଗାଁରେ ଯେତେବେଳେ ଗୋଟିଏ ସରକାରୀ ଧାନ ଅମାରଘର ତୋଳାହେଲା, ସେତେବେଳେ ତାର ମୂଲିଆମାନଙ୍କୁ କାମ ଶିଖାଇ ଇଟା ତିଆରି କରିବାଠାରୁ ଆରମ୍ଭ କରି ଘର ତୋଳିବା ପର୍ଯ୍ୟନ୍ତ ସବୁ କାମ ଶିଖାଇ ଶିଖାଇ ସରକାରୀ ଲୋକେ ତାକୁହିଁ କଣ୍ଟ୍ରାକ୍ଟର କରି କାମ ଶେଷକଲେ । ବୀମାର ଆଶା ବଢ଼ିଲା ଓ ଏହିପରି ଅନ୍ୟାନ୍ୟ କାମ କରିବାପାଇଁ ତାର ହାତ ଖଲଖଲ ହେଲା । ଆଉ ଦଳେ ଆସିଲେ, ସେମାନେ ତାକୁ ସୁବିଧାରେ ସାର, ବିହନ ଓ ବୁଦ୍ଧି ଯୋଗାଇଦେଇ ତାର ଧନରେ କିନ୍ତୁ ସେମାନଙ୍କୁ ତତ୍ତ୍ୱାବଧାନରେ ଜମିରୁ ଅରାକରେ ଗହମ ଓ ଆଉ ଅରାକରେ କୋବି ଉଠିଆ କରାଇଲେ, ନଈରୁ ପାଣି ଉଠାଇ କ୍ଷେତରେ ମଡ଼ାଇବାପାଇଁ ପାଣି ପମ୍ପ ଲଗାଇଦେଲେ । ଏହିପରି ପୁଣି ସେମାନଙ୍କ ସାହାଯ୍ୟରେ ବୀମାର ଗୋଟିଏ କମଳା ତୋଟା ଓ ଗୋଟିଏ କଲମି ଆମ୍ବ ତୋଟା ଆରମ୍ଭ ହେଲା, ତାର ପରିବା ବାରି ହେଲା, ତା ଗୁହାଳରେ ଯୋଡ଼ିଏ ଚାରୋଟି ଭଲ ଜାତି ଗୋରୁ, ମଇଁଷି, ଛେଳି ଦେଖାଦେଲେ, ଡର୍ଜନ ଡର୍ଜନ ନାଲି ଆର-ଆଇ-ଅର୍ କୁକୁଡ଼ାଗୁଡ଼ିଏ ତାର ବାରି ଓ ଦୁଆରଯାକ ବୁଲିଲେ-। ତାପରେ ବୀମା କନ୍ଧକୁ ଉପଦେଶ ଦିଆଗଲା ଯେ ସେ ଗୋଟିଏ ପୋଖରୀ ଖୋଳାଇ ସେଥିରେ ମାଛ ଛାଡ଼ୁ । ସେଥିପାଇଁ ମଧ୍ୟ ଅସୁବିଧା ହେଲାନାହିଁ, ଯେଉଁ କନ୍ଧମାନେ ତାଠୁ ଧାନ କି ଟଙ୍କା ଋଣ ନେଇ ଚକ୍ରବୃଦ୍ଧି ଦାଉରେ ତା ପାଖେ ମୁଣ୍ଡ ବିକି ହଳିଆ କୋଠିଆ ହୋଇ ରହିଥିଲେ, ବର୍ଷକ ଖଟଣି ବାବତ ଋଣରୁ ଛିଡ଼ିଣି ଦଶଟଙ୍କା, ଖୋରାକି ବାବତକୁ ମାସକୁ ମହଣେ ମାଣ୍ଡିଆ, ସେହିମାନଙ୍କ ଶ୍ରମରେ ତାର ପେଖରୀଟିଏ ବି ଖୋଳା ହେଲା, ସରକାରୀ ଲୋକ ଆସି ଶୁଖିଲା ପୋଖରୀ ଭିତରେ ହଳକରି ସେଥିରେ ଗୋବରଖତ ଚଢ଼ାଇ ବରଷଣା ପାଣି ପଶିଲା ଉତ୍ତାରୁ ସେଥିରେ ମାଛଯାଆଁଳ ଛାଡ଼ିଲେ, ହୁଡ଼ାରେ କଦଳୀ ଗଛ ଲଗାଇଲେ, ମଝିରେ ମଝିରେ ଯା’ ଆସ କରି ମାଛଚାଷ ବିଷୟ ବୁଝି ସାହାଯ୍ୟ କଲେ । ଯେତେ ଯେ ଉନ୍ନୟନ କାର୍ଯ୍ୟ କରିବାକୁ ସେ ଅଞ୍ଚଳରେ ବୁଲିଲେ, ସମସ୍ତେ ଆସି କେ. ଟି. ଦୋରାଙ୍କ ବାପାଙ୍କୁ ବୃଦ୍ଧି ଓ ଉପାଦାନରେ ସାହାଯ୍ୟ କରିଦେଇଗଲେ । ସେଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେଲାଭଳି କିଛି ନଥିଲା । କାରଣ ସେହି ତ ଏକୁଟିଆ ସେ କେତେଖଣ୍ଡି ଗାଁ ଭିତରେ ଜଣେ ବଡ଼ ଚାଷୀ । ତେଣୁ ଯେଉଁ ଉନ୍ନୟନ ବିଶାରଦ ଲୋକେ ଦେଖି ଶିଖିବେ ବୋଲି ଯେଉଁ ପ୍ରକାର କାର୍ଯ୍ୟ ଦେଖେଇ ଦେବାକୁ ମନ କରିବେ, ସେ ବୀମା କନ୍ଧର ଜମିରେ ତା କରିଦେଲେ ଅନ୍ୟମାନେ ଦେଖିପାରିବେ, ତାହାରି ଜମିରେ ହିଁ ତାହାରି ସଂପତ୍ତି ହୋଇ ଆଦର୍ଶ ଫାର୍ମ ବଢ଼ିଉଠିଲା, ଆଗରେ ବୀମାକୁ ଠିଆକରାଇ ତା ପୋଖରୀର, ତା କୁକୁଡ଼ାମାନଙ୍କର ତା ବନ୍ଧାକୋବି ବାରିର, ଗହମ କ୍ଷେତର, ଆଖୁବାଡ଼ିର ଏପରି ନାନାଫଟୋ ଉଠା ହୋଇ ବିଭିନ୍ନ ପତ୍ରପତ୍ରିକାରେ ଛପାହେଲା, ତାର ନାଁ ଡାକ ହେଲା କେ. ଟି. ଦୋରାଙ୍କ ପିତା ଉତ୍କୃଷ୍ଟ ଚାଷୀ ।’’

 

ଏହିପରି ଅଯାଚିତ ଭାବରେ ଯେତେବେଳେ ବୀମା କନ୍ଧର କାନ୍ଧରେ ଲକ୍ଷ୍ମୀ ବିଜେକଲେ, ସେତେବେଳେ ସେ ତାର ବହୁତ ଦିନର ଶୋଷଟିଏ ମେଣ୍ଟାଇବାକୁ ଚେଷ୍ଟା କଲା, ଗାଁ ବସ୍ତିଠୁଁ ଖଣ୍ଡେ ଛାଡ଼ି ସେ ଖଣ୍ଡିଏ କୋଠା ତୋଳିଲା । କୋଠା ତୋଳା ସରିଲା । ବୀମା ସେ ଘରକୁ ଉଠିଯାଇ ଅପେକ୍ଷା କଲା, ଟିମା ଆସିବ, ବୋହୂ ଆସିବ ।

 

ଅବସ୍ଥାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଓ କାର୍ଯ୍ୟ-ପରିସର ବଦଳିବା ସଙ୍ଗେ ସଙ୍ଗେ ବୀମାର ଚଳଣିରେ ବି ପରିବର୍ତ୍ତନ ହୋଇସାରିଥିଲା । ସେ ଆଉ କୌପୁନି ପିନ୍ଧି ପଦାକୁ ବାହାରେନାହିଁ, ସେ ଲୁଗା କାମିଜ ପିନ୍ଧେ, କେତେବେଳେ କାମିଜ ଉପରେ କୋଟ, କେତେବେଳେ ତା ଉପରେ ଚାଦରଟିଏ ପକାଏ । ସେ ନିଶ ଛାଡ଼ିଦେଇଛି; ଦାଢ଼ି ଖିଅର କରାଏ, ନଖ କଟାଏ ।

 

ତାର କାନରେ ସୁନା ଫାଶିଆ, ମୁଣ୍ଡରେ ମେଣ୍ଟି । ସେ ପରିଷ୍କାର ପରିଚ୍ଛନ୍ନ ରହିବାକୁ ଚେଷ୍ଟାକରେ, ଗମ୍ଭୀର ହୋଇ କଥା କହେ । ତାର ସଳଖ ଡେଙ୍ଗା ଦେହକୁ ଏ ବେଶ ଭଲ ମାନେ । ଦେଖିଲେ ହିଁ ଜଣାପଡ଼େ, ସେ ଓଜନ ଲୋକ, ମାନତା ଲୋକ, ଧୀର ଓ ବୁଦ୍ଧିମାନ୍ । କିନ୍ତୁ ଗାଁ ଲୋକଙ୍କଠୁଁ ଜାତିଭାଇଙ୍କଠୁଁ ସେ ଯେଉଁ ସମ୍ଭ୍ରମ ପାଏ ସେଥିରେ ସ୍ନେହ ନଥାଏ, ଭୟ ହିଁ ଥାଏ ।

 

ତାର କନ୍ଧତ୍ୱ ତାଙ୍କ ଆଖିକି ଦିଶେନାହିଁ, ଖାଲି ଦିଶେ ଏତିକି—ସେ ଭିନେ । ସେ ଥିଲାବାଲା, ସେମାନେ ନିଦରବୀ; ସେ ସାହୁକାର, ସେମାନେ ଖାତକ; ସେ ମାଲିକ, ସେମାନେ ଚାକର । ସଂସାରରେ ଏହି ଦୁଇ ଜାତି ଭିତରୁ ସେମାନେ ଗୋଟିଏ ଜାତିର, ସେ ଅନ୍ୟ ଗୋଟିଏ ଜାତିର; ସେ ଶୋଷକ, ସେମାନେ ଶୋଷିତ । ସେମାନଙ୍କର ସେହି ଖୁନ୍ଦାଖୁନ୍ଦି ଜକାଜକି ଚାଳଛାତର କୁଡ଼ିଆ ସେକରେ ହେଇ ସେ ଘୃଣିତ କୋଠାଘର, ଦେଖିଲେ ସ୍ନେହ ଆସେନାହିଁ, ଘୃଣା ଆସେ, ଦବକ ଆସେ ।

 

ଆଉ ମନେପଡ଼େ ନା ପୁଅ ଟିମା କନ୍ଧ, ପୁଣି ଭୁଲି ହୋଇଯାଏ, ସତେକି ସେ ନଥିଲା । ଏଇ ବଣ ଦେଶରେ କେତେବେଳେ କେଉଁ ଗଛରେ ଫୁଲ ଫୁଟିଥିଲା, କେଉଁ ଗଛ ଦିଶିଥିଲା ଛନଛନିଆ, ସୁନ୍ଦର । କିଏ କାହାଘରେ କେଉଁଠି କେବେ ଗୋଟିଏ ବଡ଼ ଭୋଜି କରିଥିଲା । କେଉଁଠି କେବେ କାହାକୁ କାଳିସୀ ଲାଗିଥିଲା । ଶୂନ୍ୟରେ ଆଉ ସମୟରେ କେତେବେଳେ କେଉଁଠି କେଉଁ ଚିତ୍ର ଫୁଟିଉଠିଥିଲା । ଆଉ ସେ ମନେନାହିଁ ।

 

ପୁରୁଣା ଲୋକେ, ଯେ ଆଶା କରିଥିଲେ, ସେମାନେ ତା ଆଡ଼ୁ ମୁହଁ ଫେରାଇ ନେଲେଣି-। ନୂଆ ଲୋକେ ତାକୁ ଚିହ୍ନନ୍ତି ନାହିଁ । କେତେବେଳେ ଗୋଟାଏ କିଂବଦନ୍ତୀ ପରି ଶୁଣାଯାଏ, ମେଲ୍‍କାବାଡ଼ିରେ କିଏ ଗୋଟାଏ କନ୍ଧଟୋକା ପାଠପଢ଼ି ବଡ଼ ଅଧିକାରୀ ହେଲା, ତାପରେ ସେ ଅଧିକାରୀ ସଂପ୍ରଦାୟରେ ମିଶିଗଲା, ଆଉ ଫେରିଲାନାହିଁ । ଜାଣିଲା ଲୋକେ କହନ୍ତି ‘‘ଏଇ ବୀମା ସାହୁକାରର ପୁଅ ପରା–’’

 

ବୀମା ସାହୁକାର ।

 

ଯେମିତି ତେଲୁଗୁ ସାହୁକାର, ଓଡ଼ିଆ ସାହୁକାର, ଫିରିଙ୍ଗି ସାହୁକାର ।

 

ସେମିତି ଜଣେ ସାହୁକାର ସେ, ଚାରିଆଡ଼ୁ ଧାନ ସଂଗ୍ରହକରି ଆଣି ଏକାଠି ଠାଏ ଠୁଳ କରିବ । କୁଞ୍ଚିଖାଡ଼ି ପକାଇ ସାଇତି ରଖିବ । ଧନର ଜଗୁଆଳି, ଧନପାଇଁ ତାର ଜନ୍ମ । ‘‘ତାର ବଡ଼ତି ହେଉ, ତା ସଙ୍ଗରେ କଳିଗୋଳ କରି କାମନାହିଁ । ତା ନିଜପାଇଁ ତାର ଜନ୍ମ, ଆମପାଇଁ ନୁହେଁ ।’’

 

ସମୟ ବଦଳୁଛି, ଉନ୍ନୟନ ଚାଲିଛି । ପଞ୍ଚାୟତ ଗଢ଼ାହେଲାଣି, ପଦାରୁ କେଉଁ କେଉଁ କାମପାଇଁ ଟଙ୍କା ଆସୁଛି । କେଉଁଠି କେଉଁ କାମ ଲାଗିରହିଛି, ଘର ତୋଳା, ମୁଣ୍ଡ ବନ୍ଧା, କୂଅ, ପୋଖରୀ, ସଡ଼କ, ଅଳ୍ପ ହେଉ ବେଶି ହେଉ କିଛି କାମ, ସର୍ବୋଦୟ ପ୍ରଚାର କରି କର୍ମୀ ବୁଲୁଛନ୍ତି, ଅପାମାନେ ଓ ଭାଇମାନେ କହୁଛନ୍ତି ଗାଁଯାକ ଜମି ମତାମ କର, ଗୁଲାଗାଁ ଭାଲ ଭାଇ ହୋଇ ଏକ ଘର । ବଡ଼ ବଡ଼ ସାହୁକାର ତନଖି କରି ବୁଲିଯାଉଛନ୍ତି, କେଉଁଠି ଭୂଇଁ ତାଡ଼ି ଲୁହାପଥର ଅବରଖ କି ଆଉ କି ପଥର ତାଡ଼ିଲେ ନେବେ, କେଉଁଠି ପେଣ୍ଠ ଖୋଲି ସବୁ ପ୍ରକାର ଜିନିଷ କିଣିନେବେ । ଡର୍କାଗୁଡ଼ା ପାହାଡ଼ତଳେ କେନ୍ଦୁପତ୍ର ଠିକାଦାର ଖୋଲିଛି ‘ପତରଫୋଡ଼ି’, କେନ୍ଦୁପତ୍ର କିଣୁଛି । ଫୁଲଛାଞ୍ଚୁଣି ଠିକାଦାରର ଲୋକ ଫୁଲଛାଞ୍ଚୁଣି ସଂଗ୍ରହ କରୁଛନ୍ତି । ସେମିତି ଆଉ ଜଣେ ବୁଲି ବୁଲି ସଂଗ୍ରହ କରୁଛି ଲମ୍ବା ଲମ୍ବା ଘାସ, ତାର କଣ ବିଚିତ୍ର ନାଁ କହୁଛି, ସେ କୁଆଡ଼େ ‘ସବାଇ’ ଘାସ ।

 

ଗାଁରେ ନୂଆ ନେତୃତ୍ୱ, ଗୋଟାଏ ନୁହେଁ ବହୁତ । ସେମାନେ ସମସ୍ତେ ଆଶା ଦେଉଛନ୍ତି, ନିର୍ଭର ଦେଉଛନ୍ତି, କିଏ କାହାର ଅନୁଗତ । ଲୋକଙ୍କ ସକାଶେ କି ଉପକାର କରିପାରିବ ତୁଣ୍ଡରେ ସେହି କଥା ।

 

ସେମିତି ବଢ଼ିଉଠୁଛି ନୂଆ ଶତ୍ରୁ ତା ବି, ତାର ନାନା କାରଣ । ଗ୍ରାମପଞ୍ଚାୟତମାନ ଗଢ଼ା ହେଉଛି, ଲୋକେ କହୁଛନ୍ତି ଯେଉଁଠି ଗ୍ରାମପଞ୍ଚାୟତର ମହକୁମା ବସିବ ନାନାଉପକାର ଆଗ ସେଇଠି କରାଯିବ, ତେଣୁ ଭିନ୍ନ ଭିନ୍ନ ଗାଁ ଭିତରେ ଭିଡ଼ାଓଟରା ଲାଗିଛି ଯେ ପଞ୍ଚାୟତର ମହକୁମା କେଉଁଠି ହେବ । ଧାନଗୋଲା ଘର ଏ ଗାଁରେ ତୋଳା ହେବ କି ସେ ଗାଁରେ ତୋଳା ହେବ, କର୍ମୀକେନ୍ଦ୍ର ଘର ଏ ଗାଁରେ ହେବ କି ସେ ଗାଁରେ ହେବ, କେଉଁ ଗାଁ ଖଣ୍ଡିକ ଏ ପଞ୍ଚାୟତରେ ମିଶିବ କି ସେ ପଞ୍ଚାୟତରେ ମିଶିବ, ଦଳାଦଳି ପାଇଁ ଏହିପରି ନାନାଉପଲକ୍ଷ । କେଉଁଠି କନ୍ଧମାନଙ୍କ ମେଣ୍ଟ ବଢ଼ିଉଠିଲା ତ ଆଉ କେଉଁଠି ଡମମାନଙ୍କ ମେଣ୍ଟ, ଆଉ କେଉଁଠି ପାଇକମାନଙ୍କର, କେଉଁଠି ବ୍ରାହ୍ମଣମାନଙ୍କର କେଉଁଠି ଓଡ଼ିଆ ତେଲଙ୍ଗା ଭେଦ, କେଉଁଠି ଆଦିବାସୀ ଅଣଆଦିବାସୀ । ପୁଣି ରାଜନୈତିକ ମତବାଦ ଘେନି ବିଭିନ୍ନ ମତବାଦୀଙ୍କର ବିଭିନ୍ନ ଗୋଠ । ଏହି ଯେତେ ନାନାଜାତିର ମେଣ୍ଟ ଓ ଗୋଠ ସେମାନେ ଅନ୍ୟ ଗୋଠମାନଙ୍କ ଦାବି ହରେଇ ନିଜ ହାତରେ କ୍ଷମତା ରଖିବାକୁ ଇଚ୍ଛୁକ, ତେଣୁ ସେମାନେ ନିଜ ଅଞ୍ଚଳରେ ହିଁ ଉନ୍ନୟନ କାର୍ଯ୍ୟ ହେଉ ବୋଲି ଖୋଜୁଛନ୍ତି ଆଉ ସେମାନଙ୍କର ଇଚ୍ଛା ଯେ ଯେତେଠି ମେମ୍ବର ହେବାକୁ ବାଟ ଅଛି, ପଞ୍ଚାୟତ ସଂସ୍ଥା ହେଉ, ଧାନଗୋଲା ସୋସାଇଟି ହେଉ, ପ୍ରାଥମିକ ଇସ୍କୁଲର ସ୍ଥାନୀୟ ପରାମର୍ଶଦାତା କମିଟି ହେଉ, ସେଥିରେ ତାଙ୍କରି ପଟର ଓ ଗୋଠର ଲୋକେ ମେମ୍ବର ହେଉନ୍ତୁ, ଅନ୍ୟ ଦଳ ନ ପଶନ୍ତୁ । ସେ ବି ଦଳ ଦଳ ଭିତରେ ପ୍ରତିସ୍ପର୍ଦ୍ଧାର ଉପଲକ୍ଷ, ବାଦବୁଦିଆ ହେବାର କାରଣ, ଶେଷରେ ଶତ୍ରୁ ତାର ବି । ତେଣୁ ଆପେ ଏ ସମୟ ସୃଷ୍ଟି କରୁଛି ନୂଆ ନୂଆ ଦଳପତି । ସେମାନଙ୍କ ଲକ୍ଷ୍ୟସ୍ଥଳ ଦୂର ନୁହେଁ, ସାନ ସାନ କଥା, ହାତପାଆନ୍ତିରେ ଅଛି,—କାହାକୁ କେଉଁ ବିଷୟରେ ଚିତ୍‍ପଟାଂ କରିଦେବାକୁ ହେବ, କାହାକୁ ହଟେଇ ଆଡ଼େଇ, ହରେଇ କେଉଁ ସୁବିଧା ହାସଲ କରିବାକୁ ହେବ । ଛୋଟ ଛୋଟ କଥାରେ ବି ଜିଦାଜିଦି, ଆପଣା ଜିଦି ରଖିପାରିଲେ ହିଁ ନେତୃତ୍ୱ ରହିଲା । ସେମାନଙ୍କ ଯୋଜନା ଅସ୍ପଷ୍ଟ ନୁହେଁ । ସାମନାରେ ଜଳଜଳ ହୋଇ ଦିଶୁଛି । ବାହାଦୁରୀ ଦେଖାଇ କୁହାପୋଛା ଧାଁ-ଧାପଡ଼ କରି କେତେଟା କଥାରେ ଟାଣ ରଖିପାରିଲେ ହିଁ ପାଖର ଲୋକଙ୍କୁ ବୁଝାଇ ହୁଏ ଯେ ସେମାନଙ୍କ ପଛରେ ବୁଲିଲେ ଲାଭ ମିଳିବ, ବଡ଼ତି ମିଳିବ, କିଛି ନ ହେଲେ ନିଜର ଅଭିମାନ ମେଣ୍ଟାଇ ହେବ ।

 

ଗାଁ ଗାଁର ସ୍ଥାନୀୟ ନେତା ଠିଆହେଲେଣି । କାଡ୍ରାକା ସୀମା କନ୍ଧ ସେ ଆସାମ ଚାହା ବଗିଚାରୁ ଫେରିଛି, ତାର ପୁରୁଣା ଖାକି ହାଫ୍‌ପ୍ୟାଣ୍ଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବେ ଚିରିଯାଇନାହିଁ, କଣା ହୋଇଯାଇଥିବା ଗେଞ୍ଜି ଓ ସେହି ହାଫ୍-ପ୍ୟାଣ୍ଟ ଖଣ୍ଡିକ ପିନ୍ଧି ସେ ଅନର୍ଗଳ ବକିପାରେ, ବଡ଼ ପାଟିକରେ, ଟାଣ ଟାଣ କଥା କହେ, ଦାବି, ବଳପ୍ରୟୋଗ, ଠେଙ୍ଗା, ଟାଙ୍ଗିଆ, ଏପରି ଅନେକ ଶବ୍ଦ ସେ ବାରମ୍ବାର ଉତ୍ତେଜିତ ଭାବରେ କହିପାରେ । ସେ ଗୋଟିଏ ରାଜନୈତିକ ଦଳରେ ମିଶିଛି, ପତାକା ଧରି ବାହାରି ପଡ଼େ । ରକ୍ଟୁ ମାହାଁ ଗ୍ରାମର ଲୋକେ ତାକୁ ବଡ଼ ଖାତିର କରନ୍ତି । ସମସ୍ତିଙ୍କୁ ସେ ଅଭୟ ଦିଏ, କହେ ଲାଗିପଡ଼, ଆମର ବେଳ ଆସୁଛି । ପ୍ରେପାକା କାଳିଆ କନ୍ଧ, ଗାଭିରାୟ କୁମୁଟି ସହିତ ଜମି ଟଣାଟଣି ହୋଇ ମକଦ୍ଦମାରେ ପଡ଼ି ସେ ଛ’ମାସ ଜେଲ ଯାଇଥିଲା, ଜେଲରୁ ଫେରି ତୁନି ହୋଇ ଚାଲିଗଲା ଲୁହାପଥର ଖୋଳେଇ କାମରେ କୁଲିଗିରି କରିବାକୁ ଶଗଡ଼ା ପାହାଡ଼କୁ । ସେଠି ତାର ଡେବିରି ପାଦ ଉପରେ ଗୋଟାଏ ପଥର ଖସି ପଡ଼ିଲା । ଡାକ୍ତରଖାନାରୁ ଖଲାସ ହେଲାପରେ ସେ ଛୋଟା ହୋଇ ତାର ଗାଁକୁ ଫେରିଆସିଲା । ତାପରେ ହଠାତ୍ ସେ ତେଜି ହୋଇ ଉଠି ଗର୍ଜନ ଆରମ୍ଭ କରିଦେଲା,–‘‘ଏଇ କୁମୁଟିମାନେ, ବ୍ରାହ୍ମଣମାନେ ହିନ୍ଦୁମାନେ ଧୋବଧାଉଳିଆମାନେ, ଆମର ପୂର୍ବପୁରୁଷ ବାଘ, ମେଘ, ରୋଗ ମଡ଼କର ଦାଉ ସହି ବଣ ହାଣି ପଥର ତାଡ଼ି ଜମି ତିଆରି କଲେ, ଏମାନେ ତାଙ୍କଠୁ ଠକିଠାକି ଜମି ଝିଙ୍କିନେଇ ତାଙ୍କୁ କଲେ ଗୋତି ମୂଲିଆ, ଆମ ମଶାଣି ସୁଦ୍ଧା ତଷିଗଲେ, କିଛି ରଖିଲେ ନାହିଁ ଆମପାଇଁ । ଆସ, ଆମେ ଆମ ଜମି ଉଦ୍ଧାର କରିବା, ମଲେ ପଛେ ମରିବା, ଆମର ହକ୍ ଛାଡ଼ିବା ନାହିଁ ।’’ ଛୋଟ କାଳିଆ ବଳ ବଢ଼ାଇ ବଢ଼ାଇ ଗାଁକୁ ଗାଁ ବୁଲୁଛି, ଲମ୍ବା ମୁଣ୍ଡବାଳ ମୁକୁଳା ଛାଡ଼ିଦେଇଛି ବେକ ତଳକୁ ଲମ୍ବି ଓହଳିବାକୁ । ସେ ବି ଜଣେ ନେତା । ଭୁୟାକା ହାର୍ଗୁଣା ଆଦିବାସୀଙ୍କ ଉନ୍ନୟନ କାର୍ଯ୍ୟରେ ବେତନ ପାଇ କର୍ମୀ ହୋଇଥିଲେ ବୁଢ଼ାଦିନେ ଅନ୍ୟ ଜିଲ୍ଲାକୁ ବଦଳି ହେଲା, ଆପତ୍ତି କଲେ, ବଦଳି ଅଟକିଲା ନାହିଁ, ଚାକିରି ଛାଡ଼ି ନିଜ ଗାଁ ବାନ୍ଦିରିକୁ ଫେରିଆସିଲେ, ସହରରେ ସାନ ସାନ କାନ୍ତରାଟି କାମ କରୁ କରୁ ଗାଁରେ ବି କାନ୍ତରାଟି କାମ ଧରିଲେ, ଜମି ବଢ଼ାଇଲେ, ପ୍ରତିପତ୍ତି ଅରଜିଲେ । ସେ ବି ଜଣେ ନେତା-। ଶ୍ରୀଯୁକ୍ତ ଚମ୍‌ରୁ ମାଛ ବସ୍ତିଗୁଡ଼ା ଇସ୍କୁଲକୁ ବଦଳି ହୋଇଆସିଲେ, ସଙ୍ଗରେ ଶ୍ରୀମତୀ ପାଟ୍ରିସିଆ ମାଛ । ଶ୍ରୀମତୀ ମାଛ ଔଷଧପତ୍ର ତୁଟୁକା ତୁଟୁକି ଜାଣନ୍ତି । ଶ୍ରୀଯୁକ୍ତ ମାଛ ଗୋଲ ଗୋଲ ଅକ୍ଷର ଲେଖନ୍ତି, ଦରଖାସ୍ତ ଲେଖିବାରେ ସିଦ୍ଧହସ୍ତ, କନ୍ଧ ଧୁଡ଼ୁକି, ସାରିଙ୍ଗି, ଘୁମୁରା ଆଦି ବାଦ୍ୟରେ ତାଙ୍କର ଭଲ ଅଭ୍ୟାସ ଅଛି । ଶ୍ରୀଯୁକ୍ତ ଓ ଶ୍ରୀମତୀ ଦୁହେଁ ଲାଗିପଡ଼ି ପିଲାଙ୍କୁ ଶିଖାଇ ଗୋଟିଏ ବାଳନାଟ ଦଳ ଠିଆ କରିଦେଲେ । ତାଙ୍କର ‘ମାଛ’ ପଦବୀ ଡମ୍ବ ଜାତିର ସଂଜ୍ଞାଟିଏ । ଚମରୁ ଖ୍ରୀଷ୍ଟାନ ବିଭାହୋଇଥିଲେ,—କିନ୍ତୁ ନାଁ ବଦଳାଇ ନଥିଲେ । ଆପଣା ଜାତି ପ୍ରତି ତାଙ୍କର ବହୁତ ସ୍ନେହ ଥିଲାପରି ଜଣାପଡ଼ୁଥିଲା । ଲାଗୁଥିଲା, ଡମ୍ବ ପିଲାମାନଙ୍କର ବେଶି ଯତ୍ନ ନିଆହେଉଛି-। ସେମାନଙ୍କର ବି ମାଛଗତ ପ୍ରାଣ । ନାନାପ୍ରକାର ପରାମର୍ଶ ପାଇଁ ଓ ଦରଖାସ୍ତ ଆଦି ଲେଖାଲେଖି କରାଇବା ସକାଶେ ବହୁତ ଗାଁରୁ ଦଳ ଦଳ ଡମ୍ବ ଓ ପାଣ ବସ୍ତିଗୁଡ଼ାର ମାଷ୍ଟର ବସାକୁ ଯା’ ଆସ କରନ୍ତି ।

ଆଉ ଝିଲିକିଗୁଡ଼ାର ପାହାଡ଼ତଳେ କୁଡ଼ିଆ ବାନ୍ଧି ଆଶ୍ରମ ଖୋଲିଛନ୍ତି କର୍ମୀ ବିଶ୍ୱରତନ ଦାସ ପଟ୍ଟନାଏକ, ଶ୍ରୀରାମୁଲୁ ଆଚାରୀ, ମଜ୍‌ହର୍ ହୋସେନ୍, ମହାଦେବଲାଲ ବ୍ୟାସ୍ ଓ ଶୁଭେନ୍ ବସୁ । ଘର୍ ଘର୍ ଚରଖା ଚାଲିଛି । ଗୀତା ଭାଗବତ, କୋରାନ୍, ବାଇବେଲ ବୋଲି ବୋଲି ସେମାନେ ଆପଣା ହାତରେ ହଳ କରନ୍ତି । ସେଠି ଢିଙ୍କି ପାହାର ଶୁଭେ, ତେଲି ଘଣା କେଁକଟର ଶୁଭେ, ଧକଡ଼୍‌, ଖଟ୍‌ ଧକଡ଼୍ ଖଟ୍ ଶୁଭେ ଲୁଗାବୁଣା ତନ୍ତ ଶବ୍ଦ । କେତେ ଦୂରରୁ ଦୂରରୁ ୟଜ୍‌ ରୋଗୀ ଓ କୁଷ୍ଠରୋଗୀ ସେଠିକି ଆସନ୍ତି ଇଞ୍ଜେକ୍‌ସନ୍ ନେବେ ବୋଲି । କ’ଣ ସେଠି ମହକ ଅଛି ଯେଉଁ ବାସ୍ନାରେ ଦିନୁ ଦିନ ଲୋକଙ୍କ ଭିଡ଼ ବଢ଼ି ଚାଲିଛି, ଅତି ଚଞ୍ଚଳ କର୍ମୀ ପାଞ୍ଚ ଜଣଙ୍କ ନାଁ ବ୍ୟାପୁଛି, କେତେ ଦୂର ଦୂର ଗାଁରୁ ଦଳ ଦଳ ହୋଇ ଲୋକ ଆସୁଛନ୍ତି । ସେଠୁ ଶୁଣାଯାଏ ଯେ ସେମାନେ କହୁଛନ୍ତି, ଭିନେ ଭିନେ ଜାତିର ମଣିଷ ପାଞ୍ଚଜଣ ଦଶଜଣ ହୋଇ ଏକାଠି ହୋଇ ଆପଣାର ସବୁ ଜମି, ସବୁ କମାଣି, ସରୁ କରଜ ଏକାଠି କରିଦିଅ । ବାଣ୍ଟିକୁଣ୍ଟି ଖାଇ ଗୋଟିଏ ଗୋଟିଏ ପରିବାର ହୋଇ ଚଳ । ଗୋଟିଏ ଗୋଟିଏ ଗାଁରେ ଏମିତି ବାରମିଶା କୋଠ ପରିବାର ବଢ଼ି ଉଠୁ, କୋଠ ପରିବାରରୁ ହେବ ଗାଁଯାକ ଏକ କୋଠ, ସେଉଠୁ ସାରା ଦୁନିଆଯାକ ।

ଆପଣା ରାଜିରେ କୋଠ ପରିବାର ବି କେତୋଟି ଗଢ଼ା ହେଲାଣି । ଭଲ ପରିବାରଟିଏ ହୋଇଛି ଆମ୍ବଡ଼ିଆମ୍‌ର ଆଠଟି ପରିବାରଙ୍କ କୋଠ, ଫକୀର ମିଶ୍ର କବିରାଜ ଓ ବଡ଼ ଚାଷୀ, ଅଙ୍ଗଦ ପାଇକ ପୁଲିସ କନେଷ୍ଟବଳ, ନାଲ୍ଲା ସୀମାଚଳମ୍‌ ଶୁଣ୍ଢି ଜମିମାଲିକ, ତା ପୁଅ ଶଗଡ଼ା ପାହାଡ଼ ଲୁହାପଥର ଖୋଳା କାର୍ଯ୍ୟରେ କିରାନି, ଟଙ୍କଧର ବାଘ ଜାତିରେ ଡମ୍ବ ଓ ଲୁଗାବୁଣାକାର, ଜମି ଅଛି, ପିଲିମନ କାଟ୍ରିଆ ପାଣ ଖ୍ରୀଷ୍ଟ୍ୟାନ୍‌, ମିଲ୍‌କୁ ଘାସିର ଜମି କିଛିନାହିଁ, ସେ ଗୋରୁ ଛାଲ ସଂଗ୍ରହ କରି ହାଟରେ ବିକେ, ବରଜୁ ଗୌଡ଼ ଜାତିରେ ଷୋଳଖଣ୍ଡିଆ ଗଉଡ଼, ଗୋରୁ ମଇଁଷି ଅଡ଼ାରଟିଏ ଅଛି, ପୁଣି ଜମି ଅଛି । ଗୟାଁ ସାଓଁତା ଜାତିରେ କନ୍ଧ, ତାର ବି କିଛି ଚାଷ ଅଛି । ବର୍ଷଟିଏ ଏ ବିଚିତ୍ର କୋଠ ପରିବାର ଏକାଠି ବାଣ୍ଟିକୁଣ୍ଟି ଖାଇ, କୋଠରେ ଜମି ଚାଷକରି, କୋଠରେ ଘର ଚଳେଇ ଏ ପ୍ରତ୍ୟେକଙ୍କର ଏତେପ୍ରକାର ଉନ୍ନତି ଆଖି-ଦୁରୁଶିଆ ହୋଇଛି ଯେ କେତେ କେତେ ଗାଁରେ ତାହାରି ପ୍ରଭାବ ପଡ଼ିଲାଣି ।

 

ଝିଲିକିଗୁଡ଼ାର କର୍ମୀକେନ୍ଦ୍ର, ଆପେ ଆପେ ନେତୃତ୍ୱ ପାଇଛି; କିନ୍ତୁ କ୍ଷମତାର ନାଁ ଗାଁ ସେମାନେ ଖୋଜନ୍ତି ନାହିଁ, ଧନ ଠୁଳ କରିବା ସେମାନଙ୍କ ବିଚାରରେ ନାହିଁ, ସତେ ଯେମିତିକି ସାଧୁ ସନ୍ନ୍ୟାସୀ ତାରି ମଣିଷଗୁଡ଼ିଏ, ଖାଲି ବାବାଜିପଣର ଭେକନାହିଁ କି ଆଡ଼ମ୍ବର ନାହିଁ, ଝାଳନାଳ ହୋଇ ପରପାଇଁ ଦେହ ମେହେନତ, ସବୁବେଳେ ସ୍ନେହ ଆନନ୍ଦ, ହସ ଖୁସି, ଏତେ ପ୍ରକାରର ଏତେ ନେତା ସେ ଅଞ୍ଚଳରେ ଠିଆହେଲେଣି ।

 

ସେମାନେ ଟିମା କନ୍ଧକୁ ଚିହ୍ନନ୍ତି ନାହିଁ କି ମନେ ରଖିନାହାନ୍ତି ।

 

ସେମାନଙ୍କୁ ଯେଉଁମାନେ ଅନୁସରଣ କରନ୍ତି କି ବଡ଼ ବୋଲି ମାନନ୍ତି ସେମାନେବି ଟିମା କନ୍ଧ ନାଁ କେବେ ପକାନ୍ତି ନାହିଁ । ତାଙ୍କ ଅଭାବ, ତାଙ୍କ ଦୁଃଖ, ତାଙ୍କ ଭିତରେ ବାଡ଼ିଆପିଟା, ମାଲିମକଦ୍ଦମା, ଯାତ୍ରା-ପର୍ବ, ଭୋଜିଭାତ, ତାଙ୍କ ଆଶା କି ଆଶଙ୍କା କେଉଁଠି କେବେ ଟିମା କନ୍ଧର ଛାଇ ପଡ଼େନାହିଁ । ସେହି ଯେଉଁ ଲୋକଟି ଏହି ଅଞ୍ଚଳରେ ଜନ୍ମହୋଇ ଏହି ପ୍ରାନ୍ତରେ ବଢ଼ି ଉଠି ପଦାକୁ ଯାଇଥିଲା ତାରି, ସେ ସେଠି କେହି ନୁହେଁ ।

 

ତଥାପି ପାହାଡ଼ ସେପାଖେ ଦେଶବିଦେଶର ଲୋକେ ଅନାନ୍ତି କେ. ଟି. ଦୋରାଙ୍କ ମୁହଁକୁ । ସେମାନଙ୍କ ବିବେଚନାରେ ସେହିଁ ତ କନ୍ଧମାନଙ୍କର ଜଣେ ବଡ଼ ମୁଣ୍ଡିଆଳ, ତାଙ୍କୁ ହିଁ ଅନାଇଲେ ଜାଣିହେବ ପରା,—କନ୍ଧ କ’ଣ ଭାବୁଛି, କେଉଁ ବିଷୟରେ ତାର ବିଚାର କ’ଣ, ତାର ଅବସ୍ଥା କେମିତି ଅଛି, ଆଉ ତାର କ’ଣ କ’ଣ ଦରକାର—ଏ ସବୁ କଥା ।
 

କେ. ଟି. ଦୋରା ଯେଉଁ ଉତ୍ତର ଦିଅନ୍ତି ସେହି ଚାଲେ କନ୍ଧମାନଙ୍କର ମତ ବୋଲି, ବଡ଼ ବଡ଼ ଲୋକେ ସେହି ଉତ୍ତର ସଙ୍ଗେ ନିଜର ଭବିଷ୍ୟତର ଓ ବର୍ତ୍ତମାନର କାର୍ଯ୍ୟକ୍ରମକୁ ମିଳାଇ ମିଳାଇ ଦେଖନ୍ତି, ନୂଆ କାର୍ଯ୍ୟକ୍ରମ ବିଷୟରେ ଚିନ୍ତା କରନ୍ତି ।

 

ଖବରକାଗଜରେ କେ. ଟି. ଦୋରାଙ୍କର ମତ ଛପାହୁଏ । ତାଙ୍କର ଫଟୋ ବାହାରେ ।

 

‘‘କନ୍ଧର କ’ଣ ଦରକାର ? କଳକାରଖାନା ବସାଇବା ଦରକାର, ସଡ଼କ ଦରକାର, ଇସ୍କୁଲ, ଡାକ୍ତରଖାନା ଏଇସବୁ ତ ଦରକାର, ଆଉ କ’ଣ ? ସମସ୍ତିଙ୍କର ଯାହା ଦରକାର ତାର ବି ସେଇଆ ଦରକାର ।

 

ଆମ ଲେଲିବାଡ଼ିରେ ଗୋଟାଏ ଚିନିକଳ ଆଗ ବସାଇଦିଆଯାଉ । ଲୁହାଖଣି ପଟ୍ଟା ପାଇବା ଦରକାର । ଲୁହାଖଣି କାମ ଚଳାଇବାପାଇଁ ଅର୍ଥ ସାହାଯ୍ୟ ଦରକାର । ଲେଲିବାଡ଼ିକୁ ଅତି ଶୀଘ୍ର ବିଜୁଳିଶକ୍ତି ଚାଲିଆସୁ, ଡୁଡୁମାରୁ ତ ବିଜୁଳି ବାହାରୁଛି, ଏଣେତେଣେ ଲାଇନ ଯାଉଛିଟି, ଲେଲିବାଡ଼ିକୁ ଆସୁନାହିଁ । ସିଗାରେଟ୍ ତିଆରି କରିବାକୁ ସୁବିଧା କରିଦେଲେ ଲେଲିବାଡ଼ିରେ ହିଁ ଆମ ଲୋକେ କରନ୍ତେ, କନ୍ଧର ଧୂଆଁ ପତ୍ର ଶସ୍ତା ଦରରେ ପଦାକୁ ବାହାରି ଯାଆନ୍ତା ନାହିଁ । ସଡ଼କଗୁଡ଼ାକ କେତେ ଖାଲଖମା ହୋଇଯାଇଛି, ମଟର କି ମଟରସାଇକେଲ ଗଲାବେଳେ ଧକଡ଼ ଧକଡ଼ ହେଉଛି, କନ୍ଧ ଅଞ୍ଚଳ ଭିତରକୁ ଏହିପରି ସଡ଼କ ଦରକାର ଯେଉଁଥିରେ ଗାଡ଼ି ଗଲେ ଦେହ ହଲିବ ନାହିଁ । ଆଉ କ’ଣ ? କଳକାରଖାନା ବ୍ୟବସାୟ ଧନ୍ଦା, ଏଇ ତ ଦରକାର, ଏଇସବୁ ହେଲେ ବଳେ ଜନବସତି ବଢ଼ିବ, କୋଠାବାଡ଼ି ତୋଳାହୋଇ ସହର ପରି ଦିଶିବ, ବଜାର, ସିନେମା, ଏଇ ଜାତିଆ ସବୁ ହେବ । ଟାଟାନଗର କେମିତି ହେଲା ? ରାଉରକେଲା କେମିତି ବଢ଼ି ଉଠୁଛି ? ସେମିତି ତ ସବୁ । ତା ନ କରି ତୁମେ ଆମକୁ କେଉଁ ପୁରୁଣା କାଳର ଚିଡ଼ିଆଖାନାର ଜନ୍ତୁପରି ପାଇଛ, ଆମକୁ ଆମର ପୁରୁଣା ବେଶରେ ଦେଖିବାକୁ ତମକୁ ଭାରି ମଉଜ ଲାଗେ, ଆମ ଆଡ଼ର ଝିଅପିଲାଙ୍କୁ ସହରକୁ ଡକାଇ ହଜାର ହଜାର ଲୋକଙ୍କ ଆଗରେ ସେମାନଙ୍କୁ ନଚେଇଲେ ତୁମେ ଭାରି ଆନନ୍ଦ ପାଅ । ସେ ବିଚାରୀଏ ସେହି ପୁରୁଣା କାଳର ଅଶିକ୍ଷିତ ଧରଣରେ ଅଧା ଲଙ୍ଗଳା ହେଲାପରି ଦିଶୁଥିବେ । ସେଇଥିରେ ଡେଉଁଥିବେ, ତୁମେ ଫଟୋ ଉଠାଇ ନେବ, ଛି, ଛି, କ’ଣ ଯେ ଭାବୁଚ ତୁମେ ଆମୁକୁ । ଆଦିବାସୀ ହୋଇଥିଲେ କ’ଣ ମଣିଷର ତିନିଟା ଗୋଡ଼ ଥାଏ ନା ପାଞ୍ଚଟା-? ଆମେ ଆଜି ଆଦିବାସୀ ହୋଇଅଛୁଁ, ତୁମେ କାଲି ଆଦିବାସୀ ହୋଇଥିଲ ।

 

ଯେତେ ଯୋଜନା-ଫୋଜନା ସବୁ ଆମ ଆଡ଼େ ଭରିଦିଅ, ଲୋକବଳ ଦିଅ, ଟଙ୍କାବଳ ଦିଅ, ଦେଖିବ, କାମ କେମିତି ହେବ ।’’

 

ମତ ଦେଲାବେଳେ ଲେଲିବାଡ଼ି ଦିଶିଯାଏ, ମନେ ପଡ଼ିଯାଆନ୍ତି–ତାର ଶଶୁର ନର୍ସିଂଲୁ, ତାଙ୍କ ବନ୍ଧୁମାନେ, ତାର ସେହି ବଡ଼ ଲୋକ ବନ୍ଧୁମାନେ, ଯେଉଁମାନେ ସହରିଆ, ବ୍ୟବସାୟୀ, ବ୍ୟବସାୟଲୋଭୀ ।

 

କେ.ଟି. ଦୋରାଙ୍କର ମତ ବ୍ୟାଖ୍ୟାନ ଭିତରେ ନଥାଏ, ଗାଁ ଗହଳିର ଅନେକ ଚିହ୍ନା ସମସ୍ୟା, ପେଟପାଟଣା କଥା, ବାଟଘାଟର କଥା, କେଉଁ ଯୁଗ-ଯୁଗରୁ ଯହିଁରେ ସେଠିକା ମଣିଷ ସନ୍ତୁଳି ହୋଇ ମରୁଛି, ସେସବୁ ବିଷୟରେ ତାଙ୍କର ବ୍ୟାଖ୍ୟାନ ଦିଶେ ନାହିଁ । ଗାଁଏଁ ଗାଁଏଁ ମଣିଷ ଖୁନ୍ଦି ହୋଇଛନ୍ତି, କିନ୍ତୁ ଜମି ତାଙ୍କ ହାତରେ ଆଉ ନାହିଁ, ଅନ୍ୟମାନଙ୍କ ହାତକୁ ଚାଲିଯାଇଛି, ସେମାନଙ୍କର ଖୋରାକ ଅଭାବ, ଋଣ ମିଳୁନାହିଁ, ମିଳିଲେ ଅତି ଚଢ଼ା ଦରରେ । କେଉଁଠି କଳକାରଖାନା ଖୋଲିଲେ ସେଠି ସେମାନଙ୍କ ପାଇଁ ଏକମାତ୍ର ନିଯୁକ୍ତି ମିଳିବ ମୂଲିଆ ହିସାବରେ, ମୂଲ ମିଳିବ, ତା ବଦଳରେ ପରିଶ୍ରମ ବଢ଼ିବ, ଅଶାନ୍ତି ବଢ଼ିବ, ରୋଗ ଆଉ ନୈତିକ ଅଧଃପତନ ବଢ଼ି ବଢ଼ି ଚାଲିବ । ପଦାରୁ ଯେକୌଣସି ବାଟରେ ତାଙ୍କୁ ସୁବିଧା ସୁଯୋଗ ଖଞ୍ଜି ଦେବାକୁ ଧନ ଆସିଲେ ସେ ଧନ ଚାଲିଯିବ ଚକ୍ରୀ କୌଶଳୀ ଅଣ-ଆଦିବାସୀଙ୍କ ହାତକୁ । ଯେତେ ଯେତେ ସଡ଼କ ଫିଟୁଥିବ ସେତେ ସେତେ ବାହାରର ପ୍ରଭାବ ପଶି ଆସୁଥିବ, ଶୋଷଣ ବଢ଼ୁଥିବ । ସେମାନଙ୍କ ଜୀବନର ଧାରା ଗୋଳମାଳ ହୋଇଯାଉଥିବ, ଅଥଚ ସେମାନଙ୍କୁ ଅଲଗା କରି ରଖିଥିବାଯାକେ ସେମାନଙ୍କର ଶିକ୍ଷା ସଭ୍ୟତା ବଢ଼ିପାରିବନାହିଁ । ମଦନିଶା ସେମାନଙ୍କର ସର୍ବନାଶ କରୁଛି, ବୁଦ୍ଧି ଭ୍ରଷ୍ଟ କରୁଛି, ଭଲକଥା ସେ ମୁଣ୍ଡ ଭିତରେ ପଶୁନାହିଁ, ପଶିଲେ ବି ଲାଖି ରହୁନାହିଁ । ହୁଏତ ଏଥିରୁ କେତେଟି ମତ କହିବ କାଡ୍ରାକା ସୀମା କନ୍ଧ, କେତେଟି କହିବ ଭୁୟାକା ହାର୍ଗୁଣା, ମୁହଁ ଶୁଖେଇ ଆଖି ବାମ୍ଫେଇ କର୍ମୀ ବିଶ୍ୱରତନ ଭାଇ ଏହିପରି ଅନେକ କଥା କହନ୍ତି । ବଣୁଆ ହାତୀଙ୍କ ଉତ୍ପାତ୍, ବାଘଖିଆ, କେତେବେଳେ କେଉଁ ସାହୁକାର ଓ ସାନ ଅଧିକାରୀଙ୍କ ଦାଉ, ଅଜ୍ଞାନ ହେତୁ ନିରାଶ୍ରୟତା, ପିଇବା ପାଣିର ଅଭାବ ହେତୁ ହଇଜା ଓ ପେଟରୋଗ, ଚିକିତ୍ସା ଅଭାବ,—କେତେ କେତେ ବିଷୟ ସେ କହନ୍ତି । ସେ ତ କହନ୍ତି—ନାହିଁ ସଡ଼କ ଦରକାର ନାହିଁ, ଗଡ଼ାଣି ଉଠାଣି ପାହାଡ଼ ଝୋଲାର ପାଦବାଟ ଦି’ପାଖରୁ ଅଧ ମାଇଲିଏ ଛଡ଼ାରେ ବଣ ମରାଇ ନ ଦେଲେ ହାତୀଭୟ, ବାଘଭୟ ଯିବ ନାହିଁ । ଆଗ ସେହି ଦରକାର ।

 

କିନ୍ତୁ କେ. ଟି. ଦୋରାଙ୍କ ଉକ୍ତିମାନଙ୍କ ଭିତରେ ଏସବୁ ମିଳେନାହିଁ । ତାଙ୍କ ସ୍ତ୍ରୀ ରଜନୀ ପାଖକୁ ସେ ସ୍ଥାନୀୟ ସମସ୍ୟା ବିଷୟରେ ଯାହା ଲେଖିଥିଲେ ତହିଁରୁ ତାଙ୍କ ମନୋଭାବର ସୂଚନା ମିଳେ । ସେ ଲେଖିଥିଲେ–

 

‘‘ମୋଦ୍ୱାରା କାହାର କିଛି ଉପକାର ହୋଇପାରିବ କି ନ ପାରିବ ସେକଥା ମତେ ଜଣାନାହିଁ, କିନ୍ତୁ ଲୋକଙ୍କୁ ସତେକି ବେଣି ଜଣା । ସେଥିପାଇଁ ମହୁମାଛିପରି ଲୋକେ ମୋ କାନପାଖେ ଘାଉଁ ଘାଉଁ ଲଗେଇଥାନ୍ତି । କିଛି କର କି ନକର, ଯେ ଯାହା କହିଲା ଆଗ ଶୁଣିବାକୁ ହେବ, ସବୁଥିରୁ ନିରାପଦ ହେଉଛି ସମସ୍ତଙ୍କୁ ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି ହଁ ହଁ କହିଦେବା, ତାପରେ ସେସବୁ କଥା ଏକାନରେ ପଶି ସେକାନରେ ବାହାରିଯିବ । ଲୋକେ ବି ଚିଡ଼ିବେ ନାହିଁ, ନିଜକୁ ହରକତ ନାହିଁ । ଏ ବାଗଟା ଏକୁଟିଆ ମୋରି ଆବିଷ୍କାର ବୋଲି ଭାବିବ ନାହିଁ, ଦେଖି ଦେଖି ଶିଖିଛି-

 

ଲୋକଙ୍କ ଗୁହାରି ବା କ’ଣ ? ସବୁ ନିଜ ନିଜ ବିଷୟରେ । କାହାର ଜମି ଦରକାର, କାହାର ଜମି ଚାଷ କରିବାପାଇଁ ହଳ ବଳଦ କିଣିବାକୁ ଋଣ ଦରକାର । କାହା ପୁଅପାଇଁ ଚାକିରି ଦରକାର, କିଏ ଚାକିରି କରିଛି ଯେ ତାର ଆଉ ଉପର ପାହିଆ ଦରକାର (ସବୁ ଚାକିରିଆ ସବୁବେଳେ ଭାବନ୍ତି ଯେ ସେମାନେ ବହୁତ ଉପର ପାହିଆକୁ ଯିବାକୁ ହକ୍‌ଦାର), କାହାର ଆଉ କ’ଣ ଦରକାର, ଆହୁରି ତ କେତେ ଅଛନ୍ତି ଯେ ତାଙ୍କର ନିଜର କିଛି ଦରକାର ନାହିଁ କେବଳ ତାଙ୍କ ଶତ୍ରୁମାନଙ୍କର ଅନିଷ୍ଟ ହେଲେ ସେ ଖୁସି, ସେତିକି ତାଙ୍କର ଗୁହାରି ।

 

‘‘ଦ୍ୱିଷାଂ ଜହି । ଦ୍ୱିଷାଂ ଜହି... ’’

 

ଗୋଟିଗୋଟିକିଆ ଲୋକଙ୍କର ଆବଶ୍ୟକ ମେଣ୍ଟାଇବାକୁ ଚେଷ୍ଟା କରିବା ଖାଲି ସମୟ ନଷ୍ଟ, କରିବ ତ କରିବ ଏମିତି କାମ ଯେ ତହିଁରେ ହଜାର ହଜାର ଲୋକଙ୍କର ଉପକାର ହେବ । ଗୋଟାଏ ବଡ଼ ଗଛ ବଢ଼ିଉଠିଲେ ତା ଛାଇତଳେ କେତେ ଜୀବଜନ୍ତୁ ଆଶ୍ରା ପାଇଯିବେ । ବଡ଼କରି କିଏ ବେପାରଟାଏ ଖୋଲୁ, କୋଉ ମିଲ୍‌ କି ଫ୍ୟାକ୍ଟରୀ, ଖଣି ଖୋଳା କି ଜିନିଷ ଗଢ଼ା, ଲାଗିଯିବେ ହଜାର ହଜାର ଲୋକ । ଆମ ବଣ-ପାହାଡ଼ର ଦେଶ ଭିତରକୁ ବିଜୁଳି ଆଲୁଅ ଆସୁ, ରେଳ ମଟର ଆସୁ, ବିଜୁଳି ଆଲୁଅ ଝଲମଲ ହୋଇ ମାହାଲା ମାହାଲା ଉଞ୍ଚ ଉଞ୍ଚ କୋଠା ଠିଆ ହେଉ । କେତେକାଳ ଆଉ ଏ ଲୋକେ ବଣର ମାଙ୍କଡ଼ପରି, ଜୀଆଦପରି, କୁଟ୍ରାପରି ପାହାଡ଼ ଖୋଲ ଭିତରେ ଛପି ରହିଥିବେ ?

 

ରଜନୀ ସେ ଚିଠି ବୁଝିପାରେ ନାହିଁ, କିନ୍ତୁ ତାର ଏପରି ଅନ୍ୟାନ୍ୟ ଚିଠିପରି ଏ ଚିଠିକୁ ବି କେ. ଟି. ଦୋରାର ଶଶୁର ନର୍ସିଂଲୁ ଦୋରା ପଢ଼ିଥିଲେ ଓ ଆପଣା ବ୍ୟବସାୟୀ ବନ୍ଧୁଙ୍କୁ ପଢ଼ାଇ ଆନନ୍ଦ ପାଇଥିଲେ ।

 

ଏହିସବୁ ମହା ମହା ଭାବ ଓ ବିଚାର ଚିଠିରେ ଖବରକାଗଜରେ ଓ ଅନ୍ୟାନ୍ୟ ଲେଖାରେ ପ୍ରକାଶ କରିବା ଛଡ଼ା ସହର ରହଣି ଭିତରେ କେ. ଟି. ଦୋରା ଭାରି ମଉଜ ମଜଲିସ୍‌ରେ ସମୟ କାଟୁଥିଲା । ପିଲାଦିନେ କନ୍ଧଗାଁରୁ ଯା’ଆସ କରି ପାଠପଢ଼ିଲାବେଳେ ସାଧାରଣ କନ୍ଧ ଧାଂଡ଼ାଂକ ତୁଳନାରେ ତାର ସ୍ୱଭାବ ଚରିତ୍ର ବହୁ ଗୁଣେ ସଂଯତ ଥିଲା । ସେ ସହରର ଅନ୍ୟାନ୍ୟ ସଂପ୍ରଦାୟର ପିଲାଙ୍କ ସଙ୍ଗେ ସାଙ୍ଗହେବାକୁ ସଙ୍କୁଚିତ ହେଉଥିଲା, ସବୁ ବିଷୟରେ ସେମାନଙ୍କଠାରୁ ସେ ନିଜକୁ ହୀନିମାନ ମନେକରୁଥିଲା, ତେଣୁ ତାଙ୍କଠୁଁ ଆଡ଼େଇ ଆଡ଼େଇ ହେଉଥିଲା, ସେମାନଙ୍କର ଫୂର୍ତ୍ତି ଫାଜିଲାମି ବି ତାକୁ ଛୁଇଁପାରୁ ନଥିଲା । ଆରପାଖ କନ୍ଧ, ସଓରା, ଡମ୍ବ ଓ ପରଜା ପ୍ରଭୃତି ଆଦିବାସୀ ପିଲାଙ୍କଠୁଁ ମଧ୍ୟ ସେ କରଛଡ଼ା ଦେଇ ରହୁଥିଲା, ତା ଆଖିରେ ସେମାନେ ତାକୁ ଦିଶୁଥିଲେ ହୀନମାନିଆ । ତାର ପାଠପଢ଼ା, ସଫା ଲୁଗାପଟା, ତାର ଦେହର ଯତ୍ନ ସଫାସଫି ସବୁଥିରେ ସେମାନଙ୍କ ଅପେକ୍ଷା ସେ ବହୁତ ଉଚ୍ଚରେ, ଅତଏବ ଭାବନାରେ ବିଚାରରେ ଓ ମଣିଷପଣିଆର ସାଧାରଣ ସ୍ତର ବିଚାରରେ ମଧ୍ୟ ସେମାନେ ତାର ଏକାମଛାକେ ନୁହନ୍ତି, ବହୁତ ତଳେ, ଏ ଧାରଣା ତା ମନରେ ସବୁବେଳେ ରହିଥିଲା । ତେଣୁ ଗାଁକୁ ଆସିଲେ ବି ସେ ଥିଲା ଭିନେ ମଣିଷ । କନ୍ଧ ଦେଶର ଅତି ପ୍ରାଚୀନ ପ୍ରଥା ଅନୁସାରେ ଗାଁର ସବୁ ଅଭିଆଡ଼ା ଯୁବକ ଏକାଠି ଗୋଟିଏ ଘରେ ରାତିରେ ଶୁଅନ୍ତି, ତା ନାଁ ଧାଂଡ଼ା ବସାଘର; ସେହିପରି ଗାଁର ସବୁଅଭିଆଡ଼ୀ ଝିଅ ଏକାଠି ଆଉ ଠାଏ ଗୋଟିଏ ଘରେ ଶୁଅନ୍ତି, ତା ନାଁ ଧାଂଡ଼ୀ ବସାଘର । କନ୍ଧ ସମାଜରେ ଭିନେ ଭିନେ ଗୋତ୍ରର ଯୁବକ ଯୁବତୀ ଆପଣା ଆପଣା ରାଜିରେ ବିଭା ହୁଅନ୍ତି, ତେଣୁ ଭେଣ୍ଡିଆ ହେବା ଦିନୁ ସେମାନଙ୍କ ଭିତରେ ବରକନ୍ୟା ବଛାବଛି ଉଦ୍ଦେଶ୍ୟରେ ଯୌବନର ଖେଳ ଚାଲେ, ଗୀତ ନାଚ ଘେନା ଘେନିର ନାନା ବାଗ ଭିତରେ ମଉଜମଜଲିସ୍‌ରେ ଜୀବନ ଗଡ଼ିଚାଲେ, ବିଭା ହେଲେ ଖେଳ ସରିସାଏ, ତାପରେ ମଦପିଆ ଓ ଧୂଆଁ ପତ୍ର ପିକା ଟାଣିବା ଏତିକି ରହେ ମଉଜ ହୋଇ । କିନ୍ତୁ ଟିମା କନ୍ଧ ଏଥିରେ ବି ସଂପୃକ୍ତ ନଥିଲା, ସବୁବେଳେ ତାର ଧାରଣା ଥିଲା ସେ ଏଥିରୁ ଉଚ୍ଚତର, ଯେଉଁ ଧାଂଡ଼ାମାନଙ୍କୁ ସେ ଦେଖିଛି ସେ ସମସ୍ତିଙ୍କଠୁଁ ଉଚ୍ଚତର, ସେ ବହିପଢ଼ା ସାବୁନଲଗା ସଫାପିନ୍ଧା ସଭ୍ୟ ମଣିଷ । ଗୋଟାଏ ପ୍ରଚଣ୍ଡ ଶୀତଳ ଆଉ ମୁଣ୍ଡା ଆତ୍ମବଡ଼ିମାର ଚେତନାତଳେ ତାର ବଢ଼ନ୍ତା ଉରିଆ ଦିନିର ଲହ ଲହ ଲାଳଚା ଚେପା ହୋଇ ଗୋପନରେ ମାଡ଼ୁଥିଲା, ପଥରତଳେ ଫାଟ ଭିତରେ ଯେଉଁ ସରୁ ସରୁ ପତ୍ରର ଶିଉଳୀ ଲତା ମାଡ଼େ, ସତେକି ସେମିତି । ତାପରେ ସେ ନର୍ସିଂଲୁ ଦୋରାଙ୍କ ଜ୍ୱାଇଁ ହେଲା, ନୂଆ ମୋହରେ ଦିନାକେତେ ତାର କଟିଗଲା, ତାପରେ ସେ ହେଲା ପ୍ରସିଦ୍ଧ, ବଡ଼ସହରରେ ସହରିଆ ହେବା ସଙ୍ଗେ ସଙ୍ଗେ ତାର ଚିହ୍ନାଜଣାର ବୁଲାଚଲାର ପରିସର ବଢ଼ିଗଲା, ଆଉ ବଡ଼ ସହରର ନୂଆ ଚଳଣି ନୂଆ ଧରଣ-ଧାରଣାରେ ପାଦ ବଢ଼ାଉ ବଢ଼ାଉ ତାର ପାଦହିଁ ଭୂଇଁରୁ ଟେକି ହୋଇଗଲା, ସେ ଓଲଟିଗଲା, ସତେକି ଭାସିଗଲା । ସେ କଥା ରଜନୀକୁ ସେ କେବେ ଲେଖିନାହିଁ ।

 

ତାର ଏ ନୂଆ ରୂପ ନର୍ସିଂଲୁ ଦୋରା କେବେ ଦେଖିନାହାନ୍ତି, ଲେଲିବାଡ଼ିର କେହି ସେଠି ନାହିଁ, ମେଲ୍‌କାବାଡ଼ିର କେହି ନାହିଁ, କନ୍ଧ ଦେଶର କେହି ନାହିଁ ଯେ ତା ଦେଖିବ କି ଯାହାକୁ ଦେଖି ସେ ଶଙ୍କିଯିବ । ସଞ୍ଜବୁଡ଼େ ବଡ଼ ସହରରେ ବଡ଼ ବଡ଼ ମଜାଘର ଦୁଆରମୁହଁ ବାଟେ ଯା-ଆସ ଲାଗିଥାଏ କେତେ ପୋଷାକପିନ୍ଧା ଭଦ୍ରବ୍ୟକ୍ତି ଭଦ୍ରମହିଳାଙ୍କର, ସମସ୍ତିଙ୍କ ଦେହ ଉପରେ ସେହି ଏକପ୍ରକାରର ଛାଉଣି, ରଙ୍ଗ ଭିନ୍ନେ ହୋଇଥାଉ, ଅଥବା କେଉଁ ପୋଷାକଟା ଟିକିଏ ବେଶି ଦାମୀ, କେଉଁଟା ଅଳ୍ପ । ଚେହେରା ଭିନ୍ନେ ହେଲେ ବି ସେମାନଙ୍କ ମୁହଁର ଠାଣି ସେହି ଏକାପ୍ରକାରର, ଆସି ପହଞ୍ଚିଲାବେଳେ ସମସ୍ତେ ମଉଜ୍‌ପାଇଁ ବ୍ୟଗ୍ର, ଆଖିରେ ଓଠରେ କାମନା ଜଳୁଥାଏ, ଲେଉଟିଗଲାବେଳେ ମୁହଁର ଠାଣି ଏକାଭଳି ଅବଶ, ମାନ୍ଦା, ଗାଲ ଓ ତଳ ଥୋମଣି ଏକାପ୍ରକାରେ ଝୁଲି ପଡ଼ିଥାଏ, ଚାହାଣୀ ଓଜନ ଓଜନ, ଗୋଡ଼ ଥରଥର । ଏହାରି ଭିତରେ ଭିନ୍ନେ ଭିନ୍ନେ ହୋଇ କେତେବେଳେ ଦିଶେ କେଉଁ ଆସିବା ଲୋକ ମୁହଁରେ ଅତିଶୟ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଭାବ, କାହା ଆଖିରେ ଅତି ଉତ୍ସାହ, ଉତ୍ତେଜନା, କେଉଁ ଗଲାଲୋକ ଆଖିରେ ପରିଷ୍କାର ନୈରାଶ୍ୟ କି ଉଦାସ ଉଦାସ ଭାବ, କାହା ଆଖିରେ ବିହ୍ୱଳ ବିଭ୍ରାନ୍ତ ଭାବ, ଯେପରିକି ସେ ବାଟ ଆଉ ଦିଗର ଧାରଣା ବି ପାସୋରି ପକାଇଛି । ଆଉ ଚାଲିଛି ନା ଚାଲିଛି, ନହେଲେ ତା ପକ୍ଷରେ ସ୍ୱାଭାବିକ ହୁଅନ୍ତା ଭୂଇଁରେ ଗଡ଼ିପଡ଼ିବା । ମଉକ ଘରର ମଉଜ ଫଉଜ ଭିତରେ କେ. ଟି. ଦୋରା ମିଶିଯାଏ । ସେହି ସମୟତକ ତାକୁ ଲାଗେ ସେ ଯେପରିକି ଏ ପୃଥିବୀରେ ନାହିଁ, ଆଉ କେଉଁ ବିଚିତ୍ର ପୃଥିବୀରେ ଅଛି, ସେ ସତ ନୁହେଁ କି ସ୍ୱପ୍ନ ନୁହେଁ ।

 

ସେ ଢୋଲେ ଢୋଲେ ମଦ ପିଏ, ସେ ମଉଜ ଘରଭିତରେ ପୋଷାକପିନ୍ଧା ଅନ୍ୟାନ୍ୟ ‘ଭଦ୍ରଲୋକେ’ ଯେମିତି କେଉଁ ଅଚିହ୍ନା କି ଅଧାଚିହ୍ନା ଭଦ୍ରମହିଳାଙ୍କ ଅଣ୍ଟାରେ କାନ୍ଧରେ ବାହୁ ଘେର ଦେଇ ବାଜୁଥିବା ବାଜା ତାଳ ସଙ୍ଗେ ନଖାପି ବେତାଳ ହୋଇ ପେଙ୍ଗେଇ ପେଙ୍ଗେଇ କୁଦାମାରନ୍ତି, ଦୋହଲନ୍ତି, ଟଳନ୍ତି, କେତେବେଳେ ସେମିତି ଛନ୍ଦାଛନ୍ଦି ହୋଇ ଟହଲୁ ଟହଲୁ ନାଚଘରର ଭିତର ଦୁଆରମୁହଁ ସେକରେ ଯେଉଁ ପାରାଖୋପପରି ସାନ ସାନ କୋଠରୀମାନ ଅଛି ତହିଁରୁ ଯେଉଁ ଗୋଟାକ ଭିତରେ କିଏ କେତେବେଳେ ହଜିଯାଆନ୍ତି, ମେଲ୍‌କାବାଡ଼ିର ଟିମାକନ୍ଧ ସହରିଆ ସାଜରେ ଦେହ ଢାଙ୍କି ଦେଇ ଅବିକଳ ସେହିପରି ହୁଏ, ସେହିପରି କରେ, ବୋଧହୁଏ ଆଉ କିଏ ଟିକିଏ ଅସଂଯତ ହୁଏ, ଲାଗେ ସତେକି ଏଥିରେ ବି ସେ ବଡ଼େଇ ଦେଖାଇହେଉଛି । ସତେ ଯେପରିକି ତାର ଆଚାରବ୍ୟବହାର କହିଦେଉଛି ଯେ ଯଦି ସଭ୍ୟତାର ମାପ ହେଲା ଏଇ, ଏଥିରେ ବି ବହକିଯିବ ସିନା, ହାରିବ ନାହିଁ ।

 

ଭାବିଲେ ଲାଗିବ ଯେ ଚଇତପରବବେଳେ କନ୍ଧ ଗାଁମାନଙ୍କରେ ଯେଉଁ ଦୃଶ୍ୟ ସେ ଦେଖେ ଏ ଦୃଶ୍ୟ ମୂଳତଃ ପ୍ରାପ୍ତ ସେହିପରି, ସେହିପରି ବେଶଭୂଷା ଅସମ୍ଭାଳ ସ୍ତ୍ରୀ ପୁରୁଷ, ସେହିପରି ମଉଜପାଇଁ ଉନ୍ମତ୍ତ । ନାଚରେ ଓ ନାଚର ବାଗରେବି ସେହିପରି ସାଦୃଶ୍ୟ ଦିଶିଯାଏ । ସେମାନେ ଧୁଙ୍ଗିଆ ଶୋଷନ୍ତି, ଏମାନେ ଚୁରୁଟ୍‌ କି ସିଗାରେଟ୍‌ । ସେମାନଙ୍କ ମଦ ଲାଉତୁମ୍ବାରୁ କି ଠେକିରୁ ଅଜଡ଼ା ହୁଏ, ଏମାନଙ୍କ ମଦ ଆସେ ବୋତଲରୁ । ସେମାନଙ୍କ ସ୍ତ୍ରୀଲୋକ ଅଣ୍ଟା ଉପରେ ଦେହର ଉପର ଅଧକରେ ସାନଖଣ୍ଡେ ଗୁରେଇଥାଏ, ଏମାନଙ୍କ ସ୍ତ୍ରୀଲୋକ ବି ସେହିପରି, କାନ୍ଧ ପିଠି ଖୋଲା, ଛାତି ଉପରେ ସାନ କରି ଖଣ୍ଡେ ଥାଏ କି ନଥାଏ । ସେମାନଙ୍କ ସ୍ତ୍ରୀଲୋକ ଅଣ୍ଟାତଳେ ଯେଉଁ ଘେର ଖଣ୍ଡେ ପିନ୍ଧିଥାଏ ସେ ଜଙ୍ଘତଳକୁ ଓହ୍ଲାଏନାହିଁ, ଏମାନଙ୍କର ବି ସେହିପରି-। କନାର ମୂଲ୍ୟ ଅଧିକ, ଦେହରେ ବୋଳା ରଙ୍ଗର ପୁଟ ଭିନେ; ଗନ୍ଧ ଭିନେ, ଏମାନେ ଇଂରେଜି କହନ୍ତି, କନ୍ଧ ଭାଷା ନୁହେଁ ।

 

କିନ୍ତୁ ତଫାତ୍‍ ବି ଆଖିରେ ପଡ଼େ, କନ୍ଧର ନାଚ ଉନ୍ମତ୍ତ ହେଲେ ବି ସେ ତା ଜୀବନର ସହଜ ପ୍ରକ୍ରିୟା, ସେଥିରେ ସ୍ୱାଭାବିକତା ଓ ସରଳତା ଥାଏ, ଏଠି ୟେ ଜାଣିଶୁଣି ଅସଜ, ଟାଣି ଓଟାରି ହେଇ ଲୋକ ରାତିରେ ନୂଆ ପ୍ରକାର ହୁଏ । ସେଠି ସେ କେବଳ କେତେକ ବିଶିଷ୍ଟ ବୟସର ସ୍ତ୍ରୀ ପୁରୁଷଙ୍କଠି ଆବଦ୍ଧ, କେବଳ ଧାଂଡ଼ା ଧାଂଡ଼ୀ, ଏଠି ଷାଠିଏ ବର୍ଷର ବୁଢ଼ାବି ଧାଂଡ଼ା ହେବାକୁ ଚେଷ୍ଟା କରେ, ସେଠି ସେହି ମଉଜର ପରିଣତ ହୁଏ ବିବାହରେ, ଜୀବନର ସାଙ୍ଗୀ ବାଛିବାର ପ୍ରକରଣର ସେ ଅଙ୍ଗ, ଏଠି ଠିକ୍ ତାର ଓଲ୍‌ଟା, ଏ ନାଚରେ ମଣିଷ ବିବାହର ଘେର ଭାଙ୍ଗେ । ସେଠି ସମସ୍ତେ ବହୁଦିନର ଚିହ୍ନାଜଣା, ଏଠି ଚିହ୍ନାଚିହ୍ନିର ପ୍ରଶ୍ନ ଉଠେ ନାହିଁ, ସେହି ମୁହୂର୍ତ୍ତକପାଇଁ ଚିହ୍ନା, ପୁଣି ସେହି ରୂପରେ ଚିହ୍ନାଚିହ୍ନି ଯେଉଁ ରୂପରେ ଭେଟାଭେଟି, ତାପରେ ଆଉ ଚିହ୍ନା ନାହିଁ ।

 

ଖାଲି ନାଚଘର ନୁହେଁ ପଦାରେ ବି କେ. ଟି. ଦୋରା ସହରର ସେହି ଉଚ୍ଛୃଙ୍ଖଳ ଜୀବନରେ ଦେହ ଭସାଇଦିଏ । ମଦ ପିଇ ମାତିବା ତାର ଅଭ୍ୟାସ ହୋଇଯାଇଥାଏ, ଆଉ ଏଇ ଜୀବନରେ ବୁଡ଼ିବା, ପହଁରିବା, ଭାସିବା, ସେ ମଟରଗାଡ଼ି ଚଢ଼େ, ସିଗାରେଟ୍ ଫୁଙ୍କେ, ନାନାଭାଷାର ନାନାଦେଶର ସ୍ତ୍ରୀ ପୁରୁଷଙ୍କ ସଙ୍ଗେ ମିଶିବାକୁ ସୁଯୋଗ ପାଏ । ଏ ସମାଜରେ ଏପରି ଜୀବନକୁ କେହି କିଛି ଗୁରୁତ୍ୱ ଦିଅନ୍ତିନାହିଁ, ଏ ଯେପରିକି ଆପେ ଆସେ, ଆପେ ଆପେ ସବୁ ଘଟିଯାଏ । ଦିନଯାକର କାମ ଶେଷରେ ନିଦରେ ଆପଣାକୁ ହଜାଇ ଦେଲାପରି ଏଠା ମଣିଷଙ୍କର ଏ ବି ଗୋଟାଏ ନିତିଦିନର ଅତି ସାଧାରଣ ଅବସ୍ଥା; କିନ୍ତୁ ଏ ଅବସ୍ଥା ସବୁ ସମୟରେ ନଥାଏ, ଭିନ୍ନେ ଭିନ୍ନେ ସମୟରେ ଭିନ୍ନେ ଭିନ୍ନେ କାମ ଥାଏ, ସବୁ କାମ ଭିତରେ ତରକାରିରେ ଲୁଣ ପରି ଚାହାରେ ଚିନି ପରି ଏଇ ଉଚ୍ଛୃଙ୍ଖଳ ଦାୟିତ୍ୱହୀନ ଢିଲାଢିଲି ଅବସ୍ଥା ସେହି ତରତର ଛଟପଟ ଚକାଭଉଁରୀ ମଣିଷଙ୍କ ଜୀବନରେ ସତେକି ଏକମାତ୍ର ସୁଆଦ । ଅନ୍ୟବେଳେ ଦିଶେ କିଏ ନାନାପ୍ରକାର ଗୁରୁଦାୟିତ୍ୱ ତୁଲାଉଛନ୍ତି । କାହାର ଅତି ଓଜନ ଦପ୍ତର, କଲମର ଗୋଟାଏ ଗୋଟାଏ ଧାଡ଼ିରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥ କି ଲକ୍ଷ ଲକ୍ଷ ଟଙ୍କା ଏକର ସେକର ହୁଏ, ପ୍ରକାଣ୍ଡ ପ୍ରକାଣ୍ଡ କୋଠା କାରଖାନା ତିଆରି ହୁଏ, ନ ହେଲେ ଭାଙ୍ଗେ । କାହାର ଭାଷଣ କି ଲେଖା କେତେ ସ୍ତରରେ ମଣିଷଗୋଷ୍ଠୀରେ ଚହଳ ପକାଏ । କିଏ ପାଦପୂଜା ପାଏ, କିଏ ପାଏ କରତାଳି, ଫୁଲମାଳ, କାହାର ନାଁରେ ହାଟ ବସେ, କାହାର ଛବି ବିକା ହୁଏ, କାହା ମୁଣ୍ଡର ବୁଦ୍ଧିକି ଜ୍ଞାନ ଅନ୍ୟ ଲୋକକୁ ବାଟ ବତାଏ, କାହା କଣ୍ଠର ସଙ୍ଗୀତ ମଣିଷ ହୃଦୟରେ ଚନ୍ଦନ ଲେପେ । ସେମାନେ ପାଠୁଆ, ହିସାବୀ, କାମିକା, ଦାମୀ ମଣିଷ, କେତେ ତହିଁରେ ଅଛନ୍ତି ଯେଉଁମାନେ ଗୋଟାଏ ଗୋଟାଏ ଝୁଙ୍କ ପଛେ ପଛେ ଧାଇଁ ଧାଇଁ ଯାଇ ଆପେ ଧ୍ୱଂସ ପାଆନ୍ତି, ଲୋକେ ସେମାନଙ୍କୁ କହନ୍ତି ଆଦର୍ଶବାଦୀ । କିନ୍ତୁ ତାଙ୍କ ଭିତରୁ ବି କେତେ ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନରେ ମଦ ଓ ଉଚ୍ଛୃଙ୍ଖଳ କାମଲାଳସାରେ ବୁଡ଼ିରହି ଆପଣାକୁ ତେଜି ରଖିଥାନ୍ତି । ସତେକି ବ୍ୟକ୍ତିଗତ ଜୀବନରେ ନିଷ୍ଠା କି ସଂଯମ କି ପବିତ୍ରତା ଯେଉଁ ପୁରୁଣାକାଳିଆ କାହାଣୀ, ତାଙ୍କର ବାସ୍ତବ ଜୀବନରେ ସେ ଅକାମୀ, ଅନାବଶ୍ୟକ । ଦେଖି ଦେଖି କେ. ଟି. ଦୋରା ଯେଉଁ ନୂଆ ଦର୍ଶନ ଆବିଷ୍କାର କରିଥିଲା ରଜନୀକୁ ତାର ଆଭାସ ଲେଖି ପଠାଇଥିଲା ଏହିପରି ଗୋଟିଏ ଚିଠିରେ–

 

‘‘ଏଠି ସମସ୍ତେ ମିଶନ୍ତି, ନାନାସ୍ତରରେ ଭେଟାଭେଟି ହୁଏ, କିନ୍ତୁ କେହି କାହାରି ବ୍ୟକ୍ତିଗତ ଜୀବନ ବିଷୟରେ କୌତୁହଳୀ ହୁଏନାହିଁ । ମଣିଷର ଏ କ’ଣ କମ୍ ସ୍ଵାଧୀନତା ? ଆମର ତେଣେ ଯେ ଲୋକେ ବିନା କାରଣରେ କୁତୂହଳୀ ହୋଇ ତୁମ ପଛେ ପଛେ କୁକୁର ମାଛିପରି ଗୋଡ଼େଇଥିବେ, କିଏ କେମିତି ଚଳୁଛି, କାହାର ଜୀବନରେ କାହାଣୀ କ’ଣ ଟିକିନିଖି କରି ଖବର ବୁଝି ପଦାରେ ପ୍ରଚାର କରୁଥିବେ, ସମସ୍ତେ ଅନ୍ୟ ସମସ୍ତିଙ୍କି ଖବର ଉଣ୍ଡିବା ବିଷୟରେ ଗୋଟିଏ ଗୋଟିଏ ଗୁଇନ୍ଦା ପୁଲିସ୍ । ତୁମେ ଯେତେ ବଡ଼ ହୋଇଯାଅ ପଛେ, ଅତୀତରେ ତୁମ ପୂର୍ବପୁରୁଷରେ କିଏ କ’ଣ ସାନ କାମ କରିଥିଲା ସେ ଖବର ପଦାରେ ରଟିବ, ତାହାରି ମାପରେ ତୁମର ମାପ ହେବ । କେଡ଼େ ନୀଚତା !

 

ସମସ୍ତେ ମଣିଷ, ମଣିଷ ହେଲେ ନିଜର ସ୍ଵତନ୍ତ୍ର ଜୀବନ ଥାଏ, ସେଥିରେ ଆଉ କାହାର କି ଯାଏ ? ଯେଉଁ ମୁହୂର୍ତ୍ତକ ତୁମେ ଆଉ ଜଣକୁ ଦେଖିଲ, ସେତେବେଳେ ସେ ଯାହା, ଯେପରି, ତାର ତୁମ ସମ୍ପର୍କରେ ସେତିକି ପରିଚୟ ଯଥେଷ୍ଟ ହେବା ଉଚିତ ।

 

ଦେଖୁଛି ତ ପ୍ରୀତମ୍ ସିଂ, କି ଚେହେରା ପ୍ରକାଣ୍ଡ ମଣିଷ, ଗୋରା ତକତକ । ମୁଣ୍ଡରେ ମସ୍ତବଡ଼ ଶାଗୁଆ ପଗଡ଼ି, ଲମ୍ବା ଦାଢ଼ି କଳା ସିଲ୍‍କ କନାରେ ଗାଲ ସଙ୍ଗେ ଥୋଡ଼ି ସଙ୍ଗେ ଏକାଠି ମିଶି ବନ୍ଧା ହୋଇଛି । ଚାଖଣ୍ଡେ ଚାଖଣ୍ଡେ ଗୋଜିଆ ନିଶ, ବାଘ ମୁହଁପରି ମୁହଁ ଝଟକୁଛି । ଦେହରେ ଦାମି ପୋଷାକ, ତାଙ୍କ ଜୋତା ହଳକ ଯେତେ ଦାମ୍ ମୋର ସବୁଯାକ ପୋଷାକ ତାକୁ ସରି ନୁହେଁ-। ଲକ୍ଷପତି କି କୋଟିପତି ତା କିଏ କଳି ପାରିବ ? ମସ୍ତ ବଡ଼ ବଡ଼ କଳକାରଖାନାର ମାଲିକ ସେ, ତାଙ୍କ ହାତଟେକାରେ ହଜାର ହଜାର ମଣିଷ । ଗାଡ଼ି ମଟର କେତେ ଯେ କ’ଣ । ତାଙ୍କ ଘର ବୈଠକଖାନା ସତେକି ଇନ୍ଦ୍ରଭୁବନ । ସେ ମତେ ଭାରି ଭଲପାଆନ୍ତି । ତାଙ୍କର ଇଚ୍ଛା ଆମ ବଣ ମୁଲକରେ ଖଣି ପଟ୍ଟା ନେଇ ଲୁହାପଥର ଖୋଳି ସେଠି ତାକୁ ଆଉଟି ସେଇଠି ଲୁହା ଜିନିଷ ତିଆରି କରିବେ । କରିବେ ହୁଏତ । ତାଙ୍କୁ ଏଠି ସମସ୍ତେ ମୁଣ୍ଡରେ ମୁଣ୍ଡାନ୍ତି କହିଲେ ଚଳେ-। ସେ ମନକଲା ମାତ୍ରେ ଉପକାର ସିଞ୍ଚନ୍ତି ।

 

କେବେ ଜୀବନ ଆରମ୍ଭ କଲାବେଳେ ସେ ନାଳ ଖୋଳେଇ କାମରେ ମାଟିଖୋଳା କୁଲୀ ହୋଇଥିଲେ । କିଏ ପଚାରିଯାଉଛି ସେ କଥା ? ସେଥିରେ ଥାଏ ବା କ’ଣ ?

 

ସେ କ’ଣ ମଉଜ କରୁଛନ୍ତି, କେମିତି ଚଳି ତାଙ୍କ ଅବସର କଟାନ୍ତି, ସେଥିରେବି ଆମର ଯାଏ-ଆସେ କେତେ ?

 

କିନ୍ତୁ ଆମର ମରହଟ୍ଟିଆମାନେ ଆଗ ସେହିଗୁଡ଼ାକ ଦେଖିବେ । କୁଳ ପବିତ୍ର କି ନୁହେଁ, ସେ ପୂଜାପାଠ କରନ୍ତି କି ନାହିଁ, ଇତ୍ୟାଦି ।

 

ମଣିଷ କେତେ ହସିବ ?

 

ଖଟି ଖାଇ ସାମାନ୍ୟ ଖାଇ ସାମାନ୍ୟ ପିନ୍ଧି କୁଡ଼ିଆ ଘରେ ରହି ସମସ୍ତିଙ୍କି ପୁଣି ସବୁକଥାକୁ ଡରିହରି ସମସ୍ତିଙ୍କି ଯୋଡ଼ହାତ ହୋଇ କେଉଁ ଦୂର ମଫସଲରେ କି ବଣ ପାହାଡ଼ ଖୋଲରେ ମାଙ୍କଡ଼ ପରି ଚଳନ୍ତି ମନ୍ଦା ମନ୍ଦା ଲୋକ, ତାଙ୍କ ଜୀଇବା ମରିବାର ଆଉ କେହି ଖବର ରଖେ ନାହିଁ । ମଣିଷ ଜୀବନର ସେମାନେ କେତେ ଚିହ୍ନନ୍ତି କେତେ ବୁଝନ୍ତି ? ତାଙ୍କ ଜୀବନରେ ଘଟନା କାହିଁ ? ଅଭିଜ୍ଞତା କାହିଁ ? ଅନୁଭୂତି କାହିଁ ? ସତେକି ସେମାନେ ଖାଲି ମାଟି ତଳର ଲେଡେଂ (ଜିଆ) । ମଣିଷ ଜୀବନ କହିଲେ ଯଦି ସେତିକି ବୁଝାନ୍ତା ତେବେ ଦେଶବିଦେଶରେ ଏତେ ବଡ଼ ବଡ଼ ସହର କାହିଁକି ଗଢ଼ାହୁଅନ୍ତା, ଏତେ ଯନ୍ତ୍ର, କଳକାରଖାନା, ଏତେ ପ୍ରକାର ବିଜ୍ଞାନ, ଏସବୁ ହୋଇଥାନ୍ତା କାହିଁକି ?

 

ନା, ଜୀବନ କ’ଣ ସେକଥା ବୁଝିବାକୁ ଜାଣିବାକୁ ଆମର ସୁବିଧା-ସୁଯୋଗ ନାହିଁ, ଆମେ ତାକୁ ଚିହ୍ନୁ ନାହିଁ । ଜୀବନ କହିଲେ ବୁଝାଏ ଗୋଟାଏ ପ୍ରଚଣ୍ଡ ଉତ୍ତେଜନା ଉତ୍ତାରୁ ଆଉ ଗୋଟାଏ ପ୍ରଚଣ୍ଡ ଉତ୍ତେଜନା, ସେ ଉତ୍ତେଜନା ବିଚାର ବାଟେ ଭାବନା ବାଟେ ଆସେ, ସେହି ଅନୁସାରେ ଲାଗିରହେ ମୁଣ୍ଡଘୂରା କାର୍ଯ୍ୟ, ସତେକି ଦାଉଦାଉ ହୋଇ ଦେହରେ ମନରେ ହୃଦୟ ଭିତରେ ନିଆଁ ଜଳୁଥାଏ, କି ଚଞ୍ଚଳତା, କି ତେଜ, କି ତାତି, କି ବେଗ । ସେଇ ତ ମଣିଷପଣର ଗୌରବ । ବୁଦ୍ଧି, ଚତୁରତା, ବଳ, ବିଚକ୍ଷଣତା, ଧନ, କଷାକଷି ଲଗାଇ ବାଦବୁଦିଆ ଲଗାଇ ପରର ଆଖି ଝଲସେଇ ଠେଲାଠେଲି ମରାମରି କଟାକଟି ଧକାଧକି ଭିତରେ ଯେଉଁ ମଣିଷ ଉପରକୁ ଉଠେ, ଆଗକୁ ମାଡ଼େ, ସେହି ଯେ ଜୀବନ କ’ଣ ତା ବୁଝେ, ଅସଲ ମଣିଷ ଜୀବନ ବଞ୍ଚେ, ତା ନ ହେଲେ ତ ଗୋରୁପରି । କଳକାରଖାନା ଖୋଲିଗଲେ ଆମେ ଯେତେବେଳେ ସତକୁ ସତ ମଣିଷ ହେବା ସେତେବେଳେ ସତକୁ ସତ ଆମେ ହୁଏତ ଜୀବନକୁ ଚାଖିବା, ଚିହ୍ନିବା, ଆମ ଦେଶ ଲୋକଙ୍କ ଜୀବନ ବି ସେମିତି ହେବ, ସେତିକିବେଳେ ଆମର ଉନ୍ନୟନ ହେବ, ତା ଆଗରୁ ନୁହେଁ । ବୁଝିଲ ?

 

ୟାର ଠିକ୍ ଓଲଟାଟାକୁ ଆମେ ଧରିବସିଚୁଁ । ଆମେ ଖୋଜୁଚୁ ସୁସ୍ଥି । ସୁସ୍ଥି କ’ଣ ? ନା ଆମର କିଛି ହଲଚଲ ହେବନାହିଁ, ହଲଚଲ ନହେଲେ ଜୀବନ କ’ଣ ? ବିପଦ ନ ଆସିଲେ ଜୀବନା କ’ଣ ? ବିପଦ ଘରେ ବସିଲାଲୋକକୁ ସେତେ ପଡ଼େନାହିଁ ଯେତେ ପଡ଼େ ପଦାରେ କାମକଲା ଲୋକକୁ । ୟେ ଲୋକ ତ ବିପଦ ଭିତରେ ଆତଯାତ ହେଉଥାନ୍ତି । ଆମେ ଖୋଜୁଚୁ ଶାନ୍ତି । ଶାନ୍ତି କ’ଣ ? ବିଧା ଗୋଇଠା ଅଇଁଠା ଯାହା ଆମ ଭାଗ୍ୟକୁ ଜୁଟିଲା ସେଇଆକୁ ଧରି ଭଙ୍ଗା କୁଡ଼ିଆରେ ବସିଥା ।

 

ସୁସ୍ଥି ନୁହେଁ, ଶାନ୍ତି ନୁହେଁ, ଆମର ଜୀବନ ଦରକାର ।’’

 

ତାର ଏ ଚିଠି ରଜନୀ ଯେତେବେଳେ ସବୁଥର ପରି ତା ବାପାକୁ ପଢ଼ାଇଲା, ନର୍ସିଂଲୁ ଦୋରା ମହାଅଡ଼ୁଆରେ ପଡ଼ିଲେ । ସେ ଧୂଆଁପତ୍ର ବ୍ୟବସାୟ କରି ଟଙ୍କା କମେଇଥିଲେ, ସେହି ଟଙ୍କାରେ ଜମି କରିଥିଲେ ବଢ଼ାଇଥିଲେ, ତାପରେ ଆଖୁରେ ଟଙ୍କା ଖଟାଇ ବଡ଼ ଆଖୁଚାଷୀ ହୋଇଥିଲେ, ବେପାର, ମହାଜନି ଓ କାରବାରରେ ଜୀବନ ବିତାଇ ସବୁବେଳେ ଯେ ସେ ସତକୁ ଜଗିଥିଲେ କି ଆଦର୍ଶ ମଣିଷ ହୋଇ ସଂସାରରେ ଚଳିପାରିଥିଲେ ଏପରି ନୁହେଁ, ବରଂ ସଂସାର କ୍ଷେତ୍ରରେ ସେ ବାରମ୍ବାର ଅନୁଭବ କରିଥିଲେ ଯେ ସିଧା ଅଙ୍ଗୁଠିରେ ଘିଅ ଉଠେନାହିଁ । ଘିଅ ଉଠାଇବାକୁ ହେଲେ ଆଙ୍ଗୁଠି ବଙ୍କା କରିବାକୁ ହିଁ ପଡ଼େ । ବଙ୍କା ଆଙ୍ଗୁଠିରେ ଟଙ୍କା ଆସୁ ଆସୁ କେତେବେଳେ କାହାର ରକ୍ତ କି ମାଂସ କି ଲୁହ ଉଠି ନ ଆସିଛି ତା ନୁହେଁ, ଜମି ବଢ଼ାଇବା ନିଶାରେ ମାତି କେତେବେଳେ କେଉଁ ଉପାୟରେ ସେ କାହାର ଜମି ଓଟାରି ନେଇଛନ୍ତି, ମକଦ୍ଦମା ଲାଗିଛି, ନିୟମ କରି ସେ ମିଛ ସାକ୍ଷୀ ଦେଇଛନ୍ତି, ମିଛ ପ୍ରମାଣ ଆଗତ କରିଛନ୍ତି, ନିଷ୍ଠୁରତା ଦେଖାଇ କାହାରି କାହାରି ଅନିଷ୍ଟ ବି କରିଛନ୍ତି । ଫରଚା କପାଳ; କୁଞ୍ଚକୁଞ୍ଚିଆ କଳା କହରା ବାଳର ଜଙ୍ଗଲକୁ ଦି’ ଭାଗକରି ସିଧା ହୋଇ କପାଳ ମଝିରେ ଫିରେଇ ଯାଇଛି, କାନରେ ସୁନା ଫାଶିଆ; ଉପର ଓଠକୁ ଘୋଡ଼େଉ ପକାଇ ଲମ୍ବା ନିଶ ବହଳ ହୋଇ ଓହଳିଛି, ଲମ୍ୱା ମାଟିଆ କାମିଜ, କାନ୍ଧରେ ଅଳ୍ପ ଓସାରରେ ଭାଙ୍ଗହୋଇ ଚାଦର ଓହଳିଛି, ସିଧା ଡେଙ୍ଗା ଗୋରା ମଣିଷ । ସେହି ଚିହ୍ନା ଚେହେରାକୁ ଲେଲିବାଡ଼ିର ଲୋକେ ଦଣ୍ଡବତ କଲାବେଳେ ସେମାନଙ୍କ ହୃଦୟରେ ଶ୍ରଦ୍ଧା କି ସ୍ନେହ ଥାଏ ଏପରି ନୁହେଁ, ସେମାନେ ତାଙ୍କ ସାଫଲ୍ୟକୁ ହିଁ ଦଣ୍ଡବତ କରନ୍ତି, ତାଙ୍କୁ ନୁହେଁ ।

 

କିନ୍ତୁ ନର୍ସିଂଲୁ ଦୋରା ଅର୍ଥ ବିଷୟରେ ଭାଲୁଶୋଷା ହେଲେ ବି ଆଗକାଳିଆ ମଣିଷ । ସେ ଭାବନ୍ତି ଯେ ମଣିଷର ଆଚରଣଟା ସଂସାରୀ ହୋଇପାରେ; କିନ୍ତୁ ବିଚାରଟା ସବୁବେଳେ ସଂସାରୀ ହେବା ଉଚିତ ନୁହେଁ । ସତ୍ୟ, ଶାନ୍ତି, ଧାର୍ମିକତା, ପବିତ୍ରତା, ନ୍ୟାୟ ଏହିପରି ଗୁଣମାନଙ୍କୁ ସେ ବଡ଼ ବୋଲି ଭାବନ୍ତି । ତାଙ୍କ କପାଳରେ ଯେଉଁ ସଳଖ ସିନ୍ଦୂର ଚିତା ଜଳଜଳ କରେ ସେହି ସବୁ ଗୁଣ ଓ ଆଦର୍ଶକୁ ତାଙ୍କର ସ୍ୱୀକୃତି ଅଛି ଏତିକି କଥାର ସେ ବିଜ୍ଞପ୍ତିର ସଙ୍କେତ । ତାଙ୍କ ନିଜଦ୍ୱାରା କାର୍ଯ୍ୟରେ ସେ ହୋଇପାରୁନାହିଁ ତା ବୋଲି ତା ହେବା ଉଚିତ ନୁହେଁ, ଏପରି ତାଙ୍କର କେବେ ଧାରଣା ନଥିଲା; ବରଂ ସେ ପାପକଲେ ଲାଜେଇଛନ୍ତି, ଲୁଚେଇଛନ୍ତି । ମିଛ କହିଲେ ବି ଆପଣା ଭିତରେ ଦବକ ଅନୁଭବ କରିଛନ୍ତି, ସଂସାରରେ ଶାସ୍ତ୍ରୀୟ ସଦ୍‍ଗୁଣମାନ ରହିବା ଉଚିତ, ସେ ନିଜେ ନପାରିଲେ ସୁଦ୍ଧା ଆଉ ଅନ୍ୟମାନେ କେହି ସେଗୁଡ଼ିକ ପାଳି ଆଦର୍ଶ ଦେଖାଇବା ଉଚିତ, ଏ ବିଷୟରେ ତାଙ୍କର ଦୃଢ଼ ମତ । ତେଣୁ ସେ ବାବାଜି ଦେଖିଲେ ଗୋଡ଼ତଳେ ପଡ଼ନ୍ତି । ଠାକୁରଦର୍ଶନ କରନ୍ତି; ମାନସିକ ଯାଚନ୍ତି । ଓଷାବାର କରନ୍ତି । ଶାନ୍ତି, ସରଳତା, ସୁସ୍ଥି, ସଦାଚରଣ, ଏଗୁଡ଼ିକ ଜୀବନରେ ନିରର୍ଥକ, ଏସବୁ ମଣିଷର ଅଧୋଗତିର ଚିହ୍ନ–ଏଭଳି ଧାରଣା ସେ କେବେ କଳ୍ପନାରେ ଆଣି ନଥିଲେ । ଉତ୍ତେଜନା, ପୋଡ଼ି ଓ ଛଟପଟରେ ମଣିଷ-ଜୀବନର ଗୌରବ ବଢ଼େ, ଏ କଥା ବି ତାଙ୍କ ସ୍ୱପ୍ନର ଅଗୋଚର । ତାଙ୍କ ଜୋଇଁର ଚିଠିରୁ ତାର ଏପରି ମନୋଭାବ ଦେଖି ସେ ଚମକି ପଡ଼ି ଧାଇଁଗଲେ ତାଙ୍କ ପୁରୁଣା ବନ୍ଧୁ ବୀର ଲଖ୍ୱଣ ସ୍ୱାମୀ ପାଖକୁ ।

 

ମଦ ଦୋକନ ଠିକାଦାର ବୀର ଲଖ୍ୱଣ ସ୍ଵାମୀ ଥନ୍ତଲପେଟା ହୋଇ ଟିକି ମଣିଷଟିଏ, ଦେଖିବାକୁ ଗୋଲଗାଲ । ଗୋଲ ପାଲିସ୍ ଟୁବୁକା ହଳଦିଆ ମୁହଁଟିଏ, ନିଶ ଦାଢ଼ି ରଖନ୍ତିନାହିଁ । ଭ୍ରୂଲତାରେ ପାତଳ କହରା ବାଳ । ଗୋଲା ଗୋଲା ବଡ଼ ବଡ଼ ଆଖିଯୋଡ଼ିକ ସାମାନ୍ୟ କଥାରେ ବି ଆଶ୍ଚର୍ଯ୍ୟ ହେଲାପରି ଭଙ୍ଗୀ କରି ସ୍ଥିର ହୋଇ ରହେ, ସତେ ଯେପରିକି ସେ ଜଣେ ଅତି ନଗଣ୍ୟ କେହି ନୁହେଁ ମଣିଷ, ନିତାନ୍ତ ମଳିମୁଣ୍ଡିଆ, ସବୁଥିରେ ସେ ଆବାକାବା, ପିଲାପରି ସରଳ । ହସିଦେଲେ ଆହୁରି ସରଳ । ବଡ଼ ଧୀର କଥା, ମାପିଲାପରି ଥିର ଚାଲି । କିନ୍ତୁ ନର୍ସିଂଲୁ ଦୋରା ଜାଣନ୍ତି ଓ ଲେଲିବାଡ଼ିର ବହୁତ ଲୋକ ଜାଣନ୍ତି ଯେ ବୀର ଲଖ୍ୱଣ ସ୍ଵାମୀ ବୁଦ୍ଧି ଓ ଫନ୍ଦିରେ ଅତି ଆଶ୍ଚର୍ଯ୍ୟ ପ୍ରକାରେ ଶକ୍ତିଶାଳୀ । ସବୁକଥାର ଗହୀର ଭେଦ ତାଙ୍କୁ ଜଣା, ଦଶକୋଶ ଆକ୍ରାନ୍ତରେ ଯେତେ ସ୍ଥାନରେ ତାଙ୍କର ମଦ ଦୋକାନ ଚାଲିଛି, ସେଠି ସେ ନ ଜାଣି କୌଣସି ଘଟନା ଘଟେ ନାହିଁ-। ସେହି ଚକ୍ରାନ୍ତ କରିପାରନ୍ତି, ଚକ୍ରାନ୍ତ ଫଟେଇ ପାରନ୍ତି । ଲୋକଚରିତ୍ର ତାଙ୍କ ନଖଦର୍ପଣରେ-। ସେହି ବୁଦ୍ଧିରେ ଏତେ ଲୋକଙ୍କୁ ଟପି ସେ ବାଇଶିବର୍ଷକାଳ ସବୁ ନିଲାମରେ ମଦ ଦୋକାନଗୁଡ଼ିକର ଠିକା ନେଇପାରିଛନ୍ତି ଓ ସେଗୁଡ଼ିକୁ ଚଳାଇ ଲାଭ ଉଠାଇ ପାରିଛନ୍ତି-। ବୀର ଲଖ୍ୱଣ ସ୍ୱାମୀଙ୍କର ଗୋଟିଏ ଆଖିଦରଶା ଦୁର୍ବଳତା, ସେ ଅକାରରେ ଖର୍ବ ହେଲେବି ସ୍ତ୍ରୀ ଜାତି ପ୍ରତି ଅତିମାତ୍ରାରେ ଆସକ୍ତ । ବିବାହିତା ସ୍ତ୍ରୀ ଓ ରକ୍ଷିତା ହୋଇ ତାଙ୍କର ପ୍ରାୟ କୋଡ଼ିଏ ପଚିଶିଟି ହେବେ-। ତାହାଛଡ଼ା ଆହୁରି ଅନେକେ ଅଛନ୍ତି, ଯେଉଁମାନଙ୍କ ସଙ୍ଗେ ତାଙ୍କ ସମ୍ପର୍କ ନିର୍ଦ୍ଦିଷ୍ଟ ନୁହେଁ; କିନ୍ତୁ ସମସ୍ତିଙ୍କ ପାଇଁ ସେ ଧନ ବ୍ୟୟ କରିଛନ୍ତି । ସ୍ତ୍ରୀ ଓ ରକ୍ଷିତାମାନଙ୍କ ପାଇଁ ଜମି ଖଞ୍ଜି ଦେଇଛନ୍ତି ଓ ଘର ତୋଳିଦେଇଛନ୍ତି, ଅନ୍ୟମାନଙ୍କୁ ପ୍ରଚୁର ଦେଇଛନ୍ତି । ବହୁତ ବିଷୟରେ ନାନାପ୍ରକାର ସାହାଯ୍ୟ, ଚାନ୍ଦା, ଭେଦା, ଖଞ୍ଜା, ଉପହାର ଦେବା ବିଷୟରେ ସେ ମୁକ୍ତହସ୍ତ । ସେ ନିଜ ଧନରେ କେତେ ଗାଁରେ ଚାଟଶାଳୀ ଘର ତୋଳାଇ ଦେଇଛନ୍ତି । କେତୋଟି ଦେଉଳ ତୋଳିଛନ୍ତି । କେତେ ପୋଖରୀ ଖେଳାଇଛନ୍ତି । ତାଙ୍କର ସବୁଠୁ ବେଶି ଉତ୍ସାହ ‘ହରିକଥା’ କରାଇବାରେ ଓ ଭାଗବତ ସପ୍ତା କରାଇବାରେ । ସେଥିସକାଶେ ସେ ମଝିରେ ମଝିରେ କିଛି କିଛି ଖର୍ଚ୍ଚ କରନ୍ତି; ତା ଛଡ଼ା କେତେବେଳେ ପଣ୍ଡିତ ଡକାଇ ଭାଗବତ ଅର୍ଥ କରାଇ ଶୁଣନ୍ତି । ଅନେକେ ସ୍ୱୀକାର କରନ୍ତି ଯେ ତାଙ୍କଠି ଭକ୍ତି ଅଛି, ବାକି ବଦଗୁଣ ବୋଲି ଯାହା କୁହାଯିବ ସେଗୁଡ଼ାକ ତାଙ୍କ ପୂର୍ବ-ଜନ୍ମର ସଂସ୍କାର-

 

ବୀର ଲଖ୍ୱଣ ସ୍ୱାମୀ କେ. ଟି. ଦୋରାର ଚିଠି ପଢ଼ି ଟିକିଏ ମୁହଁ ଗମ୍ଭୀର କଲେ, ପୁଣି ତାଙ୍କର ସହଜ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଭଙ୍ଗୀ ଫୁଟିଉଠିଲା । ତାପରେ ହସିଉଠି ସେ କହିଲେ, ‘‘ତୁମେ ଭୁଲିଯାଉଛ ଯେ ଏ ଚିଠି ସେ ତା ଭାରିଯା ପାଖକୁ ଲେଖିଛି । ଭାରିଯା ପାଖକୁ ଚିଠି ଲେଖିଲେ କ’ଣ ଗେଲରେ ଲେଖିବା ମନା ? ରହସ୍ୟ କରିବା ମନା ?’’ ଏତିକି ମନ୍ତବ୍ୟରେ ସତେ ଯେପରିକି ସବୁ ସମାଧାନ ହୋଇଗଲା । ସେହିପରି ଭଙ୍ଗୀ ଦେଖାଇ ସେ କହିଗଲେ, ‘‘ଟିମାୟା ପରି ପିଲାର ମୁଣ୍ଡ ବିଗିଡ଼େ ନାହିଁ, ଭାରିଯା ଆଗରେ ପହଜ ଦେଖାଇ ସେ ନାନା ଲମ୍ବା ଲମ୍ବା କଥା ଲେଖିଛି । ସେଥିରୁ କେତେ ତା ମନକଥା, କେତେ ତା କଳ୍ପନା, କେତେ ସେଠିକା ଅନ୍ୟ ଲୋକଙ୍କ କଥା । ସେଠା ଲୋକେ ଯଦି ସତେ ସତେ ଭାବୁଥିବେ ଯେ ପୂଜାପାଠ ଖରାପ, ଶାନ୍ତି ସୁସ୍ଥି ଖରାପ, ଜାଣିଶୁଣି ଉତ୍ତେଜନା ତିଆରି କରି ସେଥିରେ ଛଟପଟ କଲବଲ ନ ହେଲେ ମଣିଷ ଜୀବନଟା ନିଷ୍ଫଳ ହେବ, ତେବେ ସେମାନଙ୍କ କପାଳରେ ଭଲ କିଛି ଦିଶୁନାହିଁ; ସେଗୁଡ଼ାକ ପାଗଳ । ସେଗୁଡ଼ାକ କଳଠୁଁ ବଳି ଆହୁରି ନିର୍ଜୀବ କଳଗୁଡ଼ାଏ, ମଣିଷ ନୁହଁନ୍ତି । ଦେହ ତ ଜଳୁଥିବ, ମନ ତ ଜଳୁଥିବ, ସବୁ ତ ଅସ୍ଥିର ଅନିଶ୍ଚିତ ହୋଇ ରହିଥିବ, ତେବେ ଆଉ ଚଢ଼େଇପରି ଆକାଶରେ ଉଡ଼ିଲେ ବି କ’ଣ ହେବ ?’’

 

Unknown

‘‘କ’ଣ ଲେଖିବି ?’’

 

‘‘କିଛି ଲେଖ ନାହିଁ । ଜଣେ ଅବାଟରେ ଥିଲେ ସେ ବାଟକୁ ଆସିବ ବୋଲି ତୁମେ କବାଟ ଖୋଲା ରଖିଥିବ, ବୁଜିବ ନାହିଁ । ଯଦି ଦୋଷ ଲଦିଦେବ, କି କଥା ପ୍ରଘଟ କରିଦେବ, ଆକଟି ଦେବ କି ଲାଜରା କରିଦେବ, ତେବେ ସେ ଫେରିବ ନାହିଁଟି । ମଣିଷ, ହାତ ଗୋଡ଼ ଅଛି ।

 

ବିଚକ୍ଷଣ ବୀର ଲଖ୍ୱଣ ସ୍ଵାମୀଙ୍କର କହିବାର ବାଗ ଏହିପରି, ସାଧାରଣ କଥାକୁ ସେ କରିଦିଅନ୍ତି ନୀତିକଥାର ବାକ୍ୟ, ତାହାରି ଭିତରେ ଗୂଢ଼ ଅର୍ଥ ରହିଥାଏ ।

 

କାଲ ଠାର କାଲ ମା’ ବୁଝେ । ସେମିତି ବୀର ଲଖ୍ୱଣ ସ୍ୱାମୀଙ୍କର ଅଜୀବନ ବନ୍ଧୁ ନର୍ସିଂଲୁ ଦୋରା ତାଙ୍କର କଥାର ଭାବାର୍ଥ ଗ୍ରହଣ କରିପାରିଲେ, ତାଙ୍କ ଆଖି ଛଳଛଳ ହେଲା, ସେ ଦୀର୍ଘନିଃଶ୍ୱାସ ପକାଇଲେ । ସେ ବୁଝିଲେ ଯେ ବୀର ଲଖ୍ୱଣ ସ୍ୱାମୀ ଭାବୁଛନ୍ତି ତାଙ୍କ ଜୋଇଁ ବଗିଡ଼ି ଯାଇଛି, ଧର୍ମନୀତି ଭଲମନ୍ଦ ସବୁ ପାସୋରି ପକାଇ ବଡ଼ ସହରରେ ସହରିଆ ହୋଇ ଧେଇ ଧେଇ ହୋଇ ନାଚୁଛି, ଗଲା, ପିଲାଟା ବିଗିଡ଼ିଗଲା ।

 

ବୀର ଲଖ୍ୱଣ ସ୍ୱାମୀଙ୍କ କଥାରୁ ଏପରି ଅର୍ଥ ଅନ୍ୟମାନେ ଘେନନ୍ତେ ନାହିଁ; କିନ୍ତୁ ନର୍ସିଂଲୁ ବୁଝନ୍ତି, ସେ ବୁଝିଲେ ।

 

ବୀର ଲଖ୍ୱଣ ସ୍ଵାମୀଙ୍କ ବୈଠକଖାନା ଘରେ ବସି ନର୍ସିଂଲୁ ଦୋରା କାନ୍ଥର ରାମବନବାସ ଛବି ଆଡ଼କୁ ଅନାଇଁ ରହିଥିଲେ । ଆଖିରେ ଲୁହ ଚିକ୍‍ଚିକ୍ କରୁଥିଲା । ବୀର ଲଖ୍ୱଣ ସ୍ଵାମୀ ବହୁତ ଦୂରକୁ ଦେଖିପାରନ୍ତି; ତାଙ୍କର ଅନୁମାନ କେବେ ମିଛ ହୋଇନାହିଁ । ଜୋଇଁ ଅବାଟରେ ଅଛି, ଏତେ ଶୀଘ୍ର ସେ ବାଟକୁ ଫେରିବ ନାହିଁ; ଅପେକ୍ଷା କରି ରହିବାକୁ ପଡ଼ିବ, ତା ସଙ୍ଗେ ହୁସିଆରରେ କାରବାର ହେବାକୁ ପଡ଼ିବ । ଭାବି ଲାଗିଲେ, କ’ଣ ଅବା ଯୋଗ୍ୟ ମଣିଷଟାଏ ସେ । ଶାନ୍ତଶିଷ୍ଟ ଭଲପିଲାଟିଏ ବୋଲି ସେ ତାକୁ ବାଛିଥିଲେ, ଆଶା ଥିଲା କାଳେ ସେ କିଛି ହେବ-। ଚାକିରି ଛାଡ଼ିଲା । ଅନ୍ୟ ବୃତ୍ତି ଘେନିଲାନାହିଁ । ତାପରେ ନେତାଗିରି । ସେଥିପାଇଁ ସେ ଟଙ୍କା ଅଜାଡ଼ି ଦେଇଛନ୍ତି । ଯଦି ସତକୁ ସତ ପଦାରେ ବୁଲି ସେ ବିଗିଡ଼ିଯିବ, ତେବେ କ’ଣ ହେବ ।

 

ତାଙ୍କ ମନକଥା ଅନୁମାନ କରି ବୀର ଲଖ୍ୱଣ ସ୍ଵାମୀ କହିଲେ, ‘‘ଓଃ ! ମୋ କଥାଟାକୁ ଏତେମାତ୍ରକେ ଧରିଲ କି ? ଟୋକା ଲୋକ, କ’ଣ ମନ ହେଇଯାଇଚି । ସେ ବି ଟିକିଏ ଢିଲା ଛାଡ଼ିଦେଇନା କି ? ରଜନୀ ତମ ଘରେ ରହିଲା । ସେ ବି କାଇଁ ଆସିନାଇଁ କୋଉକାଳୁ । ବଡ଼ ବଡ଼ ଲୋକ ତୁଲେ ମଟର ଚଢ଼ି ବୁଲୁଥିବ । ବଡ଼ ବଡ଼ କଥା ଦେଖୁଥିବ, ଶୁଣୁଥିବ, ଯେତେ ବଡ଼ ବଡ଼ କଥା ଭାବିଲେ ହେଲେ କ’ଣ କିଏ ଲେଉଟାଇ ପକାଇଲାଣି ଯେ, ସେ କ’ଣ କରିବ ? ଯୁଗ ତାର ମନକୁ ମନ ବଦଳୁଛି, ଏ ମଣିଷ ନିଜ ମୁଣ୍ଡ ଥଣ୍ଡା ରଖିଲେ ହେଲା । ତାକୁ ଡକେଇଆଣ, କୋଉଁଠି କିଛି ବେପାର ବାଟରେ ଲଗେଇ ଦିଅ ।’’

 

ନର୍ସିଂଲୁ କହିଲେ, ‘‘ଚେଷ୍ଟା କରିବି ।’’

 

କିନ୍ତୁ ନର୍ସିଂଲୁଙ୍କ ଚିଠି ପହଞ୍ଚିଲାବେଳକୁ କେ. ଟି. ଦୋରା ନିଭା ଦେବୀଙ୍କ ଘରକୁ ଯିବାକୁ ସଜ ହେଉଥିଲା । ଆଖିଆଗରେ ଖେଳିଯାଉଥିଲା ଗୋଟିଏ ଗହମ ବର୍ଣ୍ଣର ନାରୀର ଛବି । ସେ ଆକାରରେ ଟିକିଏ ବାଙ୍ଗର । ହୃଷ୍ଟପୁଷ୍ଟ ଗଢ଼ଣ, ଓସାର ଅଣ୍ଟା, ଗୋଲ ମୁହଁ, ସାନ ନାକଟିଏ, ଅଳ୍ପ ଚେପ୍‍ଟା । ସେ ମୁହଁର, ସେ ଦେହର ସ୍ପଷ୍ଟ ହୋଇ କିଛି ମନେରହେ ନାହିଁ; କିନ୍ତୁ ମନେପଡ଼ିଗଲା ମାତ୍ରେ ତାର ଛାତି ଭିତର ଉତ୍ତେଜନାରେ ଧଡ଼ପଡ଼ ହେଉଥିଲା, ସ୍ମରଣରେ ଆସୁଥିଲା ଗୋଟାଏ ବିଚିତ୍ର ମହକ, ଗୋଟାଏ ବିଚିତ୍ର ପ୍ରକାର ଖଳ ଖଳ ହସ, ଭଙ୍ଗା ଭଙ୍ଗା ଚୂନା ଚୂନା ଚପଲ କଥାର ଝାଙ୍କ, ଫୋଡ଼ିଲା ପରି ମୁନିଆଁ ମୁନିଆଁ, ଟେହିଲା ପରି ଉସ୍କେଇଲା ପରି ଗୋଟାଏ ପ୍ରକାର ଗତିର ବେଗ, ସେ ଝାଙ୍କିଦିଏ, ଚମକେଇ ଦିଏ । ସେହି ସ୍ମରଣ ସଙ୍ଗେ ଏକାଠି ସାଙ୍ଗ ହୋଇ ଆଉ କେତେ କାଳ୍ପନିକ ଛବି ମନେପଡ଼େ, କେତେ ନୂଆ ନୂଆ ଭାବନା ଆସେ । ସେ ଭାବୁଥିଲା, ନିଭା ଦେବୀ କୋଟିକରେ ଗୋଟିଏ, ଜୀବନକୁ ଚିହ୍ନିବାକୁ ଓ ନୂଆ ଅନୁଭୂତି ଗ୍ରହଣ କରିବାକୁ ସେ ତାକୁ ଯେତେ ସାହାଯ୍ୟ କରିଛନ୍ତି, ଆଉ କେହି ଏପରି କରିନାହିଁ । ଯେତେଥର ଦେଖିଲେବି ସେତେଥର ସେ ସତିକି ନୂଆ ନୂଆ ଲୀଳାର ରୂପରେ ସଜା ହୋଇଛନ୍ତି । ଖାଲି ନୂଆ ବେଶର ନୁହେଁ, ଯେପରିକି ତାଙ୍କ ଭିତରେ କେତେ ଗହନରେ କେତେ ପରସ୍ତ ତଳେ କ’ଣ ବିସ୍ମୟ ଛପି ରହିଛି । ସେ ଆକର୍ଷଣ କରେ, କିନ୍ତୁ ଯେତେ ଧରିଲେ ବି ଧରି ହୁଏ ନାହିଁ, ଚିହ୍ନି ହୁଏ ନାହିଁ । କେତେ ଲୋକ କେତେ ପ୍ରକାର ଭଙ୍ଗୀ ଖେଳାଇ ଖେଳାଇ ତାଙ୍କ ଚାରିକତି ଘୂରିବୁଲିବାର ସେ ଦେଖିଛି, ଦଶଦିନ ହେଲା ଗହଳି ଭିତରୁ ସତେକି ସେ ତାକୁ ବାଛି ନେଇଛନ୍ତି; କିନ୍ତୁ ଚିଆଁ ଦେବାପାଇଁ ଅଥବା ଗେହ୍ଲା ଆଦର ଅଜାଡ଼ି ଦେବାପାଇଁ ସେ ତା ବୁଝିପାରେ ନାହିଁ ।

 

ଦର୍ପଣ ପାଖରେ ବସି ସେ ତରତର କରି ମୁଣ୍ଡ ବାଳ ଉପରେ ବ୍ରସ୍ ଘଷୁଥିଲା, ସାମ୍ନା ଆଡ଼ୁ ପଛକୁ । ସତେ ଯେପରି ଏହି କାର୍ଯ୍ୟ ସଙ୍ଗେ ସଙ୍ଗେ ସେ ତାଙ୍କ ବିଷୟରେ ଗୋଟାଏ କଷ୍ଟ ଗଣିତର ସମସ୍ୟାକୁ ସମାଧାନ କରିବାରେ ଲାଗିପଡ଼ିଥିଲା । ଉଡ଼ି ଉଡ଼ି ଆସୁଥିଲା ଚେନାଏଁ ଚେନାଏଁ ପରିବେଷ୍ଟନୀର ଚିତ୍ର ସଙ୍ଗେ ସଙ୍ଗେ ଚୂନା ଚୂନା କଥା ପଦେ ପଦେ । ଅତି ପାଖରେ ଅତି ଆପଣାର ହୋଇ ସେ ହସିଲା ସଞ୍ଜଟା । ସନ୍ଧ୍ୟା ସାତଟା ବାଜିଯାଏ । ପ୍ରୀତମ୍ ସିଂର ମଟରଗାଡ଼ି ଗୋଟାଏ ହୋଟେଲ ଆଗରେ ଅଟକି ଥିଲା । ସେ ଓହ୍ଲେଇ ପଡ଼ିଥିଲା । ବଡ଼ ଗାଡ଼ିଟା ଆସ୍ତେ ଆସ୍ତେ ଚାଲିଯାଇଥିଲା । ସଡ଼କ କରରେ ପକ୍କା ଚଲାବାଟ ଉପରେ ଘୋଡ଼ିପୁଡ଼ି ହୋଇ ଗୁଡ଼ାଏ ବୁଲା ଭିକାରି ବସିରହିଥିଲେ, ସତେକି ଅଚଳ ହୁଙ୍କାଟି ଏମାନ । ବଡ଼ ହଲ୍‌ ଘରେ କେତେ ଲୋକ ବସିଥିଲେ, ରେଡ଼ିଓ ବାଜୁଥାଏ, ପାଟି ଶୁଭୁଥାଏ । ସେ ସେହି ହଲ୍‌ ଘର ଟପି ଭିତରକୁ ଗଲା । ସିଡ଼ିରେ ଉଠିଲାବେଳେ ଉପରୁ କିଏ ଭଦ୍ରମହିଳା ତରତର ହୋଇ ଓହ୍ଲଉଥାଏ, ଓଠରେ ନାଲି ରଙ୍ଗ, ଦେହରେ ଅଳ୍ପ ଆବରଣ, ସାହେବୀ ପୋଷାକ । ନାଚିଲା ପରି ଓହ୍ଲେଇ ଆସୁଥାଏ, ସେ ଅଟକିଲା ନାହିଁ । ଆହୁରି ଉପରେ ସିଡ଼ିମୁହଁ ପିଢ଼ିପାଖେ କିଏ ଜଣେ ଭାରି ଡେଙ୍ଗା ଭଦ୍ରଲୋକ ତୀକ୍ଷ୍ଣ ଦୃଷ୍ଟିରେ ତା ଆଡ଼କୁ ଅନାଇ ରହିଥାନ୍ତି । ସେ ଅଟକି ନଥିଲା । ସେହି ମାହାଲାର ସେହି ପିଣ୍ଡାରେ ସିଧା ଯାଇ ପୁଣି ବାଁକୁ ଟିକିଏ, ଯେଉଁଠି କ’ଣ ଅଚିହ୍ନା ଲତାରୁ ପେନ୍ଥି ପେନ୍ଥି ହୋଇ ଟିକି ଟିକି ବୋତଲ ପରି କମଳାଲେମ୍ବୁ ବର୍ଣ୍ଣର ଫୁଲ ଓହଳିଛି । ସେ କବାଟରେ ଆଙ୍ଗୁଠି ଅଗରେ ଠକ୍ ଠକ୍ କରିଥିଲା, କବାଟ ଖୋଳିଥିଲା । ଗୋଟିଏ ନେଳିଆ ଘରର ନେଳିଆ ବାତାବରଣ ତାକୁ ସତେକି ଶୋଷି ନେଇଥିଲା । ସେ ତାଙ୍କର ସ୍ଵର ଶୁଣିଥିଲା, କିନ୍ତୁ ହଠାତ୍ ତାଙ୍କୁ ଦେଖିପାରି ନଥିଲା । ନେଳିଆ କାଚବାଟେ କ୍ଷୀଣ ନେଳି ଆଲୁଅ, ତଳର ଚଟାଣ ଗାଢ଼ ନେଳି, ପୁଣି କାନ୍ଥର ବତି, ଟେବୁଲ୍‍ର କନା ଢାଙ୍କୁଣି, କବାଟର ଝରକାର ପର୍ଦ୍ଦା, ଅଧା ଖଟ ପରି ଫରଚା ଆସନର ଢାଙ୍କୁଣି, ସବୁ ନେଳି । ବଖୁରି ଭିତରେ ଠାଏ ଗୋଟାଏ କଣରେ ଟେବୁଲ୍ ଉପରେ କାଚପାତ୍ରରେ ବହଳ ହୋଇ ପେନ୍ଥାଏ ନେଳି ଫୁଲ ଥୁଆହୋଇଛି । ଘର ଭିତରେ ନେଳି କୁହୁଡ଼ି ପରି କ’ଣ ବାସ୍ନା ଧୂଆଁ ଖେଳୁଛି ।

 

‘‘ଆସିଲେ ?

 

ସେହି ନେଳି ପରିସ୍ଥିତିରେ ଠାଏ ଗୋଟାଏ ନେଳିଆ ଝାଲ ହଠାତ୍ ହଲି ହଲି ଉଠିଥିଲା, କାଚର ଝଣଝଣ ପାଖକୁ ପାଖକୁ ଶୁଭି ଶୁଭି ଆସିଥିଲା, ତା ସହିତ ତାର ମସ୍ତିଷ୍କ ଭିତରେ ଧୀରେ ଧୀରେ ଏକପ୍ରକାର ତନ୍ମୟତା ମାଡ଼ି ମାଡ଼ି ଆସିଥିଲା, ଅତି ସୁଖକର ଅବଶତା ତା ଦେହକୁ ଆସ୍ତେ ଜଡ଼ କରିଦେଇଥିଲା । ନରମ ଆସନରେ ଦେହକୁ ବୁଡ଼ାଇଲା ପରି ମାଡ଼ିରଖି ଅଳସ ହୋଇ ସେ ଯେତେବେଳେ ପଛଆଡ଼କୁ ଢଳିରହି ଅପେକ୍ଷା କରିଥିଲା, ସେତେବେଳେ ସେ କହିଥିଲେ ମୁଁ ଶୁଣିଛି ପାହାଡ଼ ଦେଶର ମଣିଷଙ୍କ ଚିଠି ଚିରଯୌବନ ଥାଏ, କେବେ ତୁଟେ ନାହିଁ, ଆପଣ ତ ସେହି ଦେଶର ଲୋକ, କହନ୍ତୁ ତ ୟେ ସତ କି ମିଛ ? ତାପରେ ସେ ଛଳଛଳ ହସ । ତା ଦେହ ସଲସଲ ଲାଗିଥିଲା ।

 

ସେହି ରାତିରେ ତା ବସାକୁ ଲେଉଟି ଆସିବ ବୋଲି ସେ ଯେତେବେଳେ ତାଙ୍କଠୁଁ ମେଲାଣି ନେଉଥିଲା, ସେ ତା କାନ ପାଖେ ଫୁସ୍ ଫୁସ୍ କରି କହିଥିଲେ, ‘‘ମଣିଷ ଦେଖିଚି, ଜନ୍ତୁ ଦେଖିଚି, ଆପଣ ଯଦି ମତେ ପଚାରିବେ, କାହା ସାଙ୍ଗ-ସୁଖ ମତେ ବେଶି ଭଲଲାଗେ, ତେବେ କହିପାରିବିନାଇଁ ଜାଣିଥାନ୍ତୁ, କହିପାରିବି ନାହିଁ । ସେ ହସି ହସି ଧାଇଁ ପଳାଇଗଲେ । ବେଶିରା ହାଡ଼ ଦାଢ଼େ, ଦାଢ଼େ କାକର ଲାଗିଲାପରି ସେ ଆପଣାକୁ ଅତି ବାସ୍ତବଭାବେ ଫେରିପାଇଲା, ତାପରେ ବକା ହୋଇ ଠିଆହେଲା, ଭାବିପାରିଲା ନାହିଁ ସେ ପ୍ରଶଂସା କଲେ କି ତାକୁ ତାଚ୍ଛଲ୍ୟ କଲେ । ଅନୁସନ୍ଧାନ କରିବ ବୋଲି ଭାବି ପୁଣି ତହିଁ ଆରଦିନ ଯାଇଥିଲା । ସେ କହିଥିଲେ, ‘‘କାତି ଛାଡ଼ିଲେ ସାପ ନୂଆ ଚେହେରା ପାଏ, ଶୁଆ ବି ପକ୍ଷୀ ଝାଡ଼ିଦେଇ ସାରିଲେ ନୂଆ ହୁଏ, ଗଛ ବର୍ଷକୁ ବର୍ଷ ପରସ୍ତକୁ ପରସ୍ତ ପୁରୁଣା ପତ୍ର ଝାଡ଼ି ନୂଆ ପତ୍ର ପିନ୍ଧି ନୂଆ ହୁଏ । ମଣିଷ ନିତି ନୂଆ ହୋଇ ରହିବାକୁ ମନ କରୁଥାଏ; କିନ୍ତୁ ପୁରୁଣାକୁ ଛାଡ଼େ ନାହିଁ କେଡ଼େ ଅସମ୍ଭବ ତାର ଯୋଜନା ।’’

 

‘‘ଏଇତ ଜୀବନ, ନୂଆ ଉତ୍ତେଜନା’ ସେ ଭାବୁଥାଏ । ଯେଉଁଠି ଏପରି ଉତ୍ତେଜନା ନାହିଁ କି ମିଳିବାର ସମ୍ଭାବନା ନାହିଁ, ସେଠି ପ୍ରାଣ ପଥୁରିଆ ପଡ଼ିଯାଏ, ନୂଆ ଆଶା ବି ଆସେ ନାହିଁ, ଉତ୍ସାହ ବି ଆସେନାହିଁ । ସେ ସମାଜରୁ ଯେଉଁ ଭଳି ଲୋକ ଜନ୍ମ ହୁଅନ୍ତି ସେମାନେ ତାଙ୍କ ଅଜା ପଣଅଜା ଅମଳର ପୁରୁଣା ଧରଣରେ ପୁରୁଣା ଜମି ଚଷିପାରିବେ, ପୁରୁଣା ଅମଳରେ ଲୋକେ ଯେମିତି ଚଳିଆସିଛନ୍ତି–ଖାଇବା, ପିଇବା, ନାଇବା, ପିନ୍ଧିବା, ବାହାହେବା, ଘର କରିବା, ପୂଜାଓଝା ଯାନିଯାତ କରିବା, ସେତିକି ତାଙ୍କ ଦେଇ ହୋଇପାରିବ, ନୂଆ ଚଳଣି ନୂଆ ଧରଣ ସେ ମୁଣ୍ଡରୁ ବାହାରିବନାହିଁ । ଖାଲି ଗୋରୁଗାଈଙ୍କ ମୁହଁର ଠାଣିପରି ମାନ୍ଦା ମାନ୍ଦା ଠାଣି, ସବୁ କଥା ଧୀର ମନ୍ଥର, ଏଇ ସେମାନଙ୍କର ଶାନ୍ତି, ଏଇଥିପାଇଁ ଏତେ ବଡ଼େଇ ।

 

ଲୁହା ଆଉଟା ଚୁଲି ଗାଁର ଝିଅ ନିଭା ଦେବୀ ସେଭଳି ଶାନ୍ତିକୁ ସ୍ୱୀକାର କରେନାହିଁ, ଗୋଟାଏ ନିଭା ଦେବୀ ପହଞ୍ଚିଗଲେ ଗୋଟାଏ ଦେଶକୁ ଉଠେଇବ, ପକେଇବ, ମଣିଷଙ୍କ ମୁଣ୍ଡ ଭିତରୁ ମୁରୁଚା ଛଡ଼େଇଦେବ, କି ତୋଫାନ କି ତାତି ସେ ଖେଳାଇ ଦେଇପାରେ !

 

‘‘ସ୍ତ୍ରୀ ଲୋକର ଗୁଣ ଆପଣ କାହାକୁ କହନ୍ତି, ସେହି କଥା ମୁଁ ଜାଣିବାକୁ ଚାହେଁ । ଏମିତି ଦେହଟାଏ ଆପଣ ଗୋଟେଇ ନେବାକୁ ଖୋଜିଲେ ବେଶି ଦୂରକୁ ଯିବାକୁ ପଡ଼ିବନାହିଁ, ଚାକରାଣୀ କି ରାଣୀ, ସବୁ ଏକା । ଏଇ ଦେହଭିତରୁ ସନ୍ତାନ ବାହାରେ, ଏକା ବାଗରେ ସେ ତିଆରି ହୁଏ,–ଆପଣ ଲାଜରା ହେଉଛନ୍ତି କାହିଁକି ? ସମସ୍ତେ ଭାବନ୍ତି ଆଉ କେହି ଜାଣୁନାହାନ୍ତି, ସେଥିପାଇଁ ଏତେ କବାଟକିଳା, କିଏ ନ ଜାଣେ ? ଇଏ ଦେହଟାର ଚେହେରା ବି ଯେମିତି, ମନ ସେମିତି ବାଗେଇ ନିଆଯାଇପାରେ । ବିଜ୍ଞାନ ଆସିବା ଆଗରୁ ଲୋକେ ଭାବୁଥିଲେ ବିଧାତା ଯେମିତି ଗଢ଼ିଚି ସେମିତି ସବୁଦିନ ରହିଥିବ, ବିଲ୍‍କୁଲ୍ ଭୁଲ ଧାରଣା, ଏକ୍‍ଦମ୍ ପୁରୁଣାକାଳିଆ, ଅଇଚ୍ଛା ମନଇଚ୍ଛା ଦାନ୍ତ, ଆଖି, ନାକ, ବାଳ ସବୁ ଯୋଖା ହେଇପାରୁଛି, ରଙ୍ଗ ବଦଳେଇବା ତ ଗାଁ ଲୋକ ବି ଜାଣେ, କିଣିଲେ ହେଲା । ଆଉ ଏ ଦେହର ଗୋଟାଏ ଅସୁବିଧା ଥିଲା, କେତେବେଳେ ଇଚ୍ଛା ହେଉନଥିଲେ ବି ଅଣହୁସିଆରି ହେଲେ ମା’ ହୋଇଯିବାର ବିପଦ, ବୋହି ବୁଲୁଥା ବୋଝକୁ ନ ମାସ କାଳ, ଶେଷରେ ମର କି ବଞ୍ଚ । ତା’ ବି ଆଉ ନାହିଁ, ଗଳି ସେମୁଣ୍ଡରେ ପରିବାର-ନିୟନ୍ତ୍ରଣ ଶିଖାଇବାକୁ ଡାକ୍ତର କି ଡାକ୍ତରାଣୀ, ଶିଖି ଆସିଲେ ସେ ବିପଦ ଗଲା । ସ୍ୱାଧୀନତା ମିଳିଗଲା, ଏଥର ଦେଶର ନୂଆ ଉପାୟରେ ଉନ୍ନୟନ କାମରେ ଲାଗିଯାଅ ସ୍ତ୍ରୀ ପୁରୁଷ, ଦେହ ଦେହ ଆଉ ହୁଅନାହିଁ ।

 

ତାହେଲେ ସ୍ତ୍ରୀଲୋକର ଗୁଣ କ’ଣ ସେଇଆ ରହିବ, ଯାହା ସେଇ ମରହଟ୍ଟୀ ଅମଳରେ ରହିଥିଲା ? ପାନ ଭାଙ୍ଗ, ବିରି ରଗଡ଼, ସକାଳୁ ସଞ୍ଜଯାକେ କି ରାତି ଅଧଯାକେ ରୋଷେଇ ଘରେ ପଡ଼ିଥାଅ, ଡରି ଡରି ବାଟ ଆଡ଼େଇ ଆଡ଼େଇ ଚାଲୁଥାଅ, ଆଖି ବୁଜିଦେଇ କେବେ କେବେ ଦେହଟାକୁ ସେହି ଜଣଙ୍କ ମୁହଁରେ ହାବୁଡ଼େଇ ଦିଅ, ଭୋଜନ ସାମଗ୍ରୀ ହେବାକୁ, ଆଉ ମନକୁ ମନ ଭୁଲୋଉଥାଅ, ମୁଁ ଭାରି ବଡ଼ କାମଟାଏ କଲି, ମୁଁ ସତୀ ସାଧ୍ୱୀ ଗୁଣବତୀ । ଏଇଆ ! ସେ ଥିଲା ଆମ ଆଈମା’ଙ୍କ ବେଳର ଜୀବନ, ତା ଆଗରୁ ପୁରୁଣାକାଳିଆ ପ୍ରାଗୈତିହାସିକ ଜନ୍ତୁ ବି ଗୋଟାଏ ବାଗରେ ଚଳୁଥିଲେ ଆମେ ଜାଣିଚୁଁ, ସେଇ ଯେଉଁ କୋଡ଼ିଏ ଫୁଟିଆ ତିରିଶି ଫୁଟିଆଙ୍କ ହାଡ଼ ସବୁ ଗୋଟାହୋଇ ଚିଡ଼ିଆଖାନାରେ ରହିଛି ସେହିଗୁଡ଼ାକ ।

 

ସେଗୁଡ଼ାକ ଗୁଣ ନୁହେଁ, ମୁଁ କହିବି ସେ ଗୁଣ-ହୀନତା, ଅବିଗୁଣ ବି ନୁହେଁ ।

 

ସ୍ତ୍ରୀ ଲୋକ କହିବ ତାକୁ ସେ ଉଦ୍ଦୀପନା ଉତ୍ତେଜନା ଦେବ, ବାରମ୍ବାର ମଣିଷ ମନର ନିଦୁଆ ସୁସ୍ଥି ଭାଙ୍ଗି ଦେଇପାରୁଥିବ, ଆଶାଥିଲାବେଳେ ନିରାଶା ଆଣୁ ପଛେ, ନିରାଶାରେ ଥିଲାବେଳେ ଆଶା ଆଣିବ, ଉଠେଇବ, ପକେଇବ, ଡିଆଁଇବ, ଉଡ଼େଇବ, ଏକାଠି ମୁଠେଇବ, ପୁଣି ଛିଞ୍ଚାଡ଼ି ଦେବ ଧରି କୁଆଡ଼େ କୁଆଡ଼େ, ତେବେ ସିନା ଏ ପୁରୁଷଗୁଡ଼ାକ ବୁଝିବେ ଜାଣିବେ ଜୀବନଟା କ’ଣ, ସେମାନେ ମଣିଷ ହେବେ ।

 

ସେକାଳରୁ ଏକାଳଯାକେ, ବଣରୁ ସହରଯାକେ ଯୋଉଠି ଦେଖିବେ ଦେଖନ୍ତୁ ପୁରୁଷଜାତିଟା ମାଦଳା, ମାଟିମେଦ, ସୁସ୍ଥରେ ଘରକୋଣରେ ବସି ସ୍ୱପ୍ନ ଦେଖୁଥିଲେ । ପଦାକୁ ଗୋଡ଼ କାଢ଼ିବାକୁ ତାଙ୍କର ମୋଟେ ମନ ନଥାଏ । ତାଙ୍କୁ କେଞ୍ଚି କେଞ୍ଚି ପଦାକୁ ତଡ଼େ କିଏ ? କାହାପାଇଁ ସେମାନେ କାମ କରନ୍ତି ? ନାରୀ ପାଇଁ । ତା’ରି ମୋହ ତାଙ୍କୁ ଏଭଳି ମତାଏ ଯେ ସେମାନେ ପାହାଡ଼ ତାଡ଼ନ୍ତି । ସେଇଥିପାଇଁ ନାରୀକୁ କୁହାଯାଏ ଶକ୍ତି, ତା ଗୋଡ଼ତଳେ ଲମ୍ବ ହୋଇ ପଡ଼ିଥାଏ ପୁରୁଷ, ଲୋକେ ତାକୁ ପୂଜା କରନ୍ତି । ନାରୀ ଯେତେବେଳେ ଆପଣାକୁ ପୁରୁଷ ପାଖେ ଚିରସ୍ଥାୟୀ ପଟ୍ଟା ଦେଇଦିଏ, ସେ ଆଉ ଶକ୍ତି ହୋଇ ରହେନାହିଁ, ସେ ହୁଏ ପୁରୁଷର ବନ୍ଧନ । ଚପଳା ପ୍ରେୟସୀ ପଛରେ ଧାଇଁଲାବେଳେ ପୁରୁଷ କେତେ କବିତା ଲେଖିପକାନ୍ତି, ସେଥିରେ କେତେ ଗହୀର ଗହୀର ଭାବ ଥାଏ । ବାହାଚୋରା ହୋଇ ଚିରସ୍ଥାୟୀ ପଟ୍ଟା ପାଇସାରିଲାପରେ କେଇଟା ପୁରୁଷ କବି ହୋଇ ରହନ୍ତି ? କବିତା ଲେଖିଲେ ବି କି କବିତା ସେଗୁଡ଼ାକ ? ସେଥିରେ ପ୍ରାଣର କଥା କ’ଣ ସତେ ଥାଏ ? ମତେ ଜଣାନାହିଁ ।

 

ହେଇ ଦେଖନ୍ତୁ ଆମ ଦେଶ ଖୋଜୁଛି ଆମେ ଚଞ୍ଚଳ ଚଞ୍ଚଳ ଆଧୁନିକ ହେବା । କେଉଁଠି କଳ, କେଉଁଠି କାରଖାନା, କେଉଁଠି କ’ଣ ସବୁ ବସିଯାଉଛି । ମଣିଷର ଜୀବନର ଧରଣ ଆପେ ବଦଳୁଛି । ଆଗକାଳରେ ବଳଦଚାଷ ଆଉ ଶଗଡ଼ ଗାଡ଼ି ଯୁଗରେ ଜୀବନଟା ଯେମିତି ହୋଇଥିଲା ସେ ଆଉ ସେମିତି ରହିବନାହିଁ । ଲୋକେ ଏକଥାଟା ଚଞ୍ଚଳ ସ୍ୱୀକାର କରି ନେଉନାହାନ୍ତି କାହିଁକି ? ଏ ତ ଚଞ୍ଚଳପଣର ଜୀବନ, ଘଣ୍ଟାକେ ଶହ ଶହ ମାଇଲ, ଏ ତ ଆକସ୍ମିକତାର ଜୀବନ, କେତେବେଳେ ବିଜୁଳି ତାର ଛୁଇଁହୋଇଯିବ, କେତେବେଳେ ଅନହୁତି ଗୋଟାଏ ପଥର ମୁଣ୍ଡିଆ ବୋହି ଟ୍ରକ୍ ମାଡ଼ିଆସି ଗୁଣ୍ଡା କରିଦେବ, କେତେବେଳେ ବୋମା ଫୁଟିବ ଯେ ମଣିଷ କ’ଣ, ଘାସ ବି ଜଳିଯିବ । ଯେ ଯେତେ ବଡ଼ ପଦାର୍ଥ ଖୋଜେ ସେ ସେତେ ବଡ଼ ତ୍ୟାଗ ଦିଏ, ଆମ ଯୁଗର ମଣିଷ ଜୀବନଟାକୁ ବି ତ୍ୟାଗ ଦେଇ ଦେଇ ଗୋଟାଏ ବିରାଟ ଆକାରର ନୂଆ ସୃଷ୍ଟିରେ ଲାଗିପଡ଼ିଛି । ସ୍ତ୍ରୀ ପୁରୁଷଙ୍କ ସମ୍ବନ୍ଧ କ’ଣ ସେଇଆ ରହିବ ଯାହା ଆଗେ ଥିଲା ?’’

 

ସତେକି ବିରାଟ ଆକାଶଜିଣା କାରଖାନାର ପବନ-ଚିରା ଚିତ୍କାର ଆଉ ଚଳନ୍ତି ଲୁହାଯନ୍ତ୍ରମାନଙ୍କର ଅସମ୍ଭବ ବେଗ ଆଉ ସାଲୁସାଲୁ ମଣିଷଙ୍କ କିଲିବିଲି ଭଉଁରି ଭିତରେ ଶୁଭିଯାଉଛି ନିଭା ଦେବୀଙ୍କ କଥା, ମୁଣ୍ଡ ଭିତର ଝିମିଝିମି ହେଉଛି, ଆକର୍ଷଣ ତେଜୁଛି । ଖାଲି କଥା ନୁହେଁ ତ, ଲୁହା ଆଙ୍ଗୁଠିର ମୁଠା ଭିତରେ ତାର ସମଗ୍ର ବ୍ୟକ୍ତିତ୍ୱକୁ ଯାପି ଧରି ସେ ଓଟାରି ଲାଗିଛି, ଓଟାରି ଲାଗିଛି, ଅନବରତ ।

 

ଦର୍ପଣ ଆଡ଼କୁ ମୋହିଁ ରହିଥିଲା କିନ୍ତୁ ଦର୍ପଣକୁ ଚାହିଁ ନଥିଲା, ନିଜ ମୁହଁକୁ ଦେଖି ନଥିଲା । ଏଥର ଦେଖିଲା । କାଡ୍ରାକା ଟିମା କନ୍ଧ ? କାହିଁ ସେ ଏଠି ? ନୁଆଁଣିଆ ଚାଳଘର ଦି ଧାଉଡ଼ି । ସେ ମୁଣ୍ଡରେ ଅଳିଆ ଓ ଗୋବର ପଡ଼ି ପଡ଼ି ଢିପ । ତିତିର୍ ବିତିର୍‌ ହୋଇ କୁକୁଡ଼ାପଲ ବୁଲୁଥିବେ, ଖେଳୋଉଥିବେ । ଘୁଷୁରିମାନେ ବୁଲି ବୁଲି ଖୋଳୁଥିବେ, ଗଡ଼ୁଥିବେ । ଚାଞ୍ଚରା (ପଥର ଚଟାଣ) ଉପରେ ଝୋଡ଼ି ଗଛ ଡାଳରୁ ଝୁଲୁଥିବ ସଦ୍ୟ ହଣା ହୋଇଥିବା ଗୋରୁର ଶବ । ଫୁରୁଫୁରୁମୁଣ୍ଡୀ ମାଇପେ ପାଗଳ ପରି ବିଡ଼ିରି ବିଡ଼ିରି ହୋଇ ଏକାଠି ପେଲାପେଲି ହୋଇ ଭଉଁରି ବୁଲୁଥିବେ, ବେଜୁଣୀ ବୁଢ଼ୀ ନାନା ମୁହଁ ବିକୃତି କରି କ’ଣ ରୋଗ ଛଡ଼େଇବା ମନ୍ତ୍ର ବୋଲୁଥିବ, ଗାଁର ଡମ୍ବ ଗୋଟାଏ ଢୋଲ ବାଡ଼ୋଉଥିବ । ଘର ଚାଳ ଉପରେ ବହଳ ହୋଇ ଶିମ୍ବଲଟା ମାଡ଼ିଥିବ, ବସ୍ତି ସେକରେ କ୍ଷେତରେ ବଢ଼ିଥିବ ବହଳ ହୋଇ ଆଖୁର ଜଙ୍ଗଲ, ଫୁଲ ଉଡ଼ୋଉ ଥିବ, ହରଡ଼ର ବଣ, ଲଙ୍କାମରିଚ, ଫସଲ, ଅରାଏ ଅରାଏ ଧୂଆଁ ପତ୍ର, ତା ସେକରେ ପାହାଡ଼ର କାନ୍ଥ, ବଣ ଛାଉଣି । ଝାଟି ବୋଝତଳେ ମୁହଁ ଲୁଚେଇ ଧାଡ଼ି ହୋଇ କିଏ ସବୁ ଆସୁଛନ୍ତି, ଦେହର ଉପରେ ଅଧିକ ଖୋଲା ପଡ଼ିଛି । ଶରୀରର ଢିପ ଢାଲୁ ଉପରେ ସାମ୍ନାରେ ଦୋହଲୁଛି ସରି ସରି କାଚମାଳି । କାନ୍ଧରେ ଟାଙ୍ଗିଆ ପକାଇ ଧୂଳି ସରସର ହୋଇ କୌପୁନିପିନ୍ଧା ଡେଙ୍ଗା ଲୋକ କେତେଜଣ ପାଖକୁ ପାଖ ଠିଆହୋଇ ପିକା ଟାଣୁଛନ୍ତି । ପିଠିଆଡ଼ୁ ଦିଶୁଛି ଲାଞ୍ଜପରି କୌପୁନିର ଫେର ଓହଳିଛି ।

 

ନା, ସେ କାଡ୍ରାକା ଗୋତ୍ରର ଟିମା କନ୍ଧ ନୁହେଁ । ସେ କେ. ଟି. ଦୋରା । କପାଳ ଉପରକୁ ତିନିଆଙ୍ଗୁଳି ଓସାରରେ ବାଳ ଉପୁଡ଼ି ଯାଇ ତାର ଗୋଟାଏ ଓସାର କପାଳ ଖୋଲି ଯାଇଛି, ତାର ଆଗକୁ ଝୁଙ୍କି ରହିଥିବା ଥୋମଣି ତାର ସମୁଦାୟ ମୁହଁକୁ ଢଳି ଅବିଶ୍ୱାସ ଓ ଜିଜ୍ଞାସାମୟ ଠାଣି ଦେଇଛି । ସେ ଆଖିବୁଜି ମାନିଯିବା ମଣିଷ ହିଁ ନୁହେଁ । ତାର ମୋଟା ଓଠ ଯୋଡ଼ିକ ତାର ବ୍ୟକ୍ତିତ୍ୱକୁ ବଢ଼ାଇ ଦେଉଛି, ତାର ବଳିଲା ପରି ଦେହ ସଙ୍ଗେ ସହଜରେ ସେ ଖାପିଯାଉଛି । ସେ ଓଠ ତାର ଭୋଗ ଗ୍ରହିତାର ଚିହ୍ନପରି, ଏ ଦେହ ସଂସାର ସବୁଥିରୁ ସେ ଚାହେଁ ନିଦା ଭୋଗ, ଯାହା ହାତରେ ଧରି ହେବ, ଆଖିରେ ଦେଖି ହେବ, ଜିଭରେ ଚାଖି ହେବ । ତାର ଆଖି ଜଳିଲା ପରି, ଓଠ ଅଗ ଶୁଖିଲା ପୋଡ଼ା, କପାଳର ଚମ ଥୋଡ଼ିର ଦାଢ଼ି ଅଳ୍ପ ସିଝିଲା ପରି, ଦୁଇ ଆଖିତଳେ ଅଳ୍ପ କାଳିଚା । ସେ ସ୍ଵାଧୀନ ଅତୃପ୍ତ ସଭ୍ୟ ମଣିଷ, ଏ ଠାଣିରେ ନିଦୁଆ ସୁସ୍ଥି ନାହିଁ-। ସେ ଦୁଇ କାନ୍ଧ କୁଜାକରି ଟେକି ପ୍ରସାଧନ ଓ ପୋଷାକରେ ସଜାସଜି ଆପଣା ଛାଇକୁ ନିରେଖି ଅନାଇଁଲା, ସେହି ଭଙ୍ଗୀରେ ଯେପରିକି ଆଉଛୁଣୁକେ ସେ ହାତ ବଢ଼ାଇ ଗୋଟିଏ ସ୍ୱିଚ୍ ଟିପିଦେବ, ଆଉ ନୂଆ ତିଆରି ହୋଇ ସଜା ହୋଇ ରହିଥିବା ପ୍ରକାଣ୍ଡ କଳର ଶହ ଶହ ଆଲୁଅ ଦାଉ ଦାଉ ହୋଇ ଜଳି ଉଠିବ ଓ ହଜାର ହଜାର ଚକ ଏକାସାଙ୍ଗରେ ଘୂରିବାକୁ ଆରମ୍ଭ କରିବ, ଆଉ ବିଚିତ୍ର ଉତ୍ପାଦନ ଆରମ୍ଭ ହୋଇଯିବ ।

 

ଅତୁଟ ଆତ୍ମବିଶ୍ୱାସରେ ଆଗକୁ ପଛକୁ ଦୁଇଥର ମୁଣ୍ଡ ଟୁଙ୍ଗାରି ସେ ଉଠିପଡ଼ିଲା, ଥାକରୁ କାଢ଼ି ମଦ ପିଇଲା । ସିଗାରେଟ୍ ଲଗାଇଲା, ଦେହଯାକ ଅତର ଛିଞ୍ଚିଲା, ତାପରେ ବସିପଡ଼ି ତଳକୁ ଓହଳିପଡ଼ି ଜୋତାରୁ ଠାଏ ଧୂଳି ଝାଡ଼ିଦେଇ ସାମ୍ନାରେ ଥୁଆ ହୋଇଥିବା ଚିଠିକୁ ଅନାଇଲା । ଟିକିଏ ଭାବିଲା । ତାପରେ ଚିଠି ଖୋଲି ପଢ଼ିଲା ।
 

ନର୍ସିଂଲୁ ଦୋରା କେବେ ଚିଠି ଲେଖନ୍ତି ନାହିଁ, କଥାଭାଷାରେ ବି ଟାଣ କରି କିଛି କହନ୍ତି ନାହିଁ, ମିଠା ମିଠା କରି ଅଳ୍ପ କଥା କହନ୍ତି, କିନ୍ତୁ ଚିଠିରେ ସେପରି ନଥିଲା । ଚିଠି ନୁହେଁ ତ, ନଈବଢ଼ି-

 

‘‘ତୁମର ଗୌରବରେ ଆମେ ଭାରି ଖୁସି, ତୁମର ବଡ଼ତିରେ ଆମର ଗର୍ବ; କିନ୍ତୁ ତୁମେ ଯେ ଘର ଭୁଲିଗଲ ! ଏଠା ଚାଷଧନ୍ଦା ଛାଡ଼ି ଯାଇପାରୁନାହିଁ, ନ ହେଲେ ଭାରି ଉଚ୍ଛନ୍ନ ଲାଗୁଛି, ଯାଇ ଦେଖିଆସନ୍ତି ଯେ କ’ଣ ତମର ଅସୁବିଧା ହେଉଛି, ତୁମେ ଆଦୌ ଘରକୁ ଆସୁନାହଁ ।

 

ରଜନୀ ତୁମ ଚିଠି ଖଣ୍ଡେ ମତେ ଦେଖାଇଥିଲା । ତୁମ ମନର ଗତି ମୁଁ କିଛି ବୁଝିପାରିଲିନାହିଁ । ମତେ ଲାଗିଲା ତମେ ଅକଥାଗୁଡ଼ାଏ ଭାବୁଛ । ଅନାବଶ୍ୟକ ଧନ୍ଦାଗୁଡ଼ାଏ ନିଜ ଉପରକୁ ଆଣୁଛ, ଅଖଞ୍ଜରେ ପଡ଼ିବାକୁ ଯାଉଛ । ବାବୁ ହୁସିଆର । ସେଠି କେତେ ଓଧ ଦେଖିବ, ଓଧ ସଙ୍ଗରେ ବଣଭୁଆ ବାଇହେଲେ ସର୍ବନାଶ ।

 

ତୁମେ ପିଲାଲୋକ, ଏ ସଂସାରକୁ ଚିହ୍ନିନାହଁ, ମୁଁ ବୁଢ଼ା ହେଲିଣି । ସହରିଆ ମଣିଷଙ୍କ ସଙ୍ଗେ ବେପାର କରିଛି, ତା ବୋଲି ସେମାନେ ଯେମିତି ଚଳନ୍ତି, ଯାହା ଖାଆନ୍ତି, ଯେମିତି ଭାବନ୍ତି, ସେଗୁଡ଼ାକ ମୁଁ କେବେ ଅନୁକରଣ କରିବାକୁ ଯାଇନାହିଁ । ଆମର କାମ ହେଲା ଯାହାଠୁ ଯେତିକି, ଆଉ ଅଧିକା କଥାକୁ ମନ ବଳେଇବାନାହିଁ । ହାତୀର ଦାନ୍ତ ଗୋଟେଇବା ବୋଲି କ’ଣ ନିଜେ ହାତୀ ହେବା, ନା ବାଘର ଛାଲ କିଣିବା ବୋଲି ଆମେ ନିଜେ ବାଘ ହେବା ?

 

ଯେ ବୁଦ୍ଧିଆ ଲୋକ ସେ ନିଜର ନିଜତ୍ୱ ଟାଣ ରଖିଥାଏ, ନିଜ ଆସ୍ଥାନରୁ ଘୁଞ୍ଚେନାହିଁ, ଅନ୍ୟ ଲୋକଙ୍କୁ ନଚେଇ ଖେଳେଇ ନିଜ କାମ କରେଇ ନିଏ । ଯାହାର ବୁଦ୍ଧି ନଥାଏ, ସେ ପର କୁହାରେ ନାଚେ । ବେପାରରେ ଏଇଆ ଆମେ ଦେଖୁ । ସଂସାରଯାକରେ ସେଇଆ । ବୀର ଲଖ୍ୱଣ ସ୍ୱାମୀ ଜୀବନଯାକ ମଦ କାରବାର କରୁଛନ୍ତି, ନିଜେ ଟୋପାଏ କେବେ ପାଟିକି ନେଇନାହାନ୍ତି । ଏତେ ସହର ବୁଲିଲଣି ତାଙ୍କ ମଛାର ଆଉ କେତେଟା ଲୋକ ତୁମେ ଦେଖିଲଣି ମୁଁ ଜାଣେନାହିଁ । ତୁମ କଥା ସେ ଅହରହ ଭାବି ଦୁଃଖିତ ହେଉଛନ୍ତି । ସେ ପଦେ କଥାରୁ ମଣିଷ ଚିହ୍ନନ୍ତି !

 

ତୁମ ଚିଠିରୁ ଜଣାଗଲା ଯେ ଏକକାଳିଆ ନୂଆ ଦୁନିଆ ବିଷୟରେ ତୁମର କ’ଣ ସବୁ ଅଦ୍‌ଭୁତ ଧାରଣା ହେଉଛି । ସେ ଦୁନିଆରେ ଧର୍ମ କି ଶାନ୍ତି କୁଆଡ଼େ କିଛି ରହିବନାହିଁ । ସେଗୁଡ଼ିକ କୁଆଡ଼େ ଅକାମୀ । ମୁଁ ପଚାରୁଛୁ ଏଡ଼େ ମୂର୍ଖ କିଏ ଯେ ଏମିତି ଧାରଣାମାନ ଲୋକଙ୍କ ମୁଣ୍ଡରେ ପୂରାଉଛି । ଯଦି ଏଇଥିପାଇଁକି ଏ ନୂଆ ଦୁନିଆ ଗଢ଼ାହେଉଛି, କଳକାରଖାନା ବସୁଛି, ତେବେ ଯେଡ଼େ ଚଞ୍ଚଳ ଲୋକ ସେଥିରୁ ନିବୃତ୍ତ ହୋଇ ଘରକୁ ଫେରିଆସି ହଳ ଧରିବେ ସେତେ ଭଲ । ସତ୍ୟ, ଧର୍ମ, ସୁସ୍ଥି, ଶାନ୍ତି, ସ୍ନେହପ୍ରୀତି, ଯୁଗେ ଯୁଗେ ଏଇ ବଡ଼, ମଣିଷପଣିଆର ଏଇ ତ ଅସଲ ମୂଳଦୁଆ, ଏ ସବୁଦିନେ ରହିଛି, ଯେତେବେଳେ ଯିବ ସେତେବେଳେ ମଣିଷ ବୋଲିବା ପଦଟା ଆଉ ନଥିବ । ତାକୁ କାଟିଦେଲେ ଲୋକେ ହେବେ ବାୟା, ଚୋର, ଶଠ, ଲମ୍ପଟ, ଖୁଣୀ, ଅମାନିଆ; ସେଇଠୁ ହଣାହଣି ହୋଇ ମରିବେ । ରୋଗରେ ପଡ଼ି ଅଶାନ୍ତିରେ ଜଳି ଜଳି ମରିବେ । ମଣିଷ ପାଠପଢ଼ି ଜ୍ଞାନ ବଢ଼ାଇ ଏତେଜାତିକା କାମ ଶିଖିଲା କ’ଣ ରୋଗ ଅଶାନ୍ତି ଅଧର୍ମ ଅନାଚାରକୁ ଘରକୁ ଆଣିବାକୁ ? ଯଦି ମଣିଷ ଘରର ସ୍ନେହଶରଧା ହରାଇବସିବ, ଯଦି ତାକୁ ସବୁଦିନିଆ ହୋଇ ଶରଧା କରିବାକୁ କେହି ନଥିବେ, ଯଦି ତା ସୁଖ ଶାନ୍ତି ପୋଡ଼ିଜଳି ଯିବ, ତା ଜୀବନ ଶୁଖିଯିବ, ତେବେ ଏଡ଼େ ଏଡ଼େ ସହର, ଏଡ଼େ ଏଡ଼େ କଳକାରଖାନା ଏତେ ପ୍ରକାର ଜିନିଷ ସବୁ ତିଆରି ହେଉଛି କାହାପାଇଁ ? ନା ମଣିଷ କେଉଁ ଭୂତ-ପିଶାଚର ବେଠିଆ ହୋଇଛି କି ସେ ଧନ-ଦରବାର ବେଠିଆ ହୋଇଛି ଯେ ନିଜକୁ ଜାଳିପୋଡ଼ି ସେଗୁଡ଼ାକ ତିଆରି କରି ଥୋଉଥିବ ?

 

ଏଠି ବି ଝିଲିକିଗୁଡ଼ାରେ ଗୋଟାଏ ପ୍ରକାର ନୂଆ ଦୁନିଆ ତିଆରି ହେଉଛି ଯେ ସେ ଆଉ ପ୍ରକାରେ, ବେଳେବେଳେ ମନ ଡାକେ, ପୁଣି କାହିଁକି ମୁଁ ରୋକି ରୋକି ହୁଏ । ସେ କଥା ଆଉ ଦିନେ ଲେଖିବି ।

 

ଯେଉଁମାନେ ତୁମକୁ ଏତେ ଆଶା କରିଥିଲେ ସେମାନେ ଏ ବଣ ମାଳରେ ପଡ଼ିଛନ୍ତି । ତାଙ୍କ ପାଇଁ ତୁମେ ସହରକୁ ଗଲ, କ’ଣ କରୁଥିବ ଅବା, ସେମାନେ ତୁମକୁ ନ ଦେଖି ହତାଶ ହେଉଛନ୍ତି ।’’

 

ଶ୍ୱଶୁରଙ୍କ ଚିଠି ପଢ଼ୁ ପଢ଼ୁ ତା ଆଖି ଫାଡ଼ି ହୋଇଗଲା । ଆଗ ଲାଗିଲା ଏ ତାର ଆତ୍ମମର୍ଯ୍ୟାଦା ଉପରେ ଜୋତାମାଡ଼, ସଙ୍ଗେ ସଙ୍ଗେ ଟିକିଏ ଡର ମାଡ଼ିଲା । କିଏ ତା ବିଷୟରେ ତାଙ୍କୁ କହିଲାଣି, ନହେଲେ ଖାଲି ରଜନୀ ପାଖକୁ ସେ ଯେଉଁ ଚିଠି ଲେଖିଥିଲା ସେଇଆକୁ ପଢ଼ି ସେ କ’ଣ ଏତେ ଅଧୀର ହୋଇପଡ଼ିଲେ ! ତାର ନୂଆ ଅବସ୍ଥାରେ ସେ ତାଙ୍କ ଉପରେ ନିର୍ଭର କରି ଚଳେନାହିଁ, ତାର କେତେ ବଡ଼ ଖାତିର, କାହାକୁ ପଦେ କହିଦେଲେ ତାର ଅଭାବ ମେଣ୍ଟି ଯାଏ, ତାକୁ ପଟକୁ ଆଉଜାଇବା ପାଇଁ କେଡ଼େ ମହା ମହା ଲୋକେ ଆଗଭର । ପ୍ରୀତମ୍ ସିଂ ଏକୁଟିଆ ନୁହେଁ, ରାଧୁ ପଟ୍‌ନାଏକ, ଲିଙ୍ଗା ମହାପାତ୍ର, ନରି ବିଶ୍ୱାଳ, ଦୀପ୍‌ଚାନ୍ଦ୍‌ ମାରୁଆଡ଼ି, ଆସବ୍‌କାର ଏଣ୍ଡ୍‌ ସନ୍‌ସ୍, ଜୁଲୁ ରାୟ, ନିୟାମତ୍ ହୋସେନ୍, ଝୋପଡ଼ିଓ୍ୱାଲା, କିଏ ତାକୁ ଖାତିର ନ କରନ୍ତି ! ଘର ଖଣ୍ଡେ ତୋଳିବାକୁ କି ବେପାରଟାଏ ବସାଇବାକୁ କି ଖାଲିଟାରେ ଏମିତି ସେମାନେ କ’ଣ ତାକୁ ସାହାଯ୍ୟ କରିବେନାହିଁ ? ସେହିପରି ଲୋକଙ୍କ ସାହାଯ୍ୟ ପାଇ ତାରି ଦେଖନ୍ତାରେ କେତେ ଲୋକ କେତେ କାମ କଲେଣି, କାହାର କୋଠା କାହାର କେଉଁ କାରଖାନା, କାହାର ବ୍ୟାଙ୍କ୍‍ରେ ଟଙ୍କା । ସେ ସେତେ ବାଟକୁ ହାତ ପତାଇ ଯାଇନାହିଁ । ସେ ଧରିଛି ଆଦର୍ଶକୁ, ତା ଅଞ୍ଚକ ସଭ୍ୟ ହେବ, ସେଠି ଖଣି କାରଖାନା କାରବାର ଲାଗିଯିବ, କେତେ କ’ଣ ହେବ । କିଏ କଲେ ପାରାଦୀପ, କିଏ ରାଉର୍‍କେଲା, କିଏ ଭାଲିମେଲା, ସେ କରିବ ଲେଲିବାଡ଼ି, ତା ହୃଦୟର ଆବେଗ ନର୍ସିଂଲୁ ଦୋରା ଚିହ୍ନିଲେ ନାହିଁ । ଦେଶ ବି ଚିହ୍ନିବ କି ନାହିଁ କିଏ ଜାଣେ ! ଦେଶ ଚିହ୍ନେ ବଡ଼ପାଟିଆଙ୍କୁ, ଇତିହାସ ଯାହାଙ୍କୁ ମାର୍କା ମାରି ରଖିଯାଏ ସବୁବେଳେ ସେହିମାନେ ଯେ ଖାଣ୍ଟି ଏପରି ନୁହେଁ, କେତେଗୁଡ଼ାଏ ଲୋକ ଥାଆନ୍ତି, ସେମାନେ ଦୋକାନରେ ଷଣ୍ଢପରି ଯେଉଁଆଡ଼େ ମନ ସେହିଆଡ଼େ ଧସାଧସି କରି ପଶିଯାଆନ୍ତି, ଇତିହାସ ଭିତରକୁ ବି ।

 

ଅଭିମାନ ଆସିଲା, ନପଡ଼ୁ ପଛେ ତା ନାଁ, କେହି ସ୍ୱୀକାର ନ କରନ୍ତୁ, ସେ କର୍ମୀଟିଏ, ଆଉ କିଛି ନ ହୋଇଥାଉ–କର୍ମୀଟିଏ ।

 

କିନ୍ତୁ ସତେ କ’ଣ ଝୋପଡ଼ିବାଲା କି ପ୍ରୀତମ୍ ସିଂ କି ନିୟାମତ୍ ହୋସେନ୍ ତାକୁ ପୋଷୁଥିବେ ? ଥୋକେ କହନ୍ତି ବେପାରୀ କାହାରି ନୁହନ୍ତି, ସ୍ଵାର୍ଥ ସରିଗଲେ ସ୍ନେହ ସରିଯାଏ । ତାଙ୍କ ସାହାଯ୍ୟ ଅନିଶ୍ଚିତ । ଦବକ ସେଇଠି ! ତାପରେ ପୃଷ୍ଠପୋଷକ ସେହି ଜଣେ–ନର୍ସିଂଲୁ ଦୋରା ।

 

ସେ ଯେ ବଣ ଖୋଲ ଭିତରୁ ବାହାରି ଏତେ ବାଟ ଆସିପାରିଛି ସେ ବି ତାଙ୍କରି ସାହାଯ୍ୟରେ ତ !

 

ମୁଣ୍ଡ ଥଣ୍ଡା ପଡ଼ିଆସୁଛି, ଆଖିରେ ଆସୁଛି ଚିନ୍ତାର ମେଘ । ଲାଗୁଛି କେଉଁଠି କ’ଣ ଭୁଲ୍‌ ହୋଇଗଲା । କ’ଣ ଭାବି କାମନିଶାରେ ମାତି ଲାଗି ରହୁ ରହୁ ଆଉ କେତେ କାମରେ ଅବହେଳା ହୋଇଗଲା, ବନ୍ଧୁମାନଙ୍କ ଚିଠି ପାଇ ଉତ୍ତର ଦେବି ଦେବି ବୋଲି ଭାବି ଭାବି ଯେମିତି ବେଳ ଚାଲିଯାଏ ଉତ୍ତର ଲେଖି ହୁଏନାହିଁ, ଅତି ଆବଶ୍ୟକ କାମ ଯେମିତି ଅନ୍ୟ କାମର ଚାପାରେ ହେଳାରେ ପଡ଼ିଯାଏ, ଭୁଲି ହୋଇଯାଏ ଭୁଲି ହୋଇଯାଏ...

 

...ନିଭା ଦେବୀଙ୍କ ମୁହଁ ଦିଶୁଛି ।

 

ଭାବିଥିଲା ତାଙ୍କର ରହସ୍ୟ ସେ ଆବିଷ୍କାର କରିବ । ମୁହଁରେ ଆଖିରେ ସେହି କୁହୁକ । ସେହି କିମିଆଁ, ଡାକୁଛି, ଓଟାରୁଛି ।

 

ଅନ୍ତତଃ ଆଜିକୁ ଥରଟିଏ ଦେଖାହେବ ।

 

ଏମିତି ଥରଟିଏ ଥରଟିଏ ହୋଇ ତ ଜୀବନ ।

 

ନିଭା ଦେବୀ କହନ୍ତି, ଫୁଲର ମହକ ଉଡ଼ିଯାଏ, ଖାଲି ସେହି ଘଡ଼ିକ । ସେ ବାହାରିପଡ଼ିଲା ।

 

କେ. ଟି. ଦୋରା ତହିଁର ଅଳ୍ପ ଦିନ ଉତ୍ତାରୁ ଯେତେବେଳେ ଲେଲିବାଡ଼ି ଗଲା ସେତେବେଳେ ଲେଲିବାଡ଼ିରେ ଚହଳ ପଡ଼ିଗଲା । ପାଦରେ ଜିକିଜିକି ଜୋତା । ତା ଉପରକୁ ନଳି ଗୋଡ଼କୁ ଚିପି ଧରି ସରୁ ଗୋଡ଼ିଆ ପାଇଜାମା । ତା ଉପରେ ବେକଚିପା କୋଟ୍‌, କାନ୍ଧଠୁଁ ଜଙ୍ଘଯାକେ ସାମ୍ନା ପଟୁ ଦେଖିଲେ ଯେପରିକି ଗୋଟାଏ ଦମ୍ଭ ବାକ୍‌ସ, କୋଟ୍‌ର କାନ୍ଧତଳେ ଯେଉଁ ତୂଳା ଗୁଞ୍ଜାହୋଇ କାନ୍ଧ ତିଆରି ହୋଇଥାଏ ସେଥିରେ କାନ୍ଧ ଦିଶୁଥାଏ ଛାଁଟ୍‌, ସଳଖ । ଜିକିଜିକି ଧୋବ ସାଜରେ ସଜା ହୋଇ ତାର ଚେହେରା ଫିଟିଥାଏ । ବେଶି ପ୍ରତାପୀ ଦିଶୁଥାଏ ତାର ମୁହଁଟି, ସେ ଗୋଟିଏ ଗୋଟିଏ ଠାଣିରେ ମୁଖାପରି ସ୍ଥିର ରହେ, ପୁଣି ଅତି ଚଞ୍ଚଳ ଠାଣି ବଦଳେ, ବେକ ହଠାତ୍ ଝାଙ୍କିହୁଏ, ଦେହ ହଠାତ୍‌ ଝାଙ୍କିହୁଏ, ଚାଲିଲେ ଛାତି ଆଗକୁ ଟୋଲେଇ ରହେ, ପାଦ ପଡ଼େ ଅତି ଚଞ୍ଚଳ ଚଞ୍ଚଳ ଯେପରିକି ସେ ଭାରି ତରତର ଅଛି, ଭାରି କାର୍ଯ୍ୟବ୍ୟସ୍ତ । ତାର ହସିବା, ଛେପ ପକେଇବା, ସିଗାରେଟ୍‌ କାଢ଼ିବା, ଧରିବା ଓ ଲଗେଇବା ସବୁ କେମିତି ନୂଆ ନୂଆ ପ୍ରକାର । ସବୁଠୁ ବିସ୍ମୟ କରେ ତାର ରୁମାଲ ବାହାରକରିବା ବାଗ, କେତେବେଳେ କୋଟ୍‌ର ହାତତଳୁ କେତେବେଳେ କେଉଁ ଜେବିରୁ ସେ ରୁମାଲ କାଢ଼ି ମୁହଁ ପୋଛେ । ସେ ବାଟ ଚାଲିଲେ ତା ଭଙ୍ଗୀରେ ଚାଲିବାକୁ ଅଭ୍ୟାସକଲା ପରି ଦଳ ଦଳ ହୋଇ ପିଲା ଗୋଡ଼ାନ୍ତି । ସେ ଅଟକି ଗଲେ ସେମାନେ ତା ମୁହଁକୁ ଅନାଇ ଠିଆ ହୁଅନ୍ତି, ତାର ସବୁ ଭାବଭଙ୍ଗୀ ଲକ୍ଷ୍ୟ କରନ୍ତି । ବଡ଼ ବଡ଼ ଅଧିକାରୀ ଆଉ ସାହୁକାର ତା ସହିତ କଥା କହିବାକୁ ଲୋଭାଉଥାନ୍ତି । ସେ ଠଣ୍‌ଠାଣ୍‌ କାଟିଲା ପରି କଥା କହେ, ବେଳେବେଳେ ମୁହଁକୁ ଆକାଶ ଆଡ଼କୁ ଡେରି ନାକ ଫଣକାଏ, ଅଧୀର ହେଲାପରି ଡାହାଣ ପାଦକୁ ତଳେ ଘୋଷାରେ । ସେ କଥାକଥାକେ ତୁଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ନାଁ ଧରେ । ତା ଆଖି ଆଗରେ ସବୁ ଭବିଷ୍ୟତ ଯେପରିକି ରୂପାୟିତ ହୋଇରହିଛି ସେହିପରି ସେ କଥା କହେ ।

 

‘‘ହେଇ ସେ ନଈଟା ତ, ସେଠି ଗୋଟାଏ ବନ୍ଧ ପକାଇଦେଲେ ସେପାଖର ସେ ଜମି ଅରାକର ଆଉ ପାଣି ଅସୁବିଧା ରହିବନାହିଁ, କେତେ ମାଇଲ୍‌ ଆକ୍ରାନ୍ତରେ ଖାଲି ଆଖୁ କ୍ଷେତ ହୋଇଯିବ । ମୋଟେ ପନ୍ଦର ଲକ୍ଷ ଟଙ୍କାର କାମ, ଲାଭ ଉଠୁଥିବ ବର୍ଷକୁ ପାଞ୍ଚ ଲକ୍ଷ କରି, ତିନିବର୍ଷରେ ଖର୍ଚ୍ଚା ଉଠିଯିବ । ତାପରେ ଖାଲି ମାଗଣା । ଆଉ ସେହି ଯେଉଁ ପାହାଡ଼ଗୁଡ଼ାକ ଅଛି ସେ ତ ଖାଲି ଲୁହାର ପାହାଡ଼, ଖଣି ଖୋଳା ହେବ । ତାଡ଼ିଙ୍ଗାବାଡ଼ି ପାଖରୁ ଯେ ଲେଲିବାଡ଼ି ସେ ପାଖଯାକେ ସହରଟା ଲମ୍ବିଯିବ, ହାତୀ ଚାଁଚରା ଉପରେ ହେବ ଉଡ଼ାଜାହାଜ ପଡ଼ିଆ, ବହୁତ ଫରାକତ ଜାଗା ଅଛି । ଆରମ୍ଭରେ ଲାଗିବ ପଚାଶ ଲକ୍ଷ ଟଙ୍କା, ସବୁ ସରିଲାବେଳକୁ ପାଞ୍ଚ କୋଟି ହୋଇଥିବ, ଆଉ କେତେ ଏମିତି ? ହେବାଟା ହେବ, ଅଟକେଇବ କିଏ ? ‘‘ସଡ଼କ ଆଉ ରେଳଲାଇନ୍ ହେଇ ଦେଖ ଏମିତି ଯିବ...’’ କେ. ଟି. ଦୋରା କାଗଜ ଉପରେ ଗାର କାଟିଦିଏ ।

 

ଅବିଶ୍ୱାସୀମାନଙ୍କୁ ବୁଝାଇଲାପରି ସେ କହେ, ‘‘ଆରେ ବାବୁ, ସେମାନେ କରିବେ ବୋଲି କହିଛନ୍ତି କରିବେ, ତହିଁରେ ତାଙ୍କର ଲାଭ । ତେଣୁ ବଳେ କରିବେ । ଆମର ଲୋକ ଆଗରୁ ବାହାରିପଡ଼ି ଠିକଣାବେଳେ ସେମାନଙ୍କ ସଙ୍ଗେ ମିଶିଗଲେ ପଛେ ବଡ଼ଲୋକ ହୋଇଯିବେ । ବିଶ୍ୱାସ ରଖ, ପ୍ରସ୍ତୁତ ହୁଅ, ଏ ଛିଣ୍ଡା ନେଙ୍କେଡ଼ା କେତେ କାଳ ପିନ୍ଧିଥିବ ?’’

 

ନାନାପ୍ରକାର ଲମ୍ବା ଚଉଡ଼ା କଥା କହି ଭୋଜି ଖାଇ ଅଭ୍ୟର୍ଥନା ପାଇ କେ. ଟି. ଦୋରା ଲେଲିବାଡ଼ି ଓ ଆଖପାଖ ସହରରେ ବୁଲାବୁଲି କଲା । ମେଲ୍‍କାବାଡ଼ି ବି ଗଲା, ତା ରହଣିରେ ପ୍ରଧାନ ଘଟନା ହେଲା ଯେ ସେ ତା ସ୍ତ୍ରୀକୁ ସଙ୍ଗରେ ଘେନି ଆପଣା ଗାଁକୁ ଯାଇ ତା ବାପା ଯେଉଁ କୋଠାଘର ତୋଳିଥିଲା ସେଠି ପାଞ୍ଚଦିନ ରହି ଆସିଲା । ତା ବାପା ବୋଉ ବା ସେବାରେ ଲାଗି ରହିଥିଲେ । ଗାଁଲୋକ ଆଶା କରିଥିଲେ ସେ କାହାକୁ କ’ଣ ଦେବ ପରା; କିନ୍ତୁ ସେକଥା ସତେକି ତାର ଖିଆଲ ନଥିଲା । ସେ ସେମାନଙ୍କୁ ବକ୍ତୃତା ଦେଲା ଓ ଭବିଷ୍ୟତରେ ସେ ଅଞ୍ଚଳ କିପରି ଉନ୍ନତ ଅଞ୍ଚଳରେ ପରିଣତ ହେବ ଓ ସେମାନେ ଆହୁରି ବେଶି ମୂଲପାତି କାମଧନ୍ଦା ପାଇବେ ସେ ଆଶା ଦେଲା । ସେ କନ୍ଧ ଭାଷାରେ କଥା କହିଲା; କିନ୍ତୁ ତାର ଉଚ୍ଚାରଣ ଟିକିଏ ଭିନେ ଜଣାପଡ଼ୁଥାଏ ଯେପରିକି ସେତିକି ତାର ସ୍ଵତନ୍ତ୍ରତା । କେବଳ ତାର ଧଳା ପୋଷାକ ବଳରେ ନୁହେଁ, ତାର ବିଶିଷ୍ଟ ଭଙ୍ଗୀମାନଙ୍କର ନୁହେଁ, ତାର କଥା କହିବା ବାଗରେ ବି ସେ ଯେପରିକି ଜଣାଇଦେବାକୁ ଚାହେଁ ଯେ ସେ ସେମାନଙ୍କଠାରୁ ଭିନେ, ସେ ଆହୁରି ଉଚ୍ଚରେ ।

 

ସେ ଲେଲିବାଡ଼ିରୁ ଚାଲିଯିବାପରେ ତା ବିଷୟରେ ଆଲୋଚନା ଲାଗିରହିଲା । ମେଲ୍‌କାବାଡ଼ିରେ ବୀମା କନ୍ଧ ପ୍ରତି ଅନ୍ୟାନ୍ୟ କନ୍ଧଙ୍କ ମନୋଭାବ ଆହୁରି ତିକ୍ତ ହେଲା, ଲାଗିଲା ଯେ ଭାଲୁଶୋଷା ସାହୁକାର ହୋଇ ସେ ଘୃଣ୍ୟ, ତା ପୁଅଟା ଆପଣା କୁଳବର୍ଗ ଛାଡ଼ି କୁଆଡ଼ର ଗୋଟାଏ ଅଚିହ୍ନା ଅଧିକାର ପାଲଟିଯାଇ ଆହୁରି ଘୃଣ୍ୟ । ଡେଙ୍ଗା ଲେଞ୍ଜୁ କନ୍ଧ ଗାଁ ମଝି ପଥରଉପରେ ବସି ଶୁଣେଇ ଶୁଣେଇ କହିଲା, ‘‘ପିଲାଦିନେ କେତେ ଦିନ ତାକୁ ନେଇ ମାଷ୍ଟର ପାଖେ ଛାଡ଼ି ଦେଇଆସିଛି, କେତେ କାଖେଇଥିଲି, କେତେ ଶରଧା କରିଥିଲି, ମତେ ଭଲ କରି କଥା କହିଲାନାହିଁ, ଖାଲି ମୁଣ୍ଡ ଟୁଙ୍ଗାରିଲା, ଅଧିକାରୀମାନେ ଯେମିତି ମୁଣ୍ଡ ଟୁଙ୍ଗାରନ୍ତି ।’’ ବୁଢ଼ା ପାଣ୍ଡ୍ରୁ କନ୍ଧ କହିଲା, ‘‘ଏବେ ଦେଖ, ଜଗୁ ପାଢ଼ୀ ମୋ ମହୁଲଗଛ ତଳ ବିଲଟାକୁ ବନ୍ଧା ନେଇଥିଲା ସେ ଆଦୌ ଛାଡ଼ୁନାହିଁ, କହୁଛି ଦାବା ପକା । ସେତେବେଳେ ଟିମା ତ ଦେଖିଥିଲା, ସାକ୍ଷୀ ପଡ଼ିଥିଲା କି ନ ପଡ଼ିଥିଲା ମନେନାହିଁ ମୋର । କହିଲି, ଟିମା ଟିକିଏ ବୁଝିଦେ । ‘ମତେ ବେଳ ହେବ ନାହିଁ’ କହିଲା । ଯେଡ଼େ ବଡ଼ ଲୋକ ହେଲେ ସୁଦ୍ଧା !’’ ଶୋବେନା କନ୍ଧ କହିଲା, ‘‘ମୁଁ ପିଣ୍ଡାରେ ବସିଥାଏ, କହିଲି ବସ ବାବୁ, କହିଲା, ନାଇଁ ନାଇଁ ମୁଁ ଠିଆ ହେଉଚି କ’ଣ କହୁଚୁ ଜଲ୍‌ଦି କହ । ମୁଁ କହିଲି କ’ଣ ଆଉ କହିବି, ଭୁଲିଗଲୁ, ସେମିତି ମୁଣ୍ଡ ହଲେଇଦେଇ ଚାଲିଗଲା ।’’

 

ଗୟାଁ କନ୍ଧର ବୁଢ଼ୀ କହିଲା, ‘‘ହଉ ହଉ, ବଡ଼ଲୋକ ହେଲାଣି, ଯେତେହେଲେ ଆମର ତ । ଆମର ନ ହେଲା, ଆମ ପିଲାଙ୍କର ହେଲେ କେତେବେଳେ କାମରେ ଆସିବ । ଏକା ଆମ ଗାଁ ବୋଲି ନୁହେଁ ଏଡ଼େ ବଡ଼ ଖଣ୍ଡମଣ୍ଡଳକୁ ସେ ବଡ଼ ହେଇଚି, ତାର ଭଲ ହେଉ ।’’

 

ଭେଣ୍ଡିଆ ପଞ୍ଝାଙ୍କୁ ଧରି ଟିବୁ କନ୍ଧ କହିଲା ‘‘ତା ବଡ଼ ତା ଘରେ ହୋ, ଆମର କି ଯାଏ-? ଆମେ କାମ ନ କଲେ କିଏ ଆମୁକୁ ଖାଇବାକୁ ଦବ, ହାତ ଚଳୁଥିଲେ ଅଟକେଇବ କିଏ-? ଅଧିକାରୀଗୁଡ଼ାକ ବାହାରେ ଥିଲେ, ସେଥିରୁ ଗୋଟାଏ ଆସି ଆମରି ଗାଁ ଭିତରେ ରହିଲା, ଏତିକି ଫଳ ହେଲା ।’’

 

ଅଧିକାରୀମାନେ ବି ତା ବିଷୟରେ କୁହାକୋହି ହେଲେ । କେତେ ଜଣ କହିଲେ ଯେ କେ. ଟି. ଦୋରାଙ୍କର ଭାରି ଆଗୁଆଳି ଚିନ୍ତାଧାରା । ତାଙ୍କୁ ସୁଯୋଗ ମିଳିଲେ ସେ ଏ ପ୍ରାନ୍ତର ଚେହେରା ବଦଳାଇ ଦିଅନ୍ତେ । ଆଉ କେତେ ଜଣ ତାକୁ ନିନ୍ଦା କଲେ । ଅନେକେ ପାଟି ଫିଟାଇଲେ ନାହିଁ ।

 

ତାପରେ କେ. ଟି. ଦୋରା ନିୟମିତ ମାସକୁ ଥରେ ଲେଖାଁ ଲେଲିବାଡ଼ି ଆସେ । ବ୍ୟବସାୟୀମାନେ ତାକୁ ବହୁତ ସମାଦର କରନ୍ତି । ତାର ଚେଷ୍ଟାରେ ଓ ସେମାନଙ୍କୁ ଧନରେ ବୀର ଲଖ୍ୱଣସ୍ୱାମୀଙ୍କର ସିନେମାଘର ଚାଲିଲା, ଭେଙ୍କଟ ଜଗନ୍ନାଥସ୍ୱାମୀଙ୍କର ଚିନି କଳ ଚାଲିଲା, ପ୍ରୀତମ୍ ସିଂ, ଝୋପ୍‍ଡ଼ିଓ୍ୱାଲା, ନରି ବିଶ୍ୱାଳ ଓ ନିୟାମତ୍ ହୋସେନ୍ ଥରେ ଲେଖାଁ ଲେଲିବାଡ଼ି ବୁଲି ଚାଲିଗଲେ । ଆଉ କେତେଜଣ ବଡ଼ ବଡ଼ ପ୍ରଭୁ ଅଧିକାରୀଙ୍କି କେ. ଟି. ଦୋରା ଥର ଥର କରି ନିଜେ ସଙ୍ଗରେ ଘେନିଆସି ଲେଲିବାଡ଼ି ଅଞ୍ଚଳ ବୁଲାଇ ଘେନିଗଲା । କେତେ ପ୍ରକାର ସଜାସଜି ହୋଇଥିଲା, ସଭା ହୋଇଥିଲା । କେ. ଟି. ଦୋର ବକ୍ତୃତା ଦେଇଥିଲା ।

 

ସହରରୁ ସହର, ବକ୍ତୃତା, ଖବରକାଗଜରେ ଲେଖା, କେତେବେଳେ କେଉଁଠି ସଭା, କେଉଁଠି ଭୋଜି, କେତେ ବଡ଼ ବଡ଼ ଲୋକଙ୍କ ଗହଣରେ ଏକାଠି ଖୁସି ଗପ, କେତେ ନାଚ–ଘର, କେତେ ମଉଜ–ଘର, କେତେ ନିଭା ଦେବୀ, କେତେ ନୀଳିମା ଦେବୀ, କେତେ ଶ୍ରୀମତୀ ମେରୀ ମ୍ୟାଗ୍‍ଡ଼େଲେନ୍, କେତେ ଶ୍ରୀମତୀ ନାଁ ମନେନାହିଁ । ମାଳ ମାଳ ବିଜୁଳି ଆଲୁଅ, ସାଇଁ ସାଇଁ ମଟରଗାଡ଼ି, ଧାଡ଼ିଧାଡ଼ି ଡେଙ୍ଗା କୋଠା, ଭାଷା ଆଉ ଚିତ୍କାର ଆଉ ସଙ୍ଗୀତ ସେ କେତେ ଜାତିର । ସିନେମା, ଥିଏଟର, ଯନ୍ତ୍ରାଳୟ, କାର୍ଯ୍ୟାଳୟ ।

 

ହଠାତ୍ ସବୁ ଗୁମ୍ ହୋଇଗଲା । ସେହି ବେଳ ଆସି ପହଞ୍ଚିଗଲା ଯେତେବେଳେ ଗାଁ ଜ୍ୟୋତିଷଠୁଁ ସହରର ବଡ଼ ବଡ଼ ଜ୍ୟୋତିଷରତ୍ନ ଓ ଦୈବଫଳ ଗଣନାକାରୀ ଅନୁଷ୍ଠାନମାନଙ୍କ ପର୍ଯ୍ୟନ୍ତ ସବୁ ଭବିଷ୍ୟତ ଟାଣ ବକ୍ତାମାନଙ୍କର ସମୟ ନିଅଣ୍ଟ ପଡ଼େ, ଦୁଆରେ ଭିଡ଼ହୁଏ; ଗଳିକନ୍ଦିର ଠାକୁରଦେଉଳମାନଙ୍କରେବି ବିଶିଷ୍ଟ ପୂଜା ମାନସିକ ଆରମ୍ଭ ହୁଏ; କ୍ଷୀରସ୍ନାନ, ବେଲପତ୍ର ଚଢ଼ାଇବା, ଅଭିଷେକ, ନାନାକ୍ରିୟାକର୍ମ ଆରମ୍ଭ ହୋଇଯାଏ ଓ ହଠାତ୍ ଖାତିର ବଢ଼ିଯାଏ ଆଉ ଏକ ଶ୍ରେଣୀର ଅଖ୍ୟାତ ଠାକୁରମାନଙ୍କର,—ସେ ଏ ଦେଶର ସାଧାରଣ ମଳିମୁଣ୍ଡିଆ ମଣିଷ । ସେହି ସେ ବେଳ, ଯେତେବେଳେ କେତେ ଲୋକଙ୍କର ଛାତି ଭିତର ଥରିଉଠେ, ଶୋଇଥିଲାବେଳେ ହଠାତ୍ ବିଳିବିଳେଇ ଉଠି ନିଦ ଭାଙ୍ଗିଯାଏ । ସାଧାରଣ ନିର୍ବାଚନର ବେଳ ଆସି ପହଞ୍ଚିଗଲା, କେ. ଟି. ଦୋରା ସହର ଛାଡ଼ି ଲେଉଟି ଆସିଲା ତାର ଦୁର୍ଗକୁ,—ସେ ତାର ଶ୍ୱଶୁରଘର ।

 

ନର୍ସିଂଲୁ ଦୋରା ବି ଗଣକ ପାଖକୁ ଯାଇଥିଲେ । ଲେଲିବାଡ଼ିର ଅବକାରୀ ଅଫିସର ବଡ଼ କିରାନି ବାବୁ ଶ୍ରୀରାମମୂର୍ତ୍ତି ଗଣକ ବୋଲି ନାଁ ଡାକ, ଜାତକ ଦେଖି କବାଟ କିଳି ସେ ଦୋରାଙ୍କୁ ସ୍ପଷ୍ଟ କହି ଦେଇଥିଲେ, ‘‘ଏଥର ଆଶା ଦେଖୁନାହିଁ ଦୋରା ।’’ କିନ୍ତୁ ଦୋରାଏ ସେଠୁ ଫେରିଗଲେ କାଜୁରୁବାଡ଼ିର ଇସ୍କୁଲ୍ ମାଷ୍ଟର ଭୁଷଣ୍ଡ ପାଢ଼ୀଙ୍କ ପାଖକୁ, ସେ ବି ଜଣେ ବିଖ୍ୟାତ ଗଣକ, ସେ କହିଲେ ନିର୍ବାଚନରେ ଟିମ୍‍ମାୟାଙ୍କର ବିଜୟ ନିଃସନ୍ଦେହ । କୋଣ୍ଡାପାଇ ଗାଁର ମିଲ୍‌କୁଡ଼ିସାର କହିଲା, ଏଥର ଟିମା ଜିତିବ । ପାଟାଂଗୁରୁ ଗାଁରେ ଆଷାଢ଼ୁ ବୈଦ୍ୟ କହିଲା, ନା, ଆଶା ଦିଶୁନାହିଁ । ତେଣୁ ଗଣକବି ଏପଟେ ଦି’ଜଣ ସେପଟେ ଦି’ଜଣ ମତ ଦେଲେ, ଫଳ ଅମୀମାଂସିତ ରହିଲା ।

 

କେ. ଟି. ଦୋରାଙ୍କୁ ଛାଡ଼ି ଆହୁରି ତିନି ଜଣ ଲୋକପ୍ରତିନିଧି ହେବାକୁ ଠିଆହେଲେ । ଜଣେ ଭୂୟାକା ହାର୍ଗୁଣା, ତାଙ୍କ ଚିହ୍ନ ସଲପ ଗଛ । ସେ ଗଛ ଦେଖିବାକୁ ତାଳ ଖଜୁରି ଜାତିର, ସଲପ ଦୋରୁଅ ମଦ, କନ୍ଧ ସଓରାଙ୍କର ଭାରି ପ୍ରିୟ । ଆଉ ଜଣେ ପ୍ରେପାକା କାଳିଆ କନ୍ଧ, ତାଙ୍କ ଚିହ୍ନ ଭାଲୁ । ଆଉ ଜଣେ କାଡ୍ରାକା ସୀମା କନ୍ଧ, ତାଙ୍କ ଚିହ୍ନ କୁର୍‌ହାଡ଼ି । କେ. ଟି. ଦୋରାଙ୍କର ଭାରି ଇଚ୍ଛା ଥିଲା ଆପଣା ଚିହ୍ନ ଜେଟ୍‌ ଉଡ଼ାଜାହାଜ ରଖିବେ ବୋଲି; କିନ୍ତୁ ବନ୍ଧୁମାନଙ୍କ ପରାମର୍ଶରେ ସେ ଚିହ୍ନ ରଖିଲେ ଟୋକେଇ ଓ ଶାବଳ । ଶାବଳରେ ତାଡ଼ି ବଣର କନ୍ଦା ଖୋଳି ଖାଇ ଟୋକେଇରେ ମାଟି ବୋହି ବୋହି ଜୀବନ ବିତାଉଥିବା ଦରିଦ୍ର ଆଦିବାସୀଙ୍କର ସେ ଉଚିତ ସନ୍ତକ ହେବବୋଲି ସେମାନେ ଭାବିଲେ ।

 

ଲାଗିଲା ନିର୍ବାଚନ ପ୍ରଚାର । ହାଟମାନଙ୍କରେ ବହୁତ ବକ୍ତୃତା । ପ୍ରତିନିଧିମାନଙ୍କ ତରଫରୁ ଲୋକେ ଗାଁ ଗାଁ ଘର ଘର ବୁଲିଲେ । କାହାର କିଏ ବନ୍ଧୁବାନ୍ଧବ, କିଏ କେଉଁ ଗାଁ ଲୋକଙ୍କୁ କରଜ ଦେଇ ଅକ୍ତିଆରରେ ରଖିଛି, କିଏ କାହାର ଭାଗଚାଷୀ, କିଏ କାହା କଥା ମାନେ, ସାଧାରଣ ଲୋକଙ୍କ ମନ ଓ ବିଚାର କୁଞ୍ଚିକାଠି ପରି ଏହି ଯେତେ ପ୍ରକାର ଲୋକ ସେମାନଙ୍କର ଦାମ୍ ବଢ଼ିଗଲା । ସଓରା ଜାତିର ଲୋକେ ଗାଁକୁ ଗାଁ ସେମାନଙ୍କର ଡମ୍ବ ‘ପେଶିନି’ର କଥା ମାନନ୍ତି, ‘ପେଶିନି’ ଗାଁ ଲୋକଙ୍କ ବୋଲହାକ କରେ, ବାହାରର ଲୋକଙ୍କ ସଙ୍ଗେ କୌଣସି ଗାଁ ଲୋକର କୌଣସି କାରବାର, ଦରକାର ଥିଲେ, ଯେପରି କରଜ ଆଣିବା, ମକଦ୍ଦମା କରିବା ଇତ୍ୟାଦି,—ସେଠି ପେଶିନି ମଧ୍ୟସ୍ଥ ହୁଏ । ମାଳର ସଓରା ଓଡ଼ିଆଭାଷା ଭଲକରି ବୁଝିପାରେନାହିଁ । ସେଠି ବି ଉଭୟ ପକ୍ଷକୁ ପରସ୍ପରଙ୍କ କଥା ବୁଝିବା କାର୍ଯ୍ୟରେ ସାହାଯ୍ୟ କରେ ପେଶିନି, ସେ ଓଡ଼ିଆ ଜାଣେ, ସଓରା ଜାଣେ, ମନଇଚ୍ଛା ନିଜ ସୁବିଧା ଅନୁସାରେ ଅର୍ଥକରି ବୁଝାଏ । ଡମ୍ବ ଜାତିର ଏ ପେଶିନିମାନଙ୍କ ସଙ୍ଗେ ସମ୍ବନ୍ଧ ରଖିଥିଲା ମସ୍ତିପୁଟର ଡମ୍ୱ ଜାତିର ମାଷ୍ଟର ଚମରୁ ମାଛ । ସେମାନଙ୍କ ମଧ୍ୟରୁ କେହି କେହି ତାଠୁଁ ଅଳ୍ପ କିଛି କିଛି କରଜ ବି ନେଇଥିଲେ । ପେଶିନିମାନଙ୍କ ଭିତରେ ଜହନ, ପିତର, ଏଲିଅ, ବାର୍ଥଲମିଉ, ମାଥୁ, ପାଉଲ, ଦାଉଦ ଏପରି ଅନେକ ଖ୍ରୀଷ୍ଟିଆନ୍‍ ବି ଥିଲେ । ସେହି ସୂତ୍ରରେ ଚମରୁ ମାଛ ଓ ପାଟ୍ରିସିଆ ମାଛଙ୍କ ସହିତ ସେମାନଙ୍କ ପରିବାରର ଘନିଷ୍ଠତା ଥିଲା ଓ ଚମରୁ ସସ୍ତ୍ରୀକ ସେମାନଙ୍କ ଘରକୁ ବି ଆଗରୁ କେତେଥର ଯାଇଥିଲେ । ଭୂୟାକା ହାର୍ଗୁଣା ଚମରୁ ମାଛ ସହିତ ଘନିଷ୍ଠତା ବଢ଼ାଇଲେ । ତାଙ୍କ କାନ୍ତରାଟି କାମର ଖୁଚୁରା ଇଟା ଓ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରି ସେ ମସ୍ତିପୁଟରେ ଗୋଟିଏ ପ୍ରାର୍ଥନା ଘର ତୋଳାଇ ଦେଲେ ବନରୁ ମାଛ ପେଶିନିମାନଙ୍କୁ ଡକାଇ ତାଙ୍କ ସଙ୍ଗେ ଚିହ୍ନାପରିଚ କରାଇଦେଲେ ଓ ମାଳର ସଓରା ଭାବିବାକୁ ଆରମ୍ଭ କଲେ ଯେ ତାଙ୍କର ନେତା ଭୂୟାକା ହାର୍ଗୁଣା, ନାନାଚିହ୍ନ ଦେଖି ଗୋଳମାଳରେ ପଡ଼ିବା ସମ୍ଭାବନା ନାହିଁ, ତାଙ୍କର ଚିହ୍ନ ସେହି ଅତି ପରିଚିତ ସଲପ ଗଛ, ଯେଉଁଠି ସବାଅଗରେ ଠେକି ବସିଥାଏ, ଅନ୍ଧାରି ପାହାନ୍ତିଆରୁ ଥରେ, ମଝି ଦ୍ୱିପହରେ ଥରେ ଓ ସଞ୍ଜବୁଡ଼େ ଥରେ ଏହିପରି ଦିନକୁ ତିନିଥର ସଓରା ପୁରୁଷ ସଲପ ଗଛରେ ଚଢ଼ି ମଦ ପିଏ, କେବେ କେବେ ବାପ ଠେକି ବସାଇଥିଲେ ପୁଅ ପିଇଦେଲେ ବାପର କାଣ୍ଡରେ ପୁଅର ଜୀବନ ଯାଏ, କେବେ କେବେ ଗଛ ଉପରେ ମଦ ପିଇ ମାତି ତଳକୁ ଖସିପଡ଼ି କାହାର ଜୀବନ ଯାଏ ।

 

ସଲପ—ସେହି ପ୍ରିୟ ସଲପ ଗଛ । —‘ରାସାଲ୍ ନେବ’ । କିନ୍ତେଗର୍ଜାଂ (କଦଳୀଗାଁ) ହାଟଦିନ ଥାଏ । ସବାଇ ଘାସ ଆଣିବାକୁ କାନ୍ତରାଟି ଯେଉଁ ପାହାଡ଼ ବାଟ ଖୋଲିଥାଏ ସେହି ବାଟେ ବାଟେ ଜୀପ୍‍ଗାଡ଼ି ଚଢ଼ି କେ. ଟି. ଦୋରା ନିର୍ବାଚନ ପ୍ରଚାର କରିବାକୁ ଛୁଟିଥାଏ, ପାଖେ ପାହାଡ଼ର ତୀକ୍ଷ୍ଣ ଅତଡ଼ା ପାଖେ ପାତାଳଫୁଟା ଗହୀର ଖାଲ, ହଠାତ୍ ଠାଏ ନାଲିଆ ପାଖେ ଜୀପ୍‍ଗାଡ଼ି ଅଖଞ୍ଜ ହୋଇଗଲା । ଡ୍ରାଇଭର ଖୁଟୁରୁ ଖାଟୁରୁ କରୁ କରୁ ଗଲା ଦୁଇଘଣ୍ଟା ବିତି । ତାପରେ ଗାଡ଼ି ସଜାଡ଼ି କିନ୍ତେଗର୍ଜାଂ ହାଟପଦାରେ ପହଞ୍ଚିଲାବେଳକୁ ମୁଣ୍ଡେବେଳ, ଭରା ହାଟ, ଆଉ ଅଳ୍ପକେ ହାଟ ଭାଙ୍ଗିଯିବ । ଅଣ୍ଟାଠୁଁ ଉପରକୁ ସଂପୂର୍ଣ୍ଣ ଖୋଲା, ଅଣ୍ଟାତଳେ ଜଙ୍ଘଯାକେ ଅଳ୍ପ ଅଳ୍ପ ଘେର, କାନରେ ଚାଖଣ୍ଡେ ଦେଢ଼ ଚାଖଣ୍ଡ ବ୍ୟାସର ଗୋଲ ଗୋଲ ପିତ୍ତଳ ଫାସିଆ, ଗୋରା କାଳିଆ ମାଳ ସଓରା ସ୍ତ୍ରୀ ଲୋକମାନେ ଜୀପ୍‍ଗାଡ଼ିକୁ ବେଢ଼ିଗଲେ, ସେ ଓହ୍ଲେଇ ପଡ଼ିବାମାତ୍ରେ ତାକୁ ତାଙ୍କ ଆଗ୍ରହୀ ଘେର ଭିତରେ ପ୍ରାୟ ଚିପି ପକାଇଲେ, ତାର ଆଶା ବଢ଼ିଲା, ସେ ଭାବିଲା ପ୍ରକୃତରେ ସେ ଏଠି ଜନପ୍ରିୟ ହୋଇଛି । ସେପାଖେ ଡେଙ୍ଗା ଡେଙ୍ଗା ସଓରା ପୁରୁଷମାନେ, ରଙ୍ଗରଙ୍ଗିଆ ‘ଲାଞ୍ଜ’ ପିନ୍ଧି ଠିଆହୋଇ ସତେ ଯେପରିକି ତାକୁ ଅପେକ୍ଷା କରି ରହିଛନ୍ତି । ସେ ଗୋଟିଏ କୁଦ ଉପରେ ଚଢ଼ିଯାଇ ସମସ୍ତିଙ୍କୁ ଦଣ୍ଡବତ କରିସାରି ବକ୍ତୃତା ଆରମ୍ଭ କରିବାକୁ ପାଟି ଖୋଲିଲା । ସେ ପାଖରେ ଦେଖାଗଲା କାମ୍ୱାଲଂଲଂ (ତାଳଗଛର ସାହି) ଗାଁର ପ୍ରାୟ ସାତଫୁଟ ଉଞ୍ଚ ସର୍ଦ୍ଦାର କୀଚ୍‍ଚ (କୁକୁର) ଗମାଂ ହାତ ପାପୁଲି ଟେକି ତାକୁ ନିଷେଧ କରୁଛି । କୀଚ୍‍ଚ ଅଧୀନରେ ବାଇଶି ମୌଜା; ସେ ସୁନାବର୍ଣ୍ଣର ମଣିଷ, ତାର ଓସାର କାନ୍ଧ, ସିଂହ ଅଣ୍ଟାପରି ସରୁ ଅଣ୍ଟା, ଦେହରେ ବିପୁଳ ବଳ, ସେ ଦୁଃସାହସୀ, ତା ସମ୍ବନ୍ଧରେ ଅନେକ କାହାଣୀ ଚଳନ୍ତି ଅଛି । ସେ ବିନା ବଚନିକାରେ ଗର୍ଜନ କରି ବକ୍ତୃତା ଆରମ୍ଭ କରିଦେଲା,–

 

‘‘ଆଗାଇ ନେଲାଂତୈ (ହେ ବେଶ୍ୟାପୁତ୍ର)

ଓ୍ୱାଂ ଗର୍ଜାଂ (ତୁମ) ଗାଁ କେଉଁଠି’’

 

ସଓରାଙ୍କ ଭିତରେ ହସ ଉଛୁଳି ପଡ଼ିଲା, ଠିଆ ହୋଇଥିବା ଗହଳି ଭିତରେ ଏମୁଣ୍ଡୁ ସେମୁଣ୍ଡୁ ବାରମ୍ବାର ହସ ଭିତରେ ପ୍ରତିଧ୍ୱନି ଖେଳିଗଲା ।

 

ଟିମାର ପାଖରେ ଥିବା ଡମ୍ୱ ତା କାନପାଖେ ତାର ଅର୍ଥ ବୁଝାଇଦେଲା, ରାଗରେ ଲାଜରେ ତାର ମୁହଁ ଜଳିଗଲା, ତାର ତଣ୍ଟି ଶୁଖିଗଲା, ସେ ଦେଖିଲା ସେହି ଯେଉଁ ସ୍ତ୍ରୀଲୋକମାନେ ଏତେ ଆମୋଦରେ ଏତେ କୁତୂହଳରେ ଖୋଲା ଦେହର ଘେର ଭିତରେ ତାକୁ ଚିପି ପକାଇଥିଲେ ସେମାନେ ବି ପାଖକୁ ପାଖ ଲଗାଲଗି ହୋଇ ଠିଆହୋଇ ଠେଲାଠେଲି ହୋଇ ଦୋହଲି ଦୋହଲି ତା ଆଡ଼କୁ ଚାହିଁ ହସି ହସି ଗଡ଼ୁଛନ୍ତି । ମଝିରେ ମଝିରେ କ’ଣ କ’ଣ କହୁଛନ୍ତି, ଯେପରି କି ଶୁଭି ଶୁଭି ଯାଉଛି ‘‘ନେଲାଂ ତୈ । ନେଲାଂ ତୈ ।’’

 

କୀଚ୍‌ଚ ଚାରିଆଡ଼େ ଅନାଇଁ ସତେକି ତାର କଥାର ମଉଜ ଲକ୍ଷ୍ୟ କଲା, ତାପରେ ଆହୁରି ବଡ଼ପାଟିରେ କହିଲା, ‘‘ତୁମେ ଆଜି ଆସିବ ବୋଲି ଆମେ ଆଗରୁ ଜାଣିଥିଲୁ । ତୁମେ କ’ଣ କହିବ ସେ କଥା ବି ଆମେ ଜାଣିଥିଲୁ । ଶୁଣ, ତୁମେ କ’ଣ କହିବ ସେ କଥା ମୁଁ ଆଗରୁ କହିଦେଉଛି-। ତୁମେ କହିବ–ଆମେ ତୁମର ଭାରି ହିତକାରିଆ । ସେଇଥିପାଇଁ ଆଜି ପ୍ରଥମ ଥର ଆମେ ତମୁକୁ ସଂଖୋଳିବାକୁ ତୁମ ଗାଁକୁ ଆସିଛୁ । ଆମୁକୁ ତୁମ ପ୍ରତିନିଧି କର, ତାହେଲେ ଆମେ ଏମିତି କରିଦେବୁଁ ଯେ ତୁମ ବଣରେ ବାଘ ରହିବେନାହିଁ । ତୁମ ପିଲାକୁଟୁମ୍ବକୁ କେବେ ଆସୁ (ଜ୍ଵର) ଧରିବ ନାହିଁ, ମୋଡ଼ା (ଝାଡ଼ା) ଧରିବ ନାହିଁ, ୟୋ ୟୋ (ବସନ୍ତ ରୋଗ) ଧରିବ ନାହିଁ । ପର୍ବତ ଉପରେ ତଳର ପାଣି ଭସ୍‌ଭସ୍‌ ହୋଇ ମାଡ଼ିବ, ତାହେଲେ ଏ ପର୍ବତ ଉପରେ ଧାନ ପାଚିବ-। ଚାରିଆଡ଼େ ଖାଲି କୋଠାଘର ତୋଳା ହୋଇଯିବ, ସହର ବସିଯିବ, ଗୁମ୍‍ଗୁମ୍ ଦୁମ୍‍ଦୁମ୍ ହୋଇ କଳକାରଖାନା ଚାଲୁହେବ, ତୁମେ ସମସ୍ତେ ବଡ଼ ବଡ଼ ସାହୁକାର ହୋଇଯିବ ଯେ ଗଉଣିରେ ସୁନା ମାପି ମାପି ଘରେ ପୂରୋଉଥିବ, ତୁମେ କୁର୍‍ତା (ଘୋଡ଼ା) ଚଢ଼ିବ, ଡ୍ରାଆ (ହାତୀ) ଚଢ଼ିବ, ଖାଲି ମୋର ଟୋକେଇ ଆଉ ଶାବଳ ଛବି ଦେଖି ସେହି ବାକ୍ସରେ କାଗଜ ଖଣ୍ଡେ ଗୁଞ୍ଜି ଦେଲେ ହେଲା-।’’

 

ଚାରିଆଡ଼ୁ ପୁଣି ନଟରା ହସର ତୋଫାନ ରାଉ ରାଉ ଶୁଭିଲା, କେ. ଟି. ଦୋରା ଅନୁଭବ କଲା, ତାର ହାଡ଼ରୁ ମାଉଁସ ଝଡ଼ିପଡ଼ୁଛି, ତାର ପ୍ରାଣ କଣ୍ଠାଗ୍ରତ ।

 

ସେ ଅନୁଭବ କଲା ସଂସାରର ଏକ ସାଧାରଣ ସତ୍ୟ, ମାଡ଼ଠୁଁ ହସ ସହସ୍ରେ ଗୁଣେ ବେଶି କାଟେ, ବହୁତ ବେଶି ଗହୀରକୁ ଭେଦେ । ମାଡ଼–ଖଣ୍ଡିଆ କରେ, ହସ–ଜାଳି ଭସ୍ମ କରି ଅଙ୍ଗାର ପାଉଁଶ ବି ଉଡ଼େଇଦିଏ ।

 

କୀଚ୍‍ଚ ଗମାଂ ପୁଣି କହିଲା, ‘‘ତୁମ କହିବା କଥାଯାକ ସବୁ ମୁଁ କହିଦେଲି । ଆଉ କ’ଣ ଅଧିକ ତୁମେ କହନ୍ତ ?

 

ଆଗାଇ ନେଲାଂତୈ । (ହେ ବେଶ୍ୟାପୁତ୍ର)

ଅଣ୍ଡାଂଆ । (ଶୁଣ)

ସୋବ୍ ସୋବ୍ ବେରେନେଣ୍ଡେ ମ’ନ୍ନ ପ’ତାଇତେଁ

(ମିଛ କହିଲେ ଆଖି ଫୁଟିଯିବ)

ଗର୍ଜାଂଇଆ (ଗାଁକୁ ଯାଅ)’’

 

ଚାରିଆଡ଼ୁ ହସ ଭିତରେ ଘୋଷା ଶୁଭିଲା ‘‘ଗର୍ଜାଂଇଆ ଗର୍ଜାଂଇଆ ।’’

 

କୀଚ୍‍ଚ କହିଲା, ‘‘ଆମେ ବାଛି ସାରିଛୁଁ ଆମର ପ୍ରତିନିଧି ଭୂୟାକା ହାର୍ଗୁଣା । ତାର ଚିହ୍ନ ଆମର ପ୍ରିୟ ସଲପ ଗଛ । ଏଇ ଗଛ ହେଇ ଦେଖ...’’ ସଓରା ପାହାଡ଼ ଉପରର ମାଳ ମାଳ ସଲପ ଗଛ ଆଡ଼କୁ ସେ ହାତ ଦେଖାଇଦେଲା, ‘‘ସେ ପାଦରେ ଚାଲି ଚାଲି ବୁଲେ, ଆମ ଘରେ ଆସି ଉଆବ୍‌ (ଶାଗ) ଆଉ କୁଡ଼ୁ (ଜାଉ) ଖାଏ, ଆମ ସଙ୍ଗରେ ବସି ଆଲି (ମଦ) ଆଉ ରାସାଲ୍ (ସଲପ) ପିଏ, ସେ ଏ ମାଟିର ମଣିଷ, ଆମ ପରି ମଣିଷ, ତୁମେ ଯେ ରାମ୍ମେଁ (ବିଲେଇ)’’ ।

 

ପୁଣି ହସର ଗହଳି ଶୁଭିଲା—‘‘ରାମ୍ମେଁ—ରାମ୍ମେଅନ୍‌...’’

ସଓରା ନେତା ଜଣେ କହେ । କୀଚ୍‍ଚ କହିଲା, ‘‘ସରିଲା, ଚାଲ ।’’ ଯେ ଯୁଆଡ଼େ ମିଳେଇଗଲେ । କେ. ଟି. ଦୋରା ତାର ଛୋଟିଆ ଦଳ ଭିତରେ କୁଦ ଉପରେ ଠିଆହୋଇ ଅନାଇଁ ରହିଲା ପାହାଡ଼ ଉପରର ମାଳ ମାଳ ସଲପ ଗଛ ଆଡ଼କୁ ।

 

ଏଠି ତାର ଭାଗ୍ୟ ନିଷ୍ପତ୍ତି ହୋଇସାରିଛି । ବଣ ପାହାଡ଼ ଖୋଲ ଭିତରେ ଯେତେ ଯେତେ ମାଳ ସଓରା ନିର୍ବାଚନରେ ଯୋଗଦେବାକୁ ଯିବେ, କେହି ଭୁଲ୍‌ରେ ସୁଦ୍ଧା ସଲପ ଗଛର ଚିହ୍ନ ଛଡ଼ା ଆଉ କେଉଁଠିକୁ ଯିବେନାହିଁ ।

 

ଦାରିଙ୍ଗ୍‍ ବାଇ ହାଟରେ ସେ ଯେତେବେଳେ ବକ୍ତୃତା ଦେଲା ସେତେବେଳେ ପାହାଡ଼ ଉପରୁ ଓହ୍ଲେଇ ଆସିଥିବା ଡଂଗ୍ରିଆ କନ୍ଧମାନେ ଗମ୍ଭୀର ହୋଇ ମୁହଁକୁ ତଳକୁ ପୋତି ଟିକିଏ ଶୁଣି ପୁଣି ନିଜ ନିଜ କାମରେ ଚାଲିଗଲେ ।

 

ବଡ଼ କନ୍ଧ ଗାଁ ଜାଙ୍ଗିଡ଼ି । ସେଠି ଶୁକ୍ରବାର ଦିନ ହାଟ ବସେ, ସେଠି ତାର ବକ୍ତୃତା ହେବ ବୋଲି ଆଗରୁ ଗୋଟିଏ ଭାଡ଼ି କରାହୋଇଥିଲା । ଆଖପାଖର କେତେଖଣ୍ଡ ଗାଁକୁ ଆଗରୁ ଲୋକ ପଠାହୋଇ ପ୍ରଚାର କରାହୋଇଥିଲା । ବାସ୍ନା ତେଲ, ସାବୁନ୍, ଆରିସି, ପାନିଆ, କାଚମାଳି, ମୁଢ଼ି ମୁଆଁ, ଧୂଆଁପତ୍ର ପିକା, ଏହିପରି ନାନାପଦାର୍ଥ ବଣ୍ଟା ହୋଇ ଲୋକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରାହୋଇଥିଲା । କିନ୍ତୁ ସେ ବକ୍ତୃତା ଆରମ୍ଭ କଲାମାତ୍ରେ ହଠାତ୍ କେଉଁଠୁ ଢୋଲିଆ ପଞ୍ଝାଏ ଢୋଲ ପିଟିବାକୁ ଆରମ୍ଭ କରିଦେଲେ, ମହୁରିଆ ମହୁରି ଫୁଙ୍କିଲା ଓ ଗୋଟିଏ କନ୍ଧ କାଳିସୀ ଡେଇଁ ଡେଇଁ ନାଚିଲା । ବହୁତ ଲୋକ ସେ କାଳିସୀ ଚାରିକରେ ବେଢ଼ିଗଲେ । ସଭାସ୍ଥଳ ପାତଳ ହୋଇଗଲ, ତାପରେ ସେ କାଳିସୀ ଚିତ୍କାର କଲା, ‘‘ମୁଁ ଝାଂକର୍ ଦେବତା । ଶୁଣ, ହୋ, ପୃଥ୍ୱୀଯାକର ଲୋକ, ତୁମର ଖରାପ ଦିନ ଆସୁଛି । ଜଣେ ପଦା ଦେଶର ଅଧିକାରୀ ବୁଲୁଚି । ସେଇଟା ନିଜକୁ କନ୍ଧ ବୋଲି କହୁଛି, ଏଣେ ତେଲେଙ୍ଗାଣୀ ବିଭାହୋଇଛି । ସେ କନ୍ଧ ନୁହେଁ, ସଓରା ନୁହେଁ ଡମ୍ୱ ନୁହେଁ । ସେ ଗାଡ଼ିରେ ଚଢ଼ିବୁଲିବା ଲୋକ, ତୁମର ସୁଖଦୁଃଖ କଥା ତାକୁ ଜଣାନାଇଁ । ତମ ଭଲମନ୍ଦ ବୁଝିବା ଲୋକ ସେ ନୁହେଁ, କେବେ ତୁମ ଗାଁକୁ ବି ଆସିନାହିଁ । ଏତେବେଳେ ତାର ଗୋଟାଏ ଦରକାର ପଡ଼ିଛି, ସେ ଆସିଛି । ହୁସିଆର, ତା କଥା କେବେ ଶୁଣ ନାହିଁ, ନ ହେଲେ ତମୁକୁ ନେଇ ଖାଲରେ ପକାଇଦେବ । ତୁମର ଗୋରୁ ମରିବେ, ଜମିକୁ ନଈ ଭସେଇନେବ, ତମକୁ ବାଘ ଖାଇଯିବ, ତା କଥା ମାନିଲେ ତମକୁ ଏତେ ବିପଦ ପଡ଼ିଯିବ । ସେ ଗୋଟାଏ ଖରାପ ଲୋକର ଡୁମା, ତା ପାଖ ପଶନାହିଁ ।’’ ଟିମା କନ୍ଧ ଆଡ଼କୁ ସେଠି କେହି ଚାହିଁଲେ ନାହିଁ । ଯୋଡ଼ା ପାପୁଲିରେ ମୁହଁକୁ ଘୋଡ଼ାଇ ପକାଇ ଲୋକେ ଯେ ଯୁଆଡ଼େ ପଳାଇଲେ-। ହାଟ ଭଙ୍ଗିଗଲା ।

 

ବୀମା କନ୍ଧ ଅଣ୍ଟା ଭିଡ଼ି ଠିଆହେଲା । ଗାଁ ଲୋକଙ୍କୁ ଭୋଜି ଦେଲା । ନୋତାଗୋତା ବନ୍ଧୁବାନ୍ଧବ ଏପରି ବିଭିନ୍ନ ଗାଁରୁ ଡକାଇ ଆଣି ଆପଣା ଗାଁରେ ବଡ଼ ଉତ୍ସବ କରି ସେମାନଙ୍କୁ ବହୁତ ସମାଦର କଲା । ସେମାନେ ଚର୍ଚ୍ଚାପାଇଲେ, ଖାଇଲେ ପିଇଲେ, ତା ଗାଁରେ ପାଞ୍ଚଦିନ ରହି ତାକୁ ପ୍ରତିଶ୍ରୁତି ଦେଲେ ଯେ ସେମାନେ ତା ପୁଅପାଇଁ ପ୍ରଚାର କରିବେ । ତାପରେ ସେମାନେ ଚାଲିଗଲେ, ଆଉ କେବେ ଲେଉଟିଲେ ନାହିଁ । ତାର ଦି’ଦିନେ କାଡ୍ରାକା ସୀମା କନ୍ଧ ଆସି ମେଲ୍‍କାବାଡ଼ିର ତେନ୍ତୁଳି ଗଛମୂଳେ ସଭା କଲା । ଗର୍ଜନ ତର୍ଜନ କରି ବହୁତ ତତଲା କଥା କହି ଲୋକଙ୍କୁ ଉତ୍ତେଜିତ କଲା । ମେଲ୍‍କାବାଡ଼ିର ଟିବୁ କନ୍ଧ ସେଠି ବଡ଼ପାଟି କରି ପ୍ରଚାର କଲା ‘‘ଏଗାଁର ଜଣେ ବି କେହି ଟିମାୟା ଦୋରା ପଟେ ଠିଆହେବେ ନାହିଁ, ତା ବଡ଼ଲୋକି ତା ଘରେ, ଆମେ ତାର ଖାଉ ନ ଧାରୁ ? ସେ ଆମ ସଙ୍ଗେ ମିଶିନାହିଁ, ଆମ ସଙ୍ଗେ କଥାଭାଷା ହେବାକୁ ତାକୁ ଲାଜମାଡ଼େ, ତା ବାପ ସାହୁକାର ହୋଇ ଆମ ଜମି ଝିକି ଖାଇଛି, ତା ଶଶୁର ସାହୁକାର ହୋଇ ଲେଲିବାଡ଼ିରେ ବସିଛି । ସେଇଟା ଆମ ଦୁଃଖ ସୁଖ କ’ଣ ବୁଝିବ ?’’ଶୋଭେନା କନ୍ଧ, ଲେଞ୍ଜୁ କନ୍ଧ ବି କହିଲେ ‘‘ସତ ସତ ।’’

 

ତଥାପି ଟିମାର ଆଶା ରହିଲା ତାର ଉଦ୍ୟମ କାମ ଦେବ । ସହରମାନଙ୍କରେ ବ୍ୟବସାୟୀମାନେ ତା ପାଇଁ ଚେଷ୍ଟା ଚଳାଇଲେ । ନର୍ସିଂଲୁ ଦୋରା, ବୀରଲଖ୍ୱଣସ୍ୱାମୀ, ଭେଙ୍କଟ ଜଗନ୍ନାଥସ୍ୱାମୀ ଓ ରଘୁ ପାଢ଼ୀ ପ୍ରଭୃତି ପ୍ରତିପତ୍ତିଶାଳୀ ଲୋକେ ଘର ଘର ବୁଲି ତା ପାଇଁ ପ୍ରଚାର କଲେ । ନାନାପ୍ରତିଶ୍ରୁତି ଦିଆହେଲା ଓ କିଛି ଖର୍ଚ୍ଚ ମଧ୍ୟ ହେଲା, ଅନେକେ କହିଲେ ଯେ ତାକୁ ହିଁ ସମର୍ଥନ କରିବେ ।

 

ନିର୍ବାଚନର ଦିନ ଆସିଲା । ଶତକଡ଼ା ପଚିଶ ଜଣ ଲୋକ ଭୋଟ ଦେବାକୁ ଆସିଲେ । ଶେଷରେ ଦିନେ ଫଳ ବାହାରିଲା । ଭୂୟାକା ହାର୍ଗୁଣା କାଡ଼୍ରାକା ସୀମା କନ୍ଧ ଅପେକ୍ଷା ସାମାନ୍ୟ ଅଧିକା ଭୋଟ ପାଇ ନିର୍ବାଚିତ ହେଲେ । କେ. ଟିମାୟା ଦୋରା ପରାଜିତ ହେଲା । ଛୋଟା କାଳିଆର ଅମାନତ ଟଙ୍କା ଉଡ଼ିଗଲା ।

 

କେ. ଟି. ଦୋରା ଲେଲିବାଡ଼ିରେ ଶଶୁର ଘରେ ଲୁଚି ରହିଲା ଓ ଚିହ୍ନା ମଣିଷଙ୍କ ଜଳନ୍ତା ସହାନୁଭୂତି ଦାଉରୁ ଆତ୍ମରକ୍ଷା କରିବାକୁ ଚେଷ୍ଟାକଲା । ତଥାପି ସେମାନେ ଆସିଲେ, ବୁଝାଇ ସୁଝାଇ କହିଦେଇଗଲେ । ଆପେ ଆପେ ତା ମୁହଁରେ ଗୋଟାଏ ଶୁଖିଲା ବେହିଆ ହସର ମୁଖା ଦେଖାଗଲା ଓ ଏପରି ତାର କହିବା ଅଭ୍ୟାସ ହୋଇଗଲା—‘‘ଏଇ ଅଶିକ୍ଷିତ ଅକୃତଜ୍ଞ ଲୋକେ, କ’ଣ ମଣିଷ ଏମାନଙ୍କ ମନ ବୁଝିବ ? କ’ଣ ଏମାନଙ୍କ ଉପରେ ନିର୍ଭର କରିବ ?’’ ଏହି ମର୍ମରେ ସେ ଗୋଟିଏ ବିବୃତ୍ତି ତିଆରି କରି ଖବରକାଗଜକୁ ପଠାଇଲା; କିନ୍ତୁ ଅପେକ୍ଷା କରି କରି ଦିନଗଲା, ସେ ବିବୃତ୍ତି ଆଉ ଛପା ହେଲାନାହିଁ । ତାପରେ ତାର ଚେତା ଆସିଲା ଯେ ବଡ଼ ବଡ଼ ସହରରେ ତାର ଯେଉଁ ପ୍ରତାପୀ ବନ୍ଧୁମାନେ ଥିଲେ, ପ୍ରୀତମ୍ ସିଂ କି ଝୋପ୍‌ଡ଼ିଓ୍ୱାଲା କି ରାଧୁ ପଟ୍ଟନାଏକ କି ଏହିପରି ଅନ୍ୟମାନେ, ସେମାନେ ତା ପାଖକୁ ଖଣ୍ଡେ ବି ଚିଠି ଲେଖିନାହାନ୍ତି ଅଥଚ ବାରମ୍ବାର ସେମାନଙ୍କ ପାଖକୁ ସେ ଅନେକ ଚିଠି ଲେଖିସାରିଛି । ଗାଁ ଛାଡ଼ି ପଦାକୁ ଗୋଡ଼ କାଢ଼ିବାକୁ ସେ ସଜ ହେଲା । ସେଥିପାଇଁ ଶଶୁରଠୁଁ ସାହାଯ୍ୟ ମାଗିଲା । ସେତେବେଳେ ନର୍ସିଂଲୁ ଦୋରା ଶୁଖିଲା ମୁହଁରେ ତାକୁ ନିରସ୍ତ କରି କହିଲେ, ‘‘ବହୁତ ଟଙ୍କା ଖର୍ଚ୍ଚ ହୋଇସାରିଛି ବାବୁ, ସେତିକି ଟଙ୍କା କେଉଁ ବେପାରରେ ଲଗାଇଥିଲେ ମଣିଷ ଘରେ ବସି ଜୀବନଯାକ ସୁଖରେ ଖାଇ ଚଳିଥାନ୍ତା ।’’

 

ତଥାପି ସ୍ତ୍ରୀକୁ ବୁଝେଇ କିଛି ଟଙ୍କା ନେଇ ସେ ପୁଣି ତାର ଚିହ୍ନା ସହରମାନଙ୍କରେ ପହଞ୍ଚିଲା, ସେହି ଚିହ୍ନାଲୋକଙ୍କ ଦ୍ୱାରସ୍ଥ ହେଲା । କିନ୍ତୁ ସେଠି ଦେଖିଲା ହଠାତ୍ ସବୁ ତା’ପାଇଁ ବଦଳିଯାଇଛି ।

 

ଆଉ ପ୍ରୀତମ୍ ସିଂ ମଟରଗାଡ଼ି ପଠାଉନାହିଁ, ଆଉ ଦିପ୍‌ଚାନ୍ଦ୍ ତା ବସାକୁ ଦୌଡ଼ୁନାହିଁ, ନିୟାମତ୍‌ ହୋସେନର ତ ଆଦୌ ଦେଖା ମିଳୁନାହିଁ, ‘‘ସେ ଭାରି କାର୍ଯ୍ୟବ୍ୟସ୍ତ, ମୋଟେ ଫୁରୁସତ ନାହିଁ, କ’ଣ କାମ ଅଛି କହିଦିଅନ୍ତୁ । ମୁଁ ଲେଖି ରଖିଥିବି, ତାଙ୍କୁ ବେଳ ମିଳିଲେ ଦେଖାଇବି-। ସେ ଚିଠି ଲେଖିବେ—’’ ତାଙ୍କ ମୁନିମ୍ କହିଲା । କେଉଁ ଘରେ ତା ପ୍ରତି କିପରି ଉପଚାର ହୋଇଥିଲା ବାରମ୍ବାର ତାର ମନେପଡ଼ିଗଲା । ସେହି ଘର ଅଛି । ସେହି ମଣିଷ ଅଛନ୍ତି-। କେତେ ଲୋକ ତ ତା ମୁହଁକୁ ବଲ ବଲ କରି ଅନାଇଁ ଅନାଇଁ ଚାଲିଯାଉଛନ୍ତି । ସବୁ ସେହିପରି ଅଛି କେବଳ କ’ଣ ସମୟ ବଦଳିଯାଇଛି । ନରି ବିଶ୍ୱାଳ ଫ୍ୟାକ୍ଟରି ଭିତରେ ଅଛନ୍ତି ଶୁଣି ସେ ଫାଟକଯାକେ ଯାଇଥିଲା, ଭିତରକୁ ଖବର ଗଲା, ଚିଠି ଗଲା, କିଛି ଉତ୍ତର ଆସିଲାନାହିଁ । କିଛି ସମୟ ପରେ ପ୍ରକାଣ୍ଡ ହଳଦିଆ ଗାଡ଼ିରେ ବସି ବିଶ୍ୱାଳେ ବାହାରି ଚାଲିଗଲେ ।

 

ସେହି ସହରରେ ଆଘାତ ତାକୁ ବେଶି ଜୋର୍‌ରେ ଲାଗିଥିଲା, ସେ ଏପରି କ୍ଷୁଣ୍ଣ ହେଲା ଯେ ସେ ଆଉ ନିଭା ଦେବୀଙ୍କ ଘରକୁ ବି ଗଲାନାହିଁ । ମଦ ପିଇଲା, ରାତିରେ ସିନେମା ଦେଖିଲା, ଦିନଯାକ ତାର ଶସ୍ତା ହୋଟେଲ ବସାରେ ଘରେ ବସି ରହିଲା, ସତେ ଯେପରିକି ସେ ଅପେକ୍ଷା କରିଛି ଆଉ ନୂଆ କିଛି କ’ଣ ଘଟିବ । ସାଧାରଣ ଘଟନାରୁ ସେ ଅର୍ଥ ଘେନିଲା ଯେପରିକି ଜାଣିଶୁଣି କିଏ ତାକୁ ଥଟ୍ଟା କରୁଛି, ଅପମାନ ଦେଉଛି । ତାପରେ ହଠାତ୍ ଦିନେ ସେ ବଡ଼ ସହର ଛାଡ଼ି ଲେଲିବାଡ଼ି ଫେରିଆସିଲା । ଲାଗିଲା ଏଥର ସେ ଶାନ୍ତି ପାଇଛି, ଖରା ଝାଞ୍ଜିରୁ ବାହାରି ଚାଲି ଆସିଛି ଛାଇତଳକୁ । ଚାରିପାଖରେ ସେହି ବଣ ପାହାଡ଼, ସେହି ଅଖ୍ୟାତ ଭୁଲା ଭୁଲା ନିଦୁଆ ନିଦୁଆ ଦେଶ ପୁଣି ତାକୁ ଆନନ୍ଦ ଦେଉଛି ।

 

କିନ୍ତୁ ତା ମନର ସେ ଅବସ୍ଥା ବେଶିଦିନ ରହିଲାନାହିଁ । ମାଳ ପାହାଡ଼ ଭିତରେ ଏ ସାନ ସହରଟିରେ ଚାରିଆଡ଼େ ଶୁଭୁଛି ଭୂୟାକା ହାର୍ଗୁଣାଙ୍କ ନାଁ, ଆଜି ଏଠି ତାଙ୍କର ବକ୍ତୃତା, କାଲି ସେଠି ତାଙ୍କୁ ସମ୍ବର୍ଦ୍ଧନା, ତା ସଙ୍ଗେ ସଙ୍ଗେ ପ୍ରକାଶ୍ୟରେ ତା ପ୍ରତି ତାଚ୍ଛଲ୍ୟ, କଟୁକ୍ତି, ଅପମାନ । ଲେଲିବାଡ଼ିରେ ତା ବିରୁଦ୍ଧରେ କେତେ କେତେ କାହାଣୀ ବ୍ୟାପିଛି । କେତେ ତ ସତ କଥା, ତାର ବଡ଼ ସହରଲୀଳାରୁ କାଣ୍ଡେ କାଣ୍ଡେ, କେତେ ଅତିରଞ୍ଜିତ, ଆଉ କେତେ ସମ୍ପୂର୍ଣ୍ଣ ମନଗଢ଼ା କାହାଣୀ, ଶୁଣିଲେ ତାକୁ ବି ଆଶ୍ଚର୍ଯ୍ୟ ଲାଗେ । ଲେଲିବାଡ଼ିରେ କେହି ତାର ମତ କି ବକ୍ତୃତା ଶୁଣିବାକୁ ସମୟ ଖର୍ଚ୍ଚ କରେ ନାହିଁ, କେହି ଆସେ ନାହିଁ ତା ପ୍ରଶସ୍ତି ଗାଇବାକୁ, ଆଗେ ଯେତେ ଦଣ୍ଡବତ ମିଳୁଥିଲା କାଣିଚାଏ ବି ସେଥିରୁ ନାହିଁ । ଏହି ଯେଉଁ ଅଧିକାରୀମାନେ ଆଗେ ସତେକି ଡରି ଡରି ଠିଆ ହେଉଥିଲେ, କେଡ଼େ ସମ୍ମାନ ଦେଖାଇ କଥା କହୁଥିଲେ, ଏପରିକି ସେ ବ୍ୟବହାର କରୁ ବୋଲି ଆପଣା ଆପଣା ଗାଡ଼ି ଯାଚୁଥିଲେ, ସେମାନେ ଆଉ ତା ମୁହଁକୁ ଚାହୁଁ ନାହାନ୍ତି, କେହି କେହି ଛିଗୁଲେଇ ଛିଗୁଲେଇ କଥା କହୁଛନ୍ତି ।

 

ସେ ଅନୁଭବ କଲା, ଶ୍ୱଶୁର ଘରେ ବି ତାର ପ୍ରତିପତ୍ତି କମିଯାଇଛି । ସେଠି ଆଗପରି ତାର ଫରମାସି ଅନୁସାରେ ବ୍ୟବହାର୍ଯ୍ୟ ଜିନିଷ ମିଳେ ନାହିଁ, ସମ୍ଭବତଃ ଆଦର ଗୌରବ ବି ଊଣା । ହୁଏତ ପ୍ରକୃତରେ ସେତେଦୂର ତାକୁ କେହି ହତାଦର କରୁ ନଥିଲେ; କିନ୍ତୁ ତାର କ୍ଷୁବ୍‌ଧ କ୍ଷୁଣ୍ଣ ମନ ତିଳକୁ ବି ତାଳକରି ଭାବୁଥିଲା । ସେ ଅନୁଭବ କଲା ସତେ ଯେପରି ସେ ରୋଗରେ ପଡ଼ିଛି, ସେ ଅଚଳ, ଶଶୁର ଘର ଲୋକେ ଦୟାକରି ତାର ସେବା କରୁଛନ୍ତି, ସେମାନେ ଭାବୁଛନ୍ତି ସେ ନିଃସହାୟ, ସେ ଅପଦାର୍ଥ ।

 

ଅଳସେଇ ପଡ଼ି ପଡ଼ି ଗଭୀର ମନଦୁଃଖରେ ସେ ଆପଣା ଅବସ୍ଥାକୁ ତଉଲି ଦେଖିବାକୁ ଚେଷ୍ଟା କଲା । କେବେ କଦବା ଗାଁକୁ ଗଲେ ସେ ତା ବାପା ବୋଉଙ୍କୁ ଦେଖି ଆସେ, ସେମାନେ ତାଙ୍କ ବୃତ୍ତି ବେଉସାରେ ବ୍ୟସ୍ତ, ପୁଅକୁ କିଛି କହି ପ୍ରଭାବିତ କରିବା ଅଭ୍ୟାସ ସେମାନଙ୍କର ଆଉ ନାହିଁ, ଏବେ ବି ସେମାନେ ଭାବୁଛନ୍ତି ଯେ ସେ ଗୋଟାଏ କ’ଣ ବଡ଼ ଦାୟିତ୍ୱ ତୁଲାଉଛି, ଖେଳେଇ ଖେଳେଇ ତାକୁ କେବେ କୂଳକୁ ଆଣିବ । ବୀମା କନ୍ଧର ତାଷ ବଢ଼ିଛି, ଧନ ବଢ଼ିଛି, କାନ୍ତରାଟି କାର୍ଯ୍ୟ ଚାଲିଛି । ଶଶୁର ଘର ତାର ବୃତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ଉଦାସୀନ । ସେ କ’ଣ କରିବ କି ନକରିବ କେହି ପଚାରିବାକୁ ନାହିଁ । ସଂସାରରେ ସମସ୍ତଙ୍କର କାର୍ଯ୍ୟ ଅଛି, ବୃତ୍ତି ଅଛି, ନାହିଁ ଖାଲି ତାହାରି । ପରର ଗଳଗ୍ରହ ହୋଇ ରହି ଅଳସୁଆ ହୋଇ ସମୟ କାଟିବା, ଏଣୁତେଣୁ ଭାବିବା ଓ ଶୁଣାଳି ପାଇଲେ ଲମ୍ବାଚଉଡ଼ା କାହାଣୀ କହିବା, ଏତିକି ତାର ଜୀବନ । ସେ ଆପଣାର ଅତୀତକୁ ହେତୁ କଲା, କେଉଁକ୍ରମରେ ସେ ଆଶା ଉଚ୍ଛ୍ୱାସରେ ଧୀରେ ଧୀରେ ବଢ଼ି ଉଠୁଥିଲା ମନେ ମନେ ସେହି ଖିଅ ଧରିବାକୁ ଚେଷ୍ଟା କଲା, ଆପଣାର ଭୁଲ୍‌ ଖୋଜିବାକୁ ଚେଷ୍ଟା କଲା । ତାକୁ ଲାଗିଲା ସବୁ ତାର ଭୁଲ୍‍, ନିଶା ଛାଡ଼ିଗଲା ବେଳର ଘୋର ଅବସାଦରେ ତାର ମନପୂରିଗଲା । ଦିନ ଦିନ ବିତିଗଲା ସେ ଖିଅର ହେଲାନାହିଁ, ମୁଣ୍ଡରେ ତେଲ ଲଗାଇଲା ନାହିଁ, ପଦାକୁ ବାହାରିଲା ନାହିଁ, କେହି ଯାଚି ନ ଦେଲେ କିଛି ମାଗିଲା ନାହିଁ, କେବଳ ଖଣ୍ଡେ କ’ଣ ବହି ଧରି ବସି ବସି ଅନ୍ୟମନସ୍କ ହୋଇ ଭାବିଲା ।

 

କେବେ ଦିନେ ସେହି କୁହୁଡ଼ି ଉହାଡ଼ରେ ସତେ ଯେପରିକି ତାକୁ ସୂର୍ଯ୍ୟ ଦେଖାଦେଲା । ସେ ଶଶୁର ଘରୁ ବିଦାହୋଇ ସ୍ତ୍ରୀକୁ ଘେନି ମେଲ୍‌କାବାଡ଼ି ଚାଲିଗଲା ।

 

ବେଳ ରତ ରତ ହେଉଥାଏ, ଟିମା କନ୍ଧ ମେଲ୍‍କାବାଡ଼ି ପହଞ୍ଚିଲା । ଡେଙ୍ଗା ଲେଞ୍ଜୁ କନ୍ଧ ପଚାରିଲା– ‘‘ଏଥର କେତେ ଦିନ ରହିବୁ ଭାଇ ?’’ ଟିମା କହିଲା, ‘‘ଏଥର ସବୁ ଦିନେ ।’’ ତାର ଆଉ ସେ ପୋଷାକନାହିଁ, ଖାଲି ଲୁଗା ଖଣ୍ଡେ, ଗେଞ୍ଜି ଖଣ୍ଡେ, ଗୋଡ଼ରେ ଜୋତାନାହିଁ । ତାର ସେ ଠାଣିନାହିଁ, ମୁହଁର ଭାବରେ କେତେ କ’ଣ ପରିବର୍ତ୍ତନ ହୋଇଯାଇଛି । ଆପେ ଉପରେ ପଡ଼ି ନ ଗପୁଣୁ ପରର କଥା ଶୁଣିବାକୁ, ବୁଝିବାକୁ ତାର ଧୈର୍ଯ୍ୟ ଅଛି, ମୁହଁରେ ବିନୟ । ବୀମା କନ୍ଧ କହିଲା, ‘‘ଭାରି ଶୁଖିଯାଉଛୁ ପୁଅ ।’’ ଟିମା ଖାଲି ହସିଲା । ଶୋବେନା କହିଲା, ଏତେ ଦେଶ ବୁଲିଲୁ, ଏତେ ପାଠପଢ଼ିଲୁ, ଏତେଦିନରୁ ପଦାରେ ପଦାରେ କାମ କରୁଥିଲୁ, ତୋ ବାପା ସିନା କୋଠାଘର କଲା, ବଡ଼ଲୋକ ହେଲା, ଆମର ଦୁଃଖ କିଛି ଗଲାନାହିଁ । ଯେଉଁମାନେ ଆମ ଜମି ଛଡ଼େଇ ନେଇଥିଲେ ଆଉ ଫେରେଇ ଦେଲେ କି ? ଆମ ଅବସ୍ଥା ବଦଳିଲା କି ? ଯେ ବଡ଼ ଲୋକ ଥିଲେ ସେମାନେ ଆହୁରି ବଡ଼ଲୋକ ହେଲେ, ଆମର କ’ଣ ଗଲା ? ମୁଣ୍ଡରେ ଯେଉଁ ଟୋକେଇ ଶାବଳ ସେହି ଟୋକେଇ ଶାବଳ । କାନ୍ଧରେ ଯେଉଁ ଟାଙ୍ଗିଆକୁ ସେହି ଟାଙ୍ଗିଆ । ଆମପାଇଁ ଜମି ଆଣିଲୁ କି ଭାତ ଆଣିଲୁ କି ଟଙ୍କା ଆଣିଲୁ, କ’ଣ ଆଣିଲୁ ଟିମା ? କେତେ ଆଶା ତତେ କରିଥିଲୁଁ !’’

 

ଟିମା ଛଳ କଲା ନାହିଁ, ଆଗପରି ହସିଲା ବି ନାହିଁ, ମୁହଁକୁ ତଳକୁ ପୋତି ଦଣ୍ଡେ ରହି କହିଲା, ‘‘ଆମପାଇଁ କେହି କିଛି ଦେବନାହିଁ ଶୋବେନା ଭାଇ, ଦେଲେ ସେ ଆମୁକୁ ଭୋଗ ହେବନାହିଁ, ଆମେ ନିଜେ ନିଜକୁ ଦମ୍ଭ କଲେ ଯାଇଁହେବ, ସେଥିପାଇଁ ଆମେ ପରିଶ୍ରମ କରିବା ଦରକାର, ବେଳ ଲାଗିବ ।’’ ଟିବୁ କନ୍ଧ ଥଟ୍ଟାକରି କହିଲା, ‘‘ହୋଇଥାନ୍ତା ଯେ, ଆମର ସବୁ ହେଇଯାଇଥାନ୍ତା, ତୁମେ ହାରିଗଲ ବୋଲି ସିନା ନ ହେଲା, ନ ହେଲେ ଆଉ ଚିନ୍ତା କ’ଣ ଥାଆନ୍ତା-?’’ ଟିମା କନ୍ଧ ସ୍ଥିର ରହି କହିଲା, ‘‘ମୁଁ ଜିତିଥିଲେ ବି କିଛି ହୋଇ ନଥାନ୍ତା, ଯେ ଜିତିଲେବି କିଛି କରିପାରିବନାହିଁ, କାମ କରିବ ମଣିଷର ନିଜ ହାତ ଗୋଡ଼, ସେଇ ତାକୁ ବଡ଼ କଲେ ସେ ବଡ଼ ହେବ, ନ ହେଲେ ନାହିଁ ।’’

 

ବୁଢ଼ା ପାଣ୍ଡ୍ରୁ କନ୍ଧ ନଇଁପଡ଼ି ତାର ଆଖିକୁ ଅନିଷା କରି କହିଲା, ‘‘ଏବେ ସତ କହିଲୁ ଯେ ପୁଅ, ସତ କହିଲୁ, ଆଗେ କାହିଁକି ଏମିତି କହୁ ନଥିଲୁ ? ଆଗେ ତ କହୁଥିଲୁ କୋଉ କୋଉ ଦେଶର ସାହୁକାର ଆସିବେ, ଏଠି କେତେକେତେ କଳକାରଖାନା ବସାଇବେ, ଆମୁକୁ ମୂଲପାତି ମିଳିବ । ହେଲେ, ତୁ ଯାହା କହ, ବାହାରୁ ଗୋଟାଏ ଜିନିଷ ଆସିଲେ ଭିତରୁ ଆଉ ଗୋଟାଏ ଜିନିଷ ଯିବ । ଗହଳି ବଢ଼ିବ, ଜଞ୍ଜାଳ ବଢ଼ିବ, ସୁଖ ଶାନ୍ତି ଯିବ । ଆଜିକାଲି କେତେ କଳିଗୋଳ, ମରାପିଟା, କେତେ ଅସତ, ଠକାମି, ଅନ୍ୟାୟ, ବଢ଼ୁଛି ନା କମୁଛି ?’’

 

ଟିମା କହିଲା, ‘‘ଆମ ନିଜ ଭିତରେ ସ୍ନେହ ନଥିଲେ, ମେଣ୍ଟ ନଥିଲେ ପଦାରୁ ଯେ ଆସୁ ସେ ତା ଆମୁକୁ କରି ଦେବନାହିଁ । କଳ ବସେଇ ଲୁହାପଥର ଖୋଳିଲେ ଦେଶକୁ ଭଲ, ସାହୁକାର ଲାଭ ଖାଇବ ଆମେ ତାର କୁଲି ହୋଇ ପଥର ଭାଙ୍ଗିବା, ସେଥିରେ ଆମର କି ଲାଭ ? ତା’ଅପେକ୍ଷା ଆମେ ଆମର ସ୍ଵାଧୀନ ଥାଇ ଭୂମି ତାଡ଼ି ଝାଟି କାଟି ଦୁଃଖ କଷ୍ଟରେ ଚଳିବା, ସେ ଭଲ ।’’

 

ଟିବୁ କହିଲା, ‘‘ଏ ଗାଁରେ ଆମେ କୁଲି ନ ହେଲେ ବି ତ କୁଲିଠୁଁ ଅଧମ, ଜମି ତ ବେଶି ଭାଗ ତୋ ବାପାର, ଆମେ ତାଷ କରିଛୁଁ, ସବୁ ସେ ନେଇଯିବ, ପୋଷେ କି ଗଣ୍ଡିଏ ଆମର ଭାଗ, ସବୁଠି ସେମିତି । ଜମି କାହିଁ ?

 

ଟିମା କହିଲା, ‘‘ଆମର କେତେ ବଡ଼ ପେଟ କି ଆମେ ସବୁ ଖାଇବୁଁ ? ଆସ ସମସ୍ତିଙ୍କର ସବୁ ଜମି ଏକାଠି ମିଶେଇ ଦେବା, ଆହୁରି ଜମି କାଢ଼ିବା, ସମସ୍ତେ କାମ କରିବା, ସମସ୍ତେ ବାଣ୍ଟିବା ଆଉ ଖାଇବା ।’’

 

କହିଦେଇ ସାରି ସେ ନିଜର କଥାର ରୂପ ଆଖି ଆଗରେ ଦେଖି ଚମକି ପଡ଼ିଲା, ତାର ଗଭୀର ନୈରାଶ୍ୟ, ଗଭୀର ଅଭିଜ୍ଞତା ଭିତରୁ ଯେପରିକି ଏ ନୂଆ ସୃଷ୍ଟି ଉପୁଜିଛି, ତାକୁ ଆକୃଷ୍ଟ କରୁଛି ।

 

ବୀମା ତା ମୁହଁକୁ ବଲବଲ କରି ଅନାଇଛି । ଛେପ ଢୋକି କହିଲା, ‘‘ତୋର ଇଚ୍ଛା ଟିମା, ମୁଁ ନାହିଁ କହିବି ନାହିଁ ।’’

 

ପାଣ୍ଡ୍ରୁ କନ୍ଧ କହିଲା, ‘‘ପୁରୁଣା କଥା ପୁଣି ଶୁଣାଇଲୁରେ ପୁଅ, ଆମେ କନ୍ଧ ଲୋକ ସେମିତି ସବୁଦିନେ ଚଳୁଥିଲୁଁ, ଗାଁଟିଯାକ ଗୋଟିଏ ଘର ।’’

 

ଟିବୁ କନ୍ଧ ଟିମାର ହାତ ଝାଂକିଦେଇ କହିଲା, ‘‘ଟିମା, ତୁ ଫିସାଦି କଥା କହୁନାହୁଁ ତ ? ଆଗରୁ କାହିଁକି କହିଲୁ ନାହିଁ ? ଏମିତି ହେଲେ ଆରଥରକୁ ତୁ ନିଶ୍ଚୟ ଜିତିବୁ, ଆଉ ତତେ ହରେଇବ କିଏ ଟିମା ?’’

 

ଭାବପ୍ରବଣ ହୋଇ ଟିମା କହିଲା, ‘‘ମୋର ଜିଣିବା ହାରିବା ସବୁ ଖାଲି ଏ ମାଟି ସଙ୍ଗରେ ଟିକି ଭାଇ, ବେଶି ମାଟି ତାଡ଼ିଲେ ମୁଁ ଜିଣିଲି ଭାବିବ, ସମସ୍ତେ ସୁଖ ଶରଧାରେ ରହିଲେ ମୁଁ ଭାବିବି ଜିଣିଲି, ଆଉ ତା ବାହାରକୁ ମୋର ଜିତା ହରା ନାହିଁ ।’’

 

ଗୟାଁ ପଦାକୁ ହାତ ଦେଖାଇ ସହର ଆଡ଼କୁ ଠାରି କହିଲା, ‘‘ଆଉ ତେଣର କାମ ?’’

 

ଟିମା ମୁଣ୍ଡ ହଲେଇ ନାହିଁ କଲା ।

 

ଗୋଛା ହୋଇ ତ ଗାଁ ଲୋକ ତାଆଡ଼େ ଅନାଇଁ ଠିଆ ହୋଇଥାନ୍ତି । ତାଙ୍କୁ କେଡ଼େ କାବା କାବା ଲାଗୁଥାଏ । ହଠାତ୍ ଜଣେ କିଏ ଖୁସିରେ ଚିତ୍କାର କରି ହସିଲା । ତା’ପରେ ସମସ୍ତେ ହସିଲେ । କେହି ଶିଖେଇନାହିଁ, ବତେଇ ନାହିଁ, କିଏ ଆଣି ଦୁଇଟା ଖୁଣ୍ଟ ପୋତିଦେଇ ଆମ୍ବପତ୍ର ଛନ୍ଦି ଏ ଖୁଣ୍ଟରୁ ସେ ଖୁଣ୍ଟ ମାଳ ଝୁଲେଇ ଦେଲେ । ଲିସେଣି ଢାଉଁ ଢାଉଁ ବାଜି ଉଠିଲା । ଟମକ ବାଡ଼େଇ ବାଡ଼େଇ ଗୋଟି ଗୋଟି ହୋଇ ଲୋକେ ନାଚିଲେ । ଆରମ୍ଭ ହୋଇଗଲା ଗାଁ ଗୋଠର ନାଚ ।

 

ମେଲ୍‌କାବାଡ଼ି ଉତ୍ସବ ପାଳିଲା ।

 

ଟିମା ଘରକୁ ଫେରିଛି ।

Image